ଖୁବଶୀଘ୍ର ୧୦୦ ଯୁଦ୍ଧ ବିମାନ କିଣିବ ଭାରତ

0

ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନା ଖୁବଶୀଘ୍ର ୧୦୦ଟି ଯୁଦ୍ଧ ବିମାନ କିଣିବ । ଏଥିପାଇଁ ବିଭାଗୀୟ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବଶ୍ୟକ ଯୁଦ୍ଧ ବିମାନର ଅଭାବକୁ ପୂରଣ କରିବା ପାଇଁ ଭାରତୀୟ ବାୟୁ ସେନା ଏହି ପଦକ୍ଷେପ ନେଇଛି । ୧୦୦ଟି ଯୁଦ୍ଧ ବିମାନ କିଣିବାକୁ ୧.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଅପ୍ରେଲ ୧୧ରେ ଚେନ୍ନଇଠାରେ ଆୟୋଜିତ ହେବାକୁ ଥିବା ଡିପିକ୍ସପୋ ସାମରିକ ପ୍ରଦର୍ଶନୀ ପୂର୍ବରୁ ଏହି ଯୁଦ୍ଧ ବିମାନ କିଣିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଯୁଦ୍ଧ ବିମାନ ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ଦେଶ ଆମେରିକା, ସ୍ୱିଡେନ, ଫ୍ରାନ୍ସ ଏବଂ ୟୁରୋପରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଭାରତୀୟ ବାୟୁ ସେନା ଏନେଇ ସରକାରଙ୍କୁ ଅବଗତ କରାଇଦେଇଛି । ଆନ୍ତଃସରକାର ଓ ବିଭାଗୀୟସ୍ତରୀୟ କାର୍ଯ୍ୟ ସାରି ଯେତି ଶୀଘ୍ର ସମ୍ଭବ ଯୁଦ୍ଧ ବିମାନ କିଣିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବାୟୁ ସେନା ସରକାରଙ୍କୁ କହିଛି । ଉଭୟ ଏକ ଇଞ୍ଜିନ ଓ ଦୁଇ ଇଞ୍ଜିନ ବିଶିଷ୍ଟ ଯୁଦ୍ଧ ବିମାନ କିଣିବାକୁ ଟେଣ୍ଡର ଆହ୍ୱାନ କରାଯାଇଛି । ଭାରତୀୟ ବାୟୁ ସେନାରେ ଯୁଦ୍ଧ ବିମାନ ଓ ପାଇଲଟ (ବିମାନ ଚାଳକ)ଙ୍କ ଘୋର ଅଭାବ ପରିଲକ୍ଷିତ ହୋଇଛି । କିଛି ଦିନ ତଳେ ରାଜ୍ୟସଭାରେ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ସୁବାଶ ଭାମ୍ରେ ଦେଇଥିବା ଲିଖିତ ଉତ୍ତର ଅନୁସାରେ ଭାରତୀୟ ବାୟୁ ସେନାରେ ୩୭୬ ପାଇଲଟଙ୍କ ଅଭାବ ରହିଛି । ବାୟୁ ସେନାରେ ୬ଟି ଯୁଦ୍ଧ ବିମାନ ସ୍କ୍ୱାର୍ଡନ ଅଭାବ ରହିଛି। ଚୀନ ଓ ପାକିସ୍ତାନ ଭଳି ଦୁଇ ପଡୋଶୀ ରାଷ୍ଟ୍ରଙ୍କ ମୁକାବିଲା ପାଇଁ ଭାରତୀୟ ବାୟୁ ସେନାରେ ୪୨ଟି ଯୁଦ୍ଧ ବିମାନ ସ୍କ୍ୱାର୍ଡନର ଆବଶ୍ୟକତା ରହିଛି । ବର୍ତ୍ତମାନ ଭାରତୀୟ ବାୟୁ ସେନାରେ ମାତ୍ର ୩୪ଟି ଯୁଦ୍ଧ ବିମାନ ସ୍କ୍ୱାର୍ଡନ ରହିଛି । ସେଥିମଧ୍ୟରୁ ଏମ୍‌ଆଇଜି-୨୧ବିଆଇଏସ୍‌, ଏମ୍‌ଆଇଜି୨୭ ଏବଂ ଅମ୍‌ଆଇଜି ୨୧ ଏମ୍‌ ବହୁ ପୁରୁଣା ଯୁଦ୍ଧ ବିମାନ ସ୍କ୍ୱାର୍ଡନ । ଏହାବାଦ୍‌ ଏସ୍‌ୟୁ-୩୦ଏମ୍‌କେଆଇର ୧୧ଟି ସ୍କ୍ୱାର୍ଡନ, ଏମ୍‌ଆଇଜି-୨୯, ମିରେଜ-୨୦୦୦ର ୩ଟି ଲେଖାଏଁ ସ୍କ୍ୱାର୍ଡନ, ଏମ୍‌ଆଇଜି ୨୧ ବିସନ ଏବଂ ଜାଗୁଆରର ୬ଟି ଲେଖାଏଁ ସ୍କ୍ୱାର୍ଡନ ରହିଛି । ପାଇଲଟଙ୍କ ଅଭାବକୁ ପୂରଣ କରିବା ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୂଚନା ଦିଆଯାଇଛି ।

Leave A Reply