କୋଲ୍‍ ଇଣ୍ଡିଆ ସରକାରଙ୍କୁ ୧୪୨୬ କୋଟି ଟଙ୍କା ଲାଭାଂଶ ଦେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୋଲ୍‍ ଇଣ୍ଡିଆ ନିକଟରୁ ୧୪୨୬ କୋଟି ଟଙ୍କା ଲାଭାଂଶ ବାବଦରେ ପାଇବେ। ସିଆଇଏଲ୍‍ ଅତିରିକ୍ତ ଚୂଡାନ୍ତ ୩୫% ଲାଭାଂଶ ପ୍ରଦାନ ସମ୍ପର୍କରେ ଘୋଷଣା କରିବା ପରେ ସରକାର ଏହି ପରିମାଣର ଅର୍ଥ ପାଇବାକୁ ଯାଉଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷରେ କୋଲ୍‍ ଇଣ୍ଡିଆ ସେୟାର ପିଛା ୧୬ ଟଙ୍କା ଅଥବା ୧୬୦ ପ୍ରତିଶତ ଲାଭାଂଶ ପ୍ରଦାନ କରୁଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ କୋଲ୍‍ ଇଣ୍ଡିଆରେ ସରକାର ସର୍ବବୃହତ ଅଂଶୀଦାର ହୋଇଛନ୍ତି ଏବଂ କମ୍ପାନୀରେ ସରକାରଙ୍କର ୬୬.୧% ଅଂଶ ରହିଛି। ଅବଶ୍ୟ ୨୦୧୯ ମାର୍ଚ୍ଚ ପୂର୍ବରୁ ସରକାରୀ ଅଂଶ ୭୧% ରହିଥିଲା। କିନ୍ତୁ ତାହା ପରବର୍ତ୍ତୀ ସମୟରେ ସରକାର ଲଗାତାର ନିଜର ଅଂଶ ପ୍ରତ୍ୟାହାର କରିଚାଲିବା କାରଣରୁ ଏବେ ତାହା ୬୬.୧% ରହିଛି। କୋଲ୍‍ ଇଣ୍ଡିଆ ନିକଟରେ ୨୦୧୯-୨୦ରେ ୨୮ହଜାର କୋଟି ଟଙ୍କା ରହିଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ତାହା ୧୭,୩୦୯ କୋଟି ଟଙ୍କାକୁ ହ୍ରାସପାଇଛି। ଉକ୍ତ ଅର୍ଥ ମଧ୍ୟରେ ନଗଦ ଅର୍ଥ, ତତ୍ତୁଲ୍ୟ ଏବଂ ବ୍ୟାଙ୍କ ଜମା ଆଦି ଅନ୍ତର୍ଭୁକ୍ତ। ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକରେ କମ୍ପାନୀର କନସୋଲିଡେଟେଡ ଲାଭ ୪୫୮୮.୯୬ କୋଟି ଟଙ୍କା ହୋଇଛି, ଯାହା ପୂର୍ବ ଆର୍ଥିକ ବର୍ଷର ସେହି ସମୟରେ ହୋଇଥିବା କନସୋଲିଡେଟେଡ ଲାଭ ପରିମାଣ ୪୬୨୫.୭୬ କୋଟି ଟଙ୍କା ତୁଳନାରେ କମ୍‍ ରହିଛି।

Comments are closed.