ତିତଲି ଓ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ

0

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ତିତଲି ଓ ଏହାର ପରବର୍ତ୍ତୀ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ ଘୋଷଣା କରିଛନ୍ତି। ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଗଜପତି, ଗଞ୍ଜାମ ଓ ରାୟଗଡାର ଗୁଣୁପୁର ସବଡିଭିଜନ୍ ଅଞ୍ଚଳ ପାଇଁ  ଆସନ୍ତା ୧୫ ଦିନ ଦିନ ନିମନ୍ତେ ରିଲିଫ ଘୋଷଣା କରାଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ ସ୍ୱାଭାବିକ କରିବା ସହ ପାନୀୟ ଜଳ ସମସ୍ୟାର ଦୂର କରିବା ପାଇଁ ପଦ​‌କ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶନିବାର ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ତିନି ଜିଲ୍ଲା ଗଜପତି, ଗଞ୍ଜାମ ଓ ରାୟଗଡାର ସ୍ଥିତି ଅନୁଧ୍ୟାନ କରିଥିଲେ । ଭୁବନେଶ୍ୱର ଫେରିବା ପରେ ସେ ସମୀକ୍ଷା କରିବା ସହ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏକ ୪ ଜଣିଆ ପରିବାରକୁ ହାରାହାରି ୩୦୦୦ ଟଙ୍କାର ରିଲିଫ ଦିଆଯିବ। ପରିବାରର ବୟସ୍କଙ୍କ ପାଇଁ ମୁଣ୍ଡପିଛା ଦୈନିକ ୬୦ ଟଙ୍କା ଓ ଶିଶୁଙ୍କ ପାଇଁ ୪୫ ଟଙ୍କାର ରିଲିଫ୍ ଯୋଗାଇ ଦିଆଯିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଯାତାୟତ ସ୍ୱାଭାବିକ କରାଯିବ ଓ ୯୦ ପ୍ରତିଶତ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଠିକ୍ କରାଯିବ। ଅନ୍ୟ ୧୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ୩ ରୁ ୫ ଦିନ ମଧ୍ୟରେ ସ୍ୱାଭାବିକ କରାଯିବ। ରବିବାର ସୁଦ୍ଧା ନଳକୂପ ଗୁଡିକୁ କାର୍ଯ୍ୟକ୍ଷମ କରାଯିବ। ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ସହରାଞ୍ଚଳରେ ପାନୀୟ ଜଳ ସ୍ୱାଭାବିକ କରାଯିବା ସହ ଆବଶ୍ୟକ ସ୍ଥଳେ  ଜେନେରେଟର ବ୍ୟବସ୍ଥା କରାଯିବ। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଫସଲ ହାନୀ ଓ ଘର କ୍ଷୟ କ୍ଷତି ଆକଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଗଜପତି, ଗଞ୍ଜାମ ଓ ରାୟଗଡାର ଗୁଣୁପୁର ସବଡିଭିଜନ୍ ଅଞ୍ଚଳର ସବୁ ପରିବାରକୁ ରିଲିଫ୍ ଦିଆଯିବ।

ତେବେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ୍ ଅନ୍ତର୍ଗତ ଗଙ୍ଗାବାଡ ପଂଚାୟତ ବାରଘର ଗ୍ରାମରେ ପାହାଡ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣା ଦୁର୍ଭାଗ୍ୟଜନକ ଓ ପ୍ରାକୃତିକ ବିପର୍ଯ୍ୟୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply