ମୁଖ୍ୟମନ୍ତ୍ରୀଙ୍କ ଓମିକ୍ରନ୍‌ ପରାମର୍ଶ : ସତର୍କ ରୁହ ; ନିୟମ ମାନ

-ମୁଖ୍ୟ ଶାସନ ସଚିବଙ୍କ ସ୍ଥିତି ଅନୁଧ୍ୟାନ
-ଦୈନିକ ୭୦ ହଜାର ନମୁନା ପରୀକ୍ଷା
-ମୁକାବିଲା ପାଇଁ ଜିଲାପାଳଙ୍କୁ ନିର୍ଦେଶ
-ବୈଠକରେ ଟିକାକରଣକୁ ଗୁରୁତ୍ବ
-ଜାନୁଆରୀ ୧୫ ସୁଦ୍ଧା ଶତପ୍ରତିଶତ ଟିକାକରଣ

ଭୁବନେଶ୍ୱର : ରାଜ୍ୟରେ ଦୁଇ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ କରୋନା ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଜନସାଧାରଣଙ୍କ ସହଯୋଗରେ କରୋନାର ଦୁଇଟିଯାକ ଲହରକୁ ଓଡ଼ିଶା ସଫଳ ମୁକାବିଲା କରିପାରିଛି। ଏବେ କରୋନାର ନୂଆ ତଥା ଭିନ୍ନ ରୂପ ଓମିକ୍ରନ କାୟା ବିସ୍ତାର କରୁଛି। ଏ ଦୃଷ୍ଟିରୁ ଜନସାଧାରଣ ସତର୍କ ରହି କରୋନାର ନିୟମ ପାଳନ ପୂର୍ବକ ତୁଣ୍ଡି ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ ନିହାତି ଆବଶ୍ୟକ ନ ହେଲେ ଭିଡ଼କୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଲୋକସେବା ଭବନଠାରେ କରୋନା ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ସେ ଟିକାକରଣ ଉପରେ ଗୁରୁତ୍ବ ଦେଇ କହିଥିଲେ ଯେ, ଓମିକ୍ରନର ସଂକ୍ରମଣ ହାର ଅଧିକ ଏବଂ କରୋନାର ଏହି ନୂତନ ଭୂତାଣୁ ବିଷୟରେ ଦୈନିକ ନୂତନ ଅଧ୍ୟୟନ ତଥ୍ୟ ଆସୁଛି। ତେଣୁ ସୁରକ୍ଷା ପାଇଁ ୧୮ ବର୍ଷରୁ ଅଧିକ ବର୍ଷ ସମସ୍ତ ବ୍ୟକ୍ତି ତୁରନ୍ତ ଟିକା ନେବା ଜରୁରୀ।
ଜାନୁଆରୀ ୧୫ ତାରିଖ ସୁଦ୍ଧା ଶତପ୍ରତିଶତ ଟିକାକରଣ ନିମନ୍ତେ ଲକ୍ଷ୍ୟଭେଦୀ ଗ୍ରାମୱାରୀ କାର୍ଯ୍ୟକ୍ରମ କରିବାକୁ ସମସ୍ତ ଜିଲାପାଳ, ସ୍ବାସ୍ଥ୍ୟ ଅଧିକାରୀ, ଟିକାକରଣ ଦଳ ତଥା ବ୍ଲକ ଓ ପଞ୍ଚାୟତ ଅଧିକାରୀଙ୍କୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି। ଏହାଛଡା ପୃଥିବୀର ବିଭିନ୍ନ ଦେଶ ତଥା ଭାରତର ବିଭିନ୍ନ ରାଜ୍ୟରେ ଓମିକ୍ରନ ବଢୁଥିବା ଯୋଗୁଁ ସମସ୍ତ ସରକାରୀ ଚିକିତ୍ସାଳୟରେ ଅମ୍ଳଜାନ ସ୍ଥଳି, ଶଯ୍ୟା, ଆଇ.ସି.ୟୁ., ଭେଣ୍ଟିଲେଟର ଓ ଆନୁସଙ୍ଗିକ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ଘରୋଇ ଚିକିତ୍ସାଳୟ ସହ ଯୋଗାଯୋଗ କରି ଯେକୌଣସି ସମୟରେ ସେମାନଙ୍କର ସହଯୋଗ ନିଆଯିବ ଏବଂ ସେଥିପାଇଁ ସେମାନେ ପ୍ରସ୍ତୁତ ରହିବା ଦରକାର ବୋଲି ଆଗୁଆ ଜଣାଇ ଦେବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ଚିକିତ୍ସାଳୟ ଗୁଡିକରେ ଥିବା ଅମ୍ଳଜାନ କେନ୍ଦ୍ରଗୁଡ଼ିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ ମଧ୍ୟ ନିର୍ଦେଶ ଦେଇଥିଲେ। ଲୋକସେବା ଭବନରୁ ଆଭାସି ମାଧ୍ୟମରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା କରୋନା ସ୍ଥିତି ବିଷୟ ଉପସ୍ଥାପନ କରିବା ସହ ବ୍ୟାପକ କରୋନା ପରୀକ୍ଷା, ସଚେତନତା ଏବଂ ପ୍ରବର୍ତ୍ତନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବାରୋପ କରିଥିଲେ। ସମଗ୍ର ରାଜ୍ୟରେ ଦୈନିକ କରୋନା ନମୁନା ପରୀକ୍ଷାକୁ ୭୦,୦୦୦ ପର୍ଯ୍ୟନ୍ତ ବଢ଼ାଇବାକୁ ଶ୍ରୀ ଶର୍ମା କହିଥିଲେ। ସେହି ଅନୁସାରେ ବିଭିନ୍ନ ଜିଲା ପାଇଁ ଦୈନିକ ନମୁନା ପରୀକ୍ଷା ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ବହୁ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ବୁଲାବିକାଳୀ, ଦ୍ବାରଦେଶ ଯୋଗାଣକାରୀ (ଡେଲିଭରି ମ୍ୟାନ୍), ଦୋକାନୀ, ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ, ବିବାହ ଓ ‌ଅ‌େ‌ନ୍ତ୍ୟଷ୍ଟି କ୍ରିୟା ଆଦି କର୍ମରେ ଯୋଗଦେଉଥିବା ଲୋକମାନଙ୍କର ନମୁନା ପରୀକ୍ଷା କରାଇବାପାଇଁ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ବିବାହ, ବ୍ରତ ଓ ଅ‌‌େ‌ନ୍ତ୍ୟଷ୍ଟିକ୍ରିୟା ଆଦିରେ ଅଂଶଗ୍ରହଣ ନିମନ୍ତେ ନିର୍ଦ୍ଧାରିତ ସଂଖ୍ୟାର ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମଧ୍ୟ ଜିଲାପାଳ ଓ ପୁଲିସ୍ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ବଜାର, ଶିଳ୍ପାଞ୍ଚଳ, ବସ୍‌ଷ୍ଟାଣ୍ଡ ଏବଂ ଭିଡ଼ ସ୍ଥାନମାନଙ୍କରେ ପ୍ରତୀକାତ୍ମକ ନମୁନା ପରୀକ୍ଷା ପାଇଁ ନିର୍ଦେଶ ଦିଆଯାଇଥିଲା । ପ୍ରତି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଜେନ୍ ପରୀକ୍ଷା ସୁବିଧା ସହ ଆରଟିପିସିଆର ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ବାହାର ରାଜ୍ୟରୁ ବହୁ ଲୋକ ଓଡ଼ିଶାକୁ ଫେରିବାର ସମ୍ଭାବନା ଥିବାରୁ ପ୍ରତି ଜିଲାରେ ଆବଶ୍ୟକ ସଂଖ୍ୟକ ଏକାନ୍ତବାସ କେନ୍ଦ୍ର ଚିହ୍ନଟ କରିବାକୁ ମଧ୍ୟ ଜିଲାପାଳମାନଙ୍କୁ କୁହାଯାଇଥିଲା।
ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୯.୮ ପ୍ରତିଶତ ସ୍ବାସ୍ଥ୍ୟସେବା କର୍ମୀ ଏବଂ ଆଗଧାଡ଼ିର କର୍ମୀମାନେ ଟିକା ନେଇସାରିଛନ୍ତି । ୧୮ ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୮୮.୨ ପ୍ରତିଶତ ପ୍ରଥମ ପାନ ଏବଂ ତାହାର ୮୬ ପ୍ରତିଶତ ୨ୟ ପାନ ନେଇସାରିଛନ୍ତି। ବାକି ରହିଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଘରକୁ ଘର ଚିହ୍ନଟ ଏବଂ ଗ୍ରାମକୁ ଗ୍ରାମ ଟିକାକରଣ ଅଭିଯାନକୁ ଅଧିକ ସଘନ କରାଯାଇଛି। ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କର ଆରଟିପିସିଆର ପରୀକ୍ଷା, ୭ଦିନ ଏକାନ୍ତବାସ, ପୁନଶ୍ଚ ଆରଟିପିସିଆର ପରୀକ୍ଷା‌ ଉପରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା । ବିଦେଶାଗତ ଲୋକମାନଙ୍କର ପ୍ରଥମ ପରୀକ୍ଷାରେ ନେଗେଟିଭ୍ ଫଳାଫଳ ହେଲେବି ୭ ଦିନ ଏକାନ୍ତବାସ ଏବଂ ୭ ଦିନ ଶେଷରେ ୮ମ ଦିନ ପୁନଶ୍ଚ ପରୀକ୍ଷା କରାଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ତଥା ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଓଡ଼ିଶା ଭେଷଜ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡଙ୍ଗୀଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ବିଶେଷଜ୍ଞମାନେ ବୈଠକରେ ଉପସ୍ଥିତ ଥିଲେ। ଜିଲାପାଳମାନେ ଆଭାସିରେ ଜିଲାର ସଦ୍ୟତମ ସ୍ଥିତି, ଟିକାକରଣ ଏବଂ କରୋନା ପରିଚାଳନା ସମ୍ବନ୍ଧିତ ପ୍ରସ୍ତୁତି ବିଷୟ ଜଣାଇଥିଲେ।

Comments are closed.