ଭଲପଢ଼, ଆଗକୁ ବଢ଼, ଓଡ଼ିଶାର ଟେକ ରଖ : ମୁଖ୍ୟମନ୍ତ୍ରୀ

0

– ଥ୍ରୀ-ଟିର ସଫଳ ରୂପାୟନ ପାଇଁ ୩୧୪ ବ୍ଲକରେ ‘ଓସ୍ୱାନ’ଶୁଭାରମ୍ଭ 
-୩୫,୪୯୦ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି
-୩୫୪୯ଙ୍କୁ ଓଡ଼ିଆ ଭାଷା ବୃତ୍ତି
-୧୦୬୧ ଶ୍ରେଷ୍ଠ ବିଦ୍ୟାଳୟ ଓ ଅଭିଭାବକ ପୁରସ୍କୃତ
-୧୫ହଜାର ଛାତ୍ରଛାତ୍ରୀଙ୍କୁ ଲାପ୍‍ଟପ୍‍ ବଣ୍ଟନ

ଭୁବନେଶ୍ୱର :ଶିକ୍ଷା ହିଁ ସଭ୍ୟତା ବିକାଶର ମାପକାଠି। ସାମାଜିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଦିଗରେ ଓଡ଼ିଶା ଏବେ ପ୍ରଗତିଶୀଳ। ଏହି ଧାରାକୁ ବଜାୟ ରଖିବାପାଇଁ ହେଲେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବା ଆବଶ୍ୟକ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା଼ କରାଯିବା ସହିତ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀ କିଭଳି ଆଗକୁ ବଢିବେ ସେଥିଲାଗି ୨୦୧୭ ଶିଶୁଦିବସରେ ସରକାରଙ୍କ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀ, ଉତ୍ତମ ଶିକ୍ଷକ, ଅଭିଭାବକଙ୍କୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଆଜି ସରକାର ତାହା ପାଳନ କରିଛନ୍ତି। ଭଲ ପଢ଼, ଆଗକୁ ବଢ଼ ଓ ମାଟି ମା’ର ଟେକ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଭିଡ଼ିଓ କନଫରେନ୍ସିଂ ଯୋଗେ ପରାମର୍ଶ ଦେଇଛନ୍ତି।
ସୋମବାର ସଚିବାଳୟରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୩୧୪ ବ୍ଲକରେ ଭିଡ଼ିଓ କନଫରେନ୍ସି ‘ଓସ୍ୱାନ’ବ୍ୟବସ୍ଥାକୁ ଉଦ୍‍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତବର୍ଷ ଛାତ୍ରଛାତ୍ରୀଙ୍କୁ ଯେଉଁ ଉପଦେଶ ଦେଇଥିଲି ତାହା ପାଳନ କରିଥିବାରୁ ମୁଁ ଖୁସି। ଦୃଢ଼ମନା ହୋଇ ଆଗକୁ ବଢ଼, ତୁମ ବାପା-ମା’, ଗୁରୁରୀଙ୍କ ସହିତ ମୁଁ ତୁମ ସାଥୀର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ପ୍ରତ୍ୟେକ ବ୍ଲକ, ପୌରନିଗମ, ପୌରାଞ୍ଚଳ, ବିଜ୍ଞପିତ ଅଞ୍ଚଳ ପରିଷଦରେ ୩୫,୪୯୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୦୦୦ଟଙ୍କା ଲେଖାଏଁ ପ୍ରଦାନ କରିବା ସହ ପୁରସ୍କୃତ କରାଯାଇଥିଲା। ସେହିପରି ଓଡ଼ିଆ ଭାଷାରେ ଉତ୍ତମ ପ୍ରଦର୍ଶନ ପାଇଁ ୩୫୪୯ଜଣଙ୍କୁ ପୁରସ୍କୃତ କରାଯାଇଥିବାବେଳେ ୧୦୬୧ଟି ଶ୍ରେଷ୍ଠ ବିଦ୍ୟାଳୟକୁ ୧ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଯେଉଁଥିରେ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଭଲ ପ୍ରଦର୍ଶନ ରହିଛି। ଏହାବାଦ୍‍ ଗତ ମାଟ୍ରିକ ପରୀକ୍ଷାରେ ମେଧାବୀଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହିତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୫ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‍ଟପ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମେଧାବୀ ଛାତ୍ରଛାତ୍ରୀ, ଅଭିଭାବକ ଓ ଗୁରୁଜୀଙ୍କ ସହିତ ବାର୍ତ୍ତାଳପ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓସ୍ୱାନ୍‍ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି କହିଥିଲେ ଯେ ଏହାଦ୍ୱାରା ସରକାରଙ୍କ ଥ୍ରୀ-ଟି ମିଶନ ଲକ୍ଷ୍ୟ ସଫଳ ହେବ। ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଥିଲେ ଯେ ଆଜିର ଦିନଟି ଓଡ଼ିଶା ପାଇଁ ଏକ ମହାର୍ଘ୍ୟ ଦିନ। ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କାର୍ଯ୍ୟକାରୀ କରିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଥିବା ଓସ୍ୱାନ୍‍ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଅବଗତ କରାଇଥିବାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‍ଟପ୍‍ ବଣ୍ଟନ କରି ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରିଛନ୍ତି ବୋଲି କହିଥିଲେ। ଗୃହବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ସଞ୍ଚାଳନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓଡ଼ିଆ ଭାଷାର ଆଦର ପାଇଁ ଦଶମ ଶ୍ରେଣୀରେ ଓଡ଼ିଆ ଭାଷାରେ ଭଲ ନମ୍ବର ରଖିଥିବା ପିଲାମାନଙ୍କୁ ୫ହଜାର ଟଙ୍କାର ଭାଷା ବୃତ୍ତି ପୁରସ୍କାର ଦିଆଯାଇଥିବା କହିଥିଲେ। ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ୩୫,୪୯୦ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଉତ୍ତମ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ପୁରସ୍କୃତ କରାଯାଇଛି। ଏହାଦ୍ୱାରା ବିଦ୍ୟାଳୟରେ ଉତ୍ତମ ଶୈକ୍ଷିକ ବାତାବରଣ ଗଢ଼ି ଉଠିବା ସହିତ ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ଉତ୍ସାହିତ ହେବେ। ସବୁଠାରୁ ବଡ଼ କଥା ହେଲା ଯେଉଁ ଛାତ୍ରଛାତ୍ରୀ ଭଲ ନମ୍ବର ରଖିଥିଲେ ସେମାନଙ୍କ ବାପା-ମା’ଙ୍କୁ ସମ୍ମାନିତ କରାଯିବା ସହିତ ୧୦୬୧ ବିଦ୍ୟାଳୟକୁ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି। ଏବାବଦକୁ ୩୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆଗାମୀ ଦିନରେ ଏହାର ପ୍ରଭାବ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉପରେ ପଡ଼ିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଅତିରିକ୍ତ ମୁଖ୍ୟ ଶାସନସଚିବ ତୁହିନକାନ୍ତ ପାଣ୍ଡେ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଡି କେ ସିଂହ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ, ଦକ୍ଷତା କୌଶଳ ବିଭାଗ ସଚିବ ସଞ୍ଜୟ ସିଂହ, ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ବିଶ୍ୱନାଥ ପ୍ରଧାନ, ଓଏସ୍‍ଡ଼ି ଖଗେନ୍ଦ୍ରନାଥ ପାଢ଼ୀ, ଯୁଗ୍ମ ଶାସନ ସଚିବ ନିବେଦିତା ମିଶ୍ର, ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିଭୂପ୍ରସାଦ ଷଡ଼ଙ୍ଗୀ ଓ ଉପନିର୍ଦେଶକ ସତ୍ୟମୋହନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply