ଆର୍‌ଟି-ପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ନିୟୋଜିତ ହୋଇଛି ୪ଟି ଭ୍ରାମ୍ୟମାଣ ନମୁନା ପରୀକ୍ଷଣ ୟୁନିଟ୍‌-ଅନନ୍ୟା ଦାସ

ଭୁବନେଶ୍ବର: କଟକ ମହାନଗର ନିଗମ (ସିଏମ୍‌ସି) କମିଶନର ଅନନ୍ୟା ଦାସ ସିଏମ୍‌ସିରେ କୋଭିଡ୍‌ ସ୍ଥିତି ସଂପର୍କରେ ବିଶ୍ଳେଷଣ କରି କହିଛନ୍ତି ଯେ ଦୈନିକ ପୂର୍ବାହ୍ନ ୧୦ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ସିଡିଏସ୍ଥିତ ଉନ୍ନୀତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଚାଉଳିଆଗଞ୍ଜ ଉନ୍ନୀତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବମ୍ଫକୁଦ, ଓଡ଼ିଆ ବଜାର, ନୟାବଜାର, ବ୍ରଜରମ୍ଭା, ଜଗତପୁର, ସିଆର୍‌ଆର୍‌ଆଇ-ବିଦ୍ୟାଧରପୁର ଏବଂ ଷ„ପୁରସ୍ଥିତ ଉନ୍ନୀତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଓ ଥୋରିଆ ସାହି ବାଳିକା ବିଦ୍ୟାଳୟରେ ପରୀକ୍ଷଣ କେନ୍ଦ୍ରମାନ କାର୍ଯ୍ୟ କରୁଛି । ଏହା ବ୍ୟତୀତ ଏସ୍‌ସିବି ମେଡିକାଲ୍‌ କଲେଜ ଓ ସିଟି ହସ୍‌ପିଟାଲ୍‌ରେ ମଧ୍ୟ ପରୀକ୍ଷଣ ସୁବିଧା ଉପଲବ୍ଧ ହେଉଛି । ଆର୍‌ଟି-ପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା ନିମନ୍ତେ ୪ଟି ଭ୍ରାମ୍ୟମାଣ ନମୁନା ପରୀକ୍ଷଣ ୟୁନିଟ୍‌ ନିୟୋଜିତ ହୋଇଛନ୍ତି। ବିଭିନ୍ନ ସ୍ୱାସ୍ଥ୍ୟାନୁଷ୍ଠାନ ସମେତ ମାଲଗୋଦାମ ଓ ଛତ୍ରବଜାର ଅଞ୍ଚଳର ବ୍ୟବସାୟ ପେଣ୍ଠଗୁଡ଼ିକ ପରି ଅଧିକ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ସିଏମ୍‌ସି ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଛି । ମିଳିତ ଏନ୍‌ଫୋର୍ସମେଣ୍ଟ ଦଳଗୁଡ଼ିକ ପକ୍ଷରୁ ବିଭିନ୍ନ ଓପିଡି/ଆଇପିଡି ଏବଂ ଘରୋଇ ସ୍ୱାସ୍ଥ୍ୟାନୁଷ୍ଠାନଗୁଡ଼ିକର ସଙ୍ଗରୋଧ ସୁବିଧା ଉପରେ ନିୟମିତ ଯାଞ୍ଚ କରାଯାଉଛି । ଏସ୍‌ସିବି ମେଡକାଲ କଲେଜ୍‌, ଶିଶୁ ଭବନ ଓ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଲକ୍ଷଣଯୁକ୍ତ ରୋଗୀଙ୍କ ଚିହ୍ନଟ, ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ଆଣ୍ଟିଜେନ୍‌ ପରୀକ୍ଷଣ ପାଇଁ ତ୍ରିସ୍ତରୀୟ ପ୍ରୋଟୋକଲ ଅବଲମ୍ବନ କରାଯାଉଛି । ବିଭିନ୍ନ ଜରୁରୀ, ଅଣଜରୁରୀ, ପାଇକାରୀ ଓ ଖୁଚୁରା ଦୋକାନଗୁଡ଼ିକର ସମୟ ନିର୍ଘଣ୍ଟ ଉପରେ ଦୃଷ୍ଟି ରଖାଯାଇଛି । ନିୟମିତ ପରୀକ୍ଷଣ ଚାଲୁ ରହିଛି ।
ଜନବହୁଳ ବସ୍ତି ଓ ସାହିଗୁଡ଼ିକରେ ଜ୍ୱର, କାଶ, କଫ, ଥଣ୍ଡା/ ଇନ୍‌ଫ୍ଲୁଏଞ୍ଜା ଲକ୍ଷଣ ଥିବା ରୋଗୀଙ୍କର ବ୍ୟାପକ ସର୍ବେକ୍ଷଣ, ବିଭିନ୍ନ ବସ୍ତି କମିଟି, ପୂଜା କମିଟି ଓ ସାହି କମିଟିଗୁଡ଼ିକର ସହଯୋଗିତାରେ ନିୟମିତ ପରୀକ୍ଷଣ ଶିବିର ଆୟୋଜନ ଏବଂ ପଜିଟିଭ୍‌ ରୋଗୀମାନଙ୍କୁ କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତରଣ ପ୍ରକି୍ରୟା ଜାରି ରହିଛି । ଗର୍ଭବତୀ ମହିଳା, ୬୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏବଂ ୫ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ପରି ସମ୍ବେଦନଶୀଳ ଲୋକମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ।
୨୨ ଅଗଷ୍ଟ ସୁଦ୍ଧା ସିଏମ୍‌ସି ଅଞ୍ଚଳରେ ୩୧୦୪ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୧୮୬୦ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୧୨୨୭ ଜଣ ସକି୍ରୟ ସଂକ୍ରମିତ ରହିଛନ୍ତି। ଅଗଷ୍ଟ ୮ରୁ ୨୧ ତାରିଖ ମଧ୍ୟରେ ୨୬,୭୪୮ କୋଭିଡ୍‌ ନମୁନା ପରୀକ୍ଷଣ ହୋଇଛି ଏବଂ ୧୫୬୦ଟି ନମୁନା ପଜିଟିଭ୍‌ ଜଣାଯାଇଛି। ପଜିଟିଭ୍‌ ହାର ୫.୯୭ ପ୍ରତିଶତ ରହିଛି ବୋଲି ସିଏମ୍‌ସି କମିଶନର ସୂଚନା ଦେଇଛନ୍ତି।

Comments are closed.