ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ ଉପରାଜ୍ୟପାଳ କିରଣ ବେଦୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। କେନ୍ଦ୍ର ସରକାର ଉପରାଜ୍ୟପାଳଙ୍କୁ ଏଠାରୁ ପ୍ରତ୍ୟାହାର କରିନେବାକୁ ଦାବି କରି ମୁଖ୍ୟମନ୍ତ୍ରୀ ଧାରଣାରେ ବସିଛନ୍ତି।

ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ କ୍ଷମତାରେ ଥିବା କଂଗ୍ରେସ ନେତୃତ୍ବାଧୀନ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସହଯୋଗୀ ଦଳ ଅଭିଯୋଗ କରିଛି ଯେ, ଉପରାଜ୍ୟପାଳ କିରଣ ବେଦୀ ନିର୍ବାଚିତ ସରକାରଙ୍କୁ କାମ କରାଇଦେଉ ନାହାନ୍ତି। ଦୈନନ୍ଦିର ପ୍ରଶାସନିକ ବ୍ୟବସ୍ଥାରେ ସେ ହସ୍ତକ୍ଷେପ କରୁଛନ୍ତି। ତେଣୁ ତାଙ୍କୁ ଏଠାରୁ ପ୍ରତ୍ୟାହାର କରିନେବା ଦାବିରେ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ଧାରଣାରେ ବସିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀ, ଶାସକ ଦଳର ବିଧାୟକ ଏବଂ ସହଯୋଗୀ ଦଳର କାର୍ଯ୍ୟକର୍ତ୍ତାମାନେ ଧାରଣାରେ ଅଂଶଗ୍ରହଣ କରିଛନ୍ତି। ଧାରଣାସ୍ଥଳରେ ନେତାମାନେ ପୋଷ୍ଟର, ପ୍ଲାକାର୍ଡ ଧରି କେନ୍ଦ୍ର ସରକାର ବିରୋଧରେ ନାରା ଦେଉଛନ୍ତି। ପ୍ଲାକାର୍ଡ ଓ ପୋଷ୍ଟରରେ ‘କର୍ପୋରେଟ ମୋଦୀ କୁଇଟ୍‌! କୁଇଟ୍‌!, କଲ୍‌ ବ୍ୟାକ୍‌ କିରଣ ବେଦୀ’ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ନାରାୟଣସାମୀ କହିଛନ୍ତି, ଆମେ ଏବଂ ଆମ ଦଳର କାର୍ଯ୍ୟକର୍ତ୍ତାମାନେ ଶାନ୍ତିପୂର୍ଣ୍ଣ ଭାବେ ଅତି କମ୍‌ରେ ୩ ଦିନ ଯାଏ ଏଠାରେ ଧାରଣା ଦେବୁ। ଉପରାଜ୍ୟପାଳ ସରକାରକୁ କାମ କରାଇ ଦେଉ ନାହାନ୍ତି। ପ୍ରତିଦିନ ପ୍ରଶାସନିକ କାର୍ଯ୍ୟରେ ସେ ହସ୍ତକ୍ଷେପ କରୁଛନ୍ତି।

Comments are closed.