ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି: ଦୁର୍ଗାପୂଜା ଆୟୋଜନ ଉପରେ ନିଷେଧାଦେଶ, ରାମଲୀଳାକୁ ସର୍ତମୂଳକ ଅନୁମତି

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଦୁର୍ଗାପୂଜା ଆୟୋଜନ ଉପରେ ନିଷେଧାଦେଶ ଜାରି କରିଛନ୍ତି । କୌଣସିସ୍ଥାନରେ ସାର୍ବଜନୀନ ଦୁର୍ଗାପୂଜା ହୋଇ ପାରିବ ନାହିଁ ବୋଲି ସରକାର ନିର୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ରାମଲୀଳା ନିମନ୍ତେ ସର୍ତମୂଳକ ଅନୁମତି ପ୍ରଦାନ କରାଯାଇଛି ଏବଂ ଦୁଇ ପ୍ରମୁଖ ଆୟୋଜନ ନିମନ୍ତେ ମାର୍ଗଦର୍ଶିକା ଜାରି କରାଯାଇଛି । ତେବେ ଲୋକମାନେ ନିଜ ଘରେ ଦୁର୍ଗା ପ୍ରତିମା ସ୍ଥାପନ କରି ପୂଜା କରିବାରେ କୌଣସି ବାଧା ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି ସଡ଼କରେ ବା ମଞ୍ଚରେ କୌଣସିଠାରେ ନବରାତ୍ରୀ ନେଇ ସାର୍ବଜନୀନ କାର୍ଯ୍ୟକ୍ରମ ମଧ୍ୟ ହୋଇପାରିବ ନାହିଁ ।

ଆଦେଶ ଅନୁସାରେ ଦୁର୍ଗାପୂଜା କାଳରେ କୌଣସି ଶୋଭାଯାତ୍ରା ବାହାରି ପାରିବ ନାହିଁ । କୌଣସିସ୍ଥାନରେ ମେଳା ଆୟୋଜନ ହେବ ନାହିଁ । ରାମଲୀଳା ଅତ୍ୟନ୍ତ ପ୍ରାଚୀନ ପରମ୍ପରା ହୋଇଥିବାରୁ ଏହି ପ୍ରଥାକୁ ନ ଭାଂଗିବା ପାଇଁ ରାମଲୀଳା ମଞ୍ଚନକୁ କୋହଳ ଦିଆଯାଇଛି । କୌଣସି ରାମଲୀଳା ସ୍ଥଳରେ ୧୦୦ରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି । ଏହା ସହ ସାମାଜିକ ଦୂରତ୍ଵ ସହ କରୋନା ସଂକ୍ରାନ୍ତ ନିୟମ ପାଳନକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ରାମଲୀଳାସ୍ଥଳ ସାନିଟାଇଜ କରାଯିବାକୁ ମଧ୍ୟ କୁହାଯାଇଛି ।

Comments are closed.