ପରମ୍ପରା ସହିତ ଜନସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ରଥଯାତ୍ରା ପାଳନ ହେବ : ମୁଖ୍ୟମନ୍ତ୍ରୀ

ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ରଥଯାତ୍ରା ପାଳନ ପାଇଁ ରାଜ୍ୟବାସୀଙ୍କୁ ଏକ ଭିଡିଓ ବାର୍ତ୍ତାରେ ଜରିଆରେ ବିଭିନ୍ନ ଗାଇଡ୍‍ଲାଇନ୍‍ ପାଳନ କରିବାକୁ ନିବେଦନ କରିଛନ୍ତି।

ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଳନ କରିବା ପାଇଁ ଅନୁମତି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟଙ୍କୁ  ଧନ୍ୟବାଦ ଜଣାଇଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ରଥଯାତ୍ରା ପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଠିକ୍‍ ସମୟରେ ରଥ ଅନୁକୂଳ ଓ ନିର୍ମାଣ ସରିଛି। ଠାକୁରଙ୍କର ସବୁ ରୀତିନୀତି ମଧ୍ୟ ଠିକ୍‍ ଭାବରେ ଚାଲିଛି। ସେଥିପାଇଁ ସେ ସେବାୟତ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଶାସନ ମଧ୍ୟ ସବୁ ପ୍ରସ୍ତୁତି କରିସାରିଛି। ମୁଖ୍ୟଶାସନ ସଚିବ ଅସିତ୍‍ ତ୍ରିପାଠୀ ଏବଂ ପୁଲିସ ଡିଜି ଅଭୟ ପୁରୀରେ ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି।
ବର୍ତ୍ତମାନ କୋଭିଡ୍‍-୧୯ ଯୋଗ ସାରା ବିଶ୍ୱ ଏକ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି। ଏହି ପରିସ୍ଥିତିରେ ରଥଯାତ୍ରାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅତି ସାବଧାନତାର ସହ କରିବାକୁ ହେବ। ମୋର ଆଶା ଓ ବିଶ୍ୱାସ, ରଥଯାତ୍ରା ପରିଚାଳନାରେ ଭାଗ ନେଇଥିବା ସମସ୍ତେ କୋଭିଡ୍‍ ଗାଇଡ୍‍ ଲାଇନ୍‍କୁ ନିଷ୍ଠାର ସହ ପାଳନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପରମ୍ପରା ସହିତ ଜନସ୍ୱାସ୍ଥ୍ୟ ପ୍ରତି ଉଚିତ ଧ୍ୟାନ ଦେଇ ଆମକୁ ରଥଯାତ୍ରା ପାଳନ କରିବାକୁ ହେବ। ସାରା ବିଶ୍ୱର ନଜର ଏବେ ଆମ ଉପରେ ରହିଛି। ଶୃଙ୍ଖଳା ସହିତ ସାମାଜିକ ଦୂରତା ଓ ଗାଇଡ୍‍ଲାଇନ୍‍ସକୁ ପାଳନ କରି କିପରି ଠାକୁରଙ୍କ ନୀତିକାନ୍ତି କାରାଯାଏ ତାର ନିଦର୍ଶନ ଆମକୁ ସାରା ବିଶ୍ୱକୁ ଦେଖାଇବାକୁ ହେବ ବୋଲି ସେ କହିଛନ୍ତି।
ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ଉତ୍ତମ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ତିନି ଜଣ ମନ୍ତ୍ରୀଙ୍କୁ ପୁରୀରେ କ୍ୟାମ୍ପ କରିବାପାଇଁ ସେ ନିର୍ଦେଶ ଦେଇଛନ୍ତି। ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସେମାନେ ପୁରୀରେ ରହି ରଥଯାତ୍ରା କାର୍ଯ୍ୟ ତଦାରଖ କରିବେ। ପୁରୀରେ ଜନସାଧାରଣଙ୍କୁ ବିଶେଷ ଅନୁରୋଧ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ କୋଭିଡ୍‍ ଗାଇଡ୍‍ଲାଇନ୍‍ସ ପାଳନ କରନ୍ତୁ। ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ। ସବୁରି ଉପରେ ହିଁ ମହାପ୍ରଭୁଙ୍କ ଇଚ୍ଛା। ତାଙ୍କର ଇଚ୍ଛା ପାଳନ କରିବା ପାଇଁ ଆମେ ସବୁବେଳେ ପ୍ରସ୍ତୁତ। ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.