ସିଓଏ ବୈଠକ ଆଜି; ନାଡା, ବିସିସିଆଇ ନିର୍ବାଚନ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ : କ୍ରିକେଟ୍‌ ପ୍ରଶାସକ କମିଟି (ସିଓଏ)ର ଏକ ବୈଠକ ମଙ୍ଗଳବାର ଏଠାରେ ଅନୁଷ୍ଠିତ ହେବ। ଏହି ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର ଅଛି। କିଛିଦିନ ତଳେ କ୍ରିକେଟର୍‌ଙ୍କ ଡୋପ୍‌ ପରୀକ୍ଷା ଜାତୀୟ ଆଣ୍ଟି ଡୋପିଂ ଏଜେନ୍‌ସି (ନାଡା) ଦ୍ବାରା କରାଯିବାକୁ ବିସିସିଆଇ ରାଜି ହୋଇଛି। ସିଓଏ ବୈଠକରେ ଏ ସଂପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି। ସେହିପରି ଆଗାମୀ ଦିନରେ ବିସିସିଆଇ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିନେଇ ବୈଠକରେ ଆଲୋଚନା ହୋଇପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ଗତ ଶୁକବ୍ରାର ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଜୋହରି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ​‌ କରିଥିଲେ। ବୈଠକ ପରେ ନାଡା ଅଧୀନକୁ ବିସିସିଆଇ ଆସିଥିବା ଏବଂ ଭାରତୀୟ କ୍ରିକେଟର୍‌ଙ୍କ ଡୋପ୍‌ ପରୀକ୍ଷା ନାଡା କରିବ ବୋଲି ଘୋଷଣା କରାଯାଇଥିଲା। ସିଓଏ ବୈଠକରେ ଏ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହେବ। ଡୋପିଂକୁ ନେଇ ସିଓଏ ବେଶ୍‌ କଠୋର ଆଭିମୁଖ୍ୟ ଗ୍ରହଣ କରି ଆସୁଥିବାରୁ ଭାରତୀୟ କ୍ରିକେଟର୍‌ଙ୍କ ଡୋପ୍‌ ପରୀକ୍ଷା ନାଡା ଦ୍ବାରା କରାଯିବା ସଂପର୍କ​‌େ​ର ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ପାରେ ବୋଲି କୁହାଯାଉଛି।
ସିଓଏ ଅଧ୍ୟକ୍ଷ ବିନୋଦ ରାୟଙ୍କ ସହ ସଦସ୍ୟ ଡାଏନା ଏଡୁଲ୍‌ଜି ଓ ରବି ଥୋଡଗେ ବୈଠକରେ ଉପସ୍ଥିତ ରହିବେ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ବିସିସିଆଇ ନିର୍ବାଚନ। ବିସିସିଆଇ ନିର୍ବାଚନ ସଂପର୍କିତ ପ୍ରସ୍ତୁତିର ସମୀକ୍ଷା ସିଓଏ ବୈଠକରେ କରାଯିବ ବୋଲି ଆଲୋଚନା ହେଉଛି। ସେହିପରି ଲୋଧା କମିଟି ସୁପାରିସକୁ କେତେ ରାଜ୍ୟ କ୍ରିକେଟ୍‌ ସଂଘ ଲାଗୁ କରିଛନ୍ତି ଏବଂ କେତେ ରାଜ୍ୟ ସଂଘ ଏହାକୁ ବର୍ତ୍ତମାନ ସୁଦ୍ଧା ଲାଗୁ କରିନାହାନ୍ତି ​‌େ​‌ସ ସଂପର୍କରେ ମଧ୍ୟ ସିଓଏ ବୈଠକରେ ଆଲୋଚନା ହେବ।
ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ କାହାକୁ ନିଯୁକ୍ତ କରାଯିବ ସେ ସଂପର୍କରେ କ୍ରିକେଟ୍ ପରାମର୍ଶଦାତା କମିଟି ନିଷ୍ପତ୍ତି ଗ୍ରହଣ କରିବ। ମୁଖ୍ୟ ପ୍ରଶିକ୍ଷକ ପଦ ନିମନ୍ତେ ବହୁ ବ୍ୟକ୍ତି ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କାହାକୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯିବ ସେ ସଂପର୍କରେ ମଧ୍ୟ ସିଓଏ ବୈଠକ​‌େ​‌ର ଆଲୋଚନା ହେବାର ସମ୍ଭାବନା ରହିଛି। ମୁଖ୍ୟ ପ୍ରଶିକ୍ଷକ ପଦ ନିମନ୍ତେ ସାକ୍ଷାତକାର ଆସନ୍ତା ୧୬ରୁ ଆରମ୍ଭ ହେବ ବୋଲି ଆଶା ରହିଛି। ମୁଖ୍ୟ ପ୍ରଶିକ୍ଷକ ପଦ ଦୌଡ଼ରେ ରବି ଶାସ୍ତ୍ରୀ, ଟମ୍ ମୁଡ଼ି, ମାଇକ ହେସନ୍‌, ରବିନ୍‌ ସିଂହ, ଲାଲଚାନ୍ଦ ରାଜପୁତ୍‌ ପ୍ରମୁଖ ରହିଛନ୍ତି।

Comments are closed.