ଗାନ୍ଧିମାର୍ଗରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରସ୍ଥିିତ ମହାତ୍ମାଗାନ୍ଧି ମାର୍ଗରେ ୭୨ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉଦ୍‍ବୋଧନ ଦେଇ ଆଜିଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ) ଲାଗୁ ହେଲା ବୋଲି ଘୋଷଣା କରିଛନ୍ତି। ମହାତ୍ମାଗାନ୍ଧି ମାର୍ଗରେ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରି ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଆମ ସରକାର ଚାଷୀ, ମହିଳା ଓ ଯୁବ ସମାଜର ବିକାଶକୁ ଗୁରୁତ୍ୱ ଦେଉଛି। ଚାଷୀ, ମହିଳା ଓ ଯୁବକ ହେଉଛନ୍ତି ସମାଜ ବିକାଶର ମୁଖ୍ୟ ଧାରା। ଚାଷୀଙ୍କୁ ୧% ସୁଧରେ ଋଣ ଯୋଗାଇ ଦିଆଯାଉଛି। ଆଜିଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହେଲା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାର ଉପକୃତ ହେବେ। ଉଲ୍ଲେଖ ଯେ ରାଷ୍ଟ୍ରୀୟ ବୀମା ଯୋଜନା (ଆରଏସ୍‍ବିୱାଇ) ଏବଂ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ)ରେ ପଞ୍ଜିକୃତ ୬୯ ଲକ୍ଷ ୬୯ ହଜାର ୬୭୨ ଜଣ ହିତାଧିକାରୀ ବିଏସ୍‍କେୱାଇର ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶାନ୍ତି ହିଁ ବିକାଶର ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Leave A Reply