କୋଇଲା କ୍ଷେତ୍ରର ଘରୋଇକରଣ ; ପରିବେଶଗତ ପ୍ରସଙ୍ଗ ପ୍ରତି ଉଚିତ ଧ୍ୟାନ ରହୁ

ଯେ କୌଣସି ଲଢ଼େଇ ପାଇଁ ସମ୍ବଳ ପ୍ରଥମ ଆବଶ୍ୟକତା। ଏଥିରେ ସବୁଠୁ ଅଧିକ ମହତ୍ତ୍ବ ରଖେ ଅର୍ଥ ବା ଟଙ୍କା। ଭାରତ ଏବେ ଯେଉଁ କରୋନା ବିରୋଧୀ ଲଢ଼େଇ ଲଢ଼ୁଛି ସେଥିରେ ସରକାରଙ୍କ ଅର୍ଥ ଆବଶ୍ୟକତାର ଗୁରୁତ୍ବ ସହଜେ ଅନୁମେୟ। ଲଢ଼େଇ ଯେତେ ଲମ୍ବା ହେବ ଆର୍ଥିକ ସମ୍ବଳର ଚାପ ସେତେ​‌ ଅଧିକ ବଢ଼ିବ। ତେଣୁ କେନ୍ଦ୍ର ସରକାର ଅର୍ଥାଗମର ବ୍ୟବସ୍ଥା କରିବାକୁ ଖଣିକ୍ଷେତ୍ରକୁ ପୁନର୍ବାର ଚାଲୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥି ମଧ୍ୟରେ ଓଡ଼ିଶାର ଖଣି କ୍ଷେତ୍ରମାନ ରହିଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ କେନ୍ଦ୍ରସରକାର ଦେଶର ୪୧ଟି କୋଇଲାଖଣିର ନିଲାମ ପ୍ରକ୍ରିୟାକୁ ଅନୁମୋଦନ କରି ସେ କ୍ଷେତ୍ରରେ କାମ ଆରମ୍ଭ କରିଛନ୍ତି। ଏଥିରେ ଓଡ଼ିଶାର ୯ଟି କୋଇଲାଖଣି ରହିଛି। ଏହି ନିଲାମ ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ହେଲା କୋଇଲା ଇନ୍ଧନ​‌େ​‌ର ଭାରତ ଆତ୍ମନିର୍ଭରଶୀଳ ହେବା ସହିତ ଖନନ ଓ ଉତ୍ତୋଳନରେ ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ, ପୁଞ୍ଜିନିବେଶ ଏବଂ ଅଧିକ ନିଯୁକ୍ତି ସୃଷ୍ଟି କରିବା। ଏଥିସହିତ କୋଇଲା ଉତ୍ପାଦନ ବଢ଼ିଲେ ସରକାରଙ୍କ ରାଜସ୍ବ ଆୟ ବଢ଼ିବ ଏବଂ ସଂପୃକ୍ତ ରାଜ୍ୟ ସରକାରମାନେ ମଧ୍ୟ ଏହାଦ୍ବାରା ଲାଭାନ୍ବିତ ହେବେ।

କୋଇଲା, ଲୁହାପଥର, କ୍ରୋମାଇଟ, ବକ୍‌ସାଇଟ ଭଳି ବିଭିନ୍ନ ଖଣିଜ ସଂପଦରେ ଭାରତ ପରିପୂର୍ଣ୍ଣ। କେତେକ କ୍ଷେତ୍ରରେ ଏହି ସବୁ ପ୍ରାକୃତିକ ସମ୍ପଦରେ ପ୍ରକୃତି ଭାରତକୁ ବିଶ୍ବରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରଖିଛି। କୋଇଲା ସଂପଦରେ ଭାରତ ବିଶ୍ବରେ ପ୍ରଥମ ହୋଇଥିବାବେଳେ ଏବେ ବିଦେଶରୁ ଭାରତକୁ କୋଇଲା ଆସୁଛି। ଆହୁରି ବଡ଼ ବିଡ଼ମ୍ବନା ହେଲା ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ରାଜ୍ୟ କୋଇଲା ସଂପଦରେ ଭରପୂର ଥିବାବେଳେ ଏଠାକାର ଶିଳ୍ପସଂସ୍ଥା ଓ ଖାଉଟୀ ବିଦେଶୀ କୋଇଲା ଉପରେ ନିର୍ଭର କରୁଛନ୍ତି। ପ୍ରାକୃତିକ ସମ୍ବଳରେ ବଳୀୟାନ ଗୋଟିଏ ଦେଶ ସେ ସବୁର ବ୍ୟବହାର ନ’କରି ବିଦେଶରୁ ଚଢ଼ା ଦାମ୍‌ରେ ଆମଦାନୀ କରିବା ଉଚିତ୍‌ ନୁହେଁ। ତେଣୁ କରୋନା ମହାମାରୀର ମୁକାବିଲା ସମୟରେ ଅର୍ଥନୀତିକୁ ସମ୍ଭାଳିବା ପାଇଁ ଖଣି କ୍ଷେତ୍ରଗୁଡ଼ିକୁ ପୁନର୍ବାର ଚାଲୁ କରିବା ଏବଂ ସେଗୁଡ଼ିକର ଆଧୁନିକୀକରଣ ନିମନ୍ତେ ପଦକ୍ଷେପ ନେବା ନିଶ୍ଚିତଭାବେ ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି।

ଏହି କାର୍ଯ୍ୟଟି ସରକାରୀ ମନ୍ଥରତା, ଦୁର୍ନୀତି, କୋର୍ଟକଚେରି ମାମଲା ଓ ପରିବେଶଗତ ପ୍ରସଙ୍ଗ ଆଦିକୁ କେନ୍ଦ୍ରକରି ଅନେକ ବିଳମ୍ବିତ ହୋଇଯାଇଥିଲା। ତେଣୁ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ଖଣି ଓ କୋଇଲା କ୍ଷେତ୍ରର ବିକାଶ ନିଶ୍ଚୟ ଅଭିନନ୍ଦନୀୟ। ତେବେ ଏହାକୁ ନେଇ ଏବେ ପରିବେଶପ୍ରେମୀଙ୍କ ମହଲରେ ବିରୋଧ ପ୍ରକାଶ ପାଇଛି। ଏହା ହେବା ସ୍ବାଭାବିକ । ଖଣିକ୍ଷେତ୍ର ଅତ୍ୟନ୍ତ ପରିବେଶ ପ୍ରଦୂଷଣପ୍ରବଣ ଏବଂ ଜନବିରୋଧୀ। ସରକାରୀ ନୀତି ନିୟମକୁ ଖୋଲା ଉଲ୍ଲଙ୍ଘନ କରି ଖନନ, ଉତ୍ତୋଳନ ଓ ପରିବହନ କାର୍ଯ୍ୟ କରାଯାଏ ଏବଂ କ୍ଷତିଗ୍ରସ୍ତ ଲୋକଙ୍କୁ ଆବଶ୍ୟକ କ୍ଷତିପୂରଣ ଓ ଥଇଥାନ ସୁବିଧା ନିୟମାନୁସାରେ ମିଳେ ନାହିଁ। ମାଫିଆଙ୍କ ଉତ୍ପାତ ଯୋଗୁଁ ସ୍ଥାନୀୟ ଲୋକଙ୍କ ପ୍ରତିବାଦର ସ୍ବର ଚାପି ହୋଇଯାଏ। ସେ ଦୃଷ୍ଟିରୁ ବିଚାର କଲେ ପରିବେଶବିତ୍‌ଙ୍କ ଉଦ୍‌ବେଗ ଯଥାର୍ଥ। ତେଣୁ ଓଡ଼ିଶା ସମେତ ଦେଶର ଯେଉଁ ସବୁ ରାଜ୍ୟରେ କୋଇଲା ଖଣିର ଘରୋଇକରଣ ପାଇଁ ନିଷ୍ପତ୍ତି ନିଆଯାଇଛି ସେଠାରେ ପରିବେଶ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାର ଆବଶ୍ୟକତା ରହିଛି।

ଓଡ଼ିଶାର ଅନୁଭୂତି କହୁଛି ଯେ ଖଣିଖନନ, ଉତ୍ତୋଳନ, ଜମି ଅଧିଗ୍ରହଣ ଏବଂ ଖଣିଜ ପରିବହନ ସମୟରେ ପରିବେଶ ଆଇନକୁ କର୍ତ୍ତୃପକ୍ଷ ଠିକ୍‌ଭାବେ ପାଳନ କରୁନାହାନ୍ତି। ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଉନ୍ନୟନ ଏବଂ ସ୍ଥାନୀୟ ଲୋକଙ୍କ ନିଯୁକ୍ତିକୁ ଯେଉଁ ଗୁରୁତ୍ବପ୍ରଦାନ କରାଯିବା କଥା ତାହା ହେଉନାହିଁ। ତେଣୁ ସରକାର ଯେତେବେଳେ ଏ କ୍ଷେତ୍ରରେ ଏକ ସାହସିକ ଏବଂ ଦୂରଦର୍ଶୀ ପଦକ୍ଷେପ ନେଇଛନ୍ତି, ସେତେବେଳେ ପରିବେଶଗତ ଏବଂ ଏ ସଂକ୍ରାନ୍ତ ଆଇନର ଉଚିତ ପରିପାଳନକୁ ନିଶ୍ଚିତ କରନ୍ତୁ।

Comments
Loading...