ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର: ମୁଖ୍ୟମନ୍ତ୍ରୀ

ପଚାଶ ହଜାର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା ୧୦୧ କୋଟି ଟଙ୍କାର ବୃତ୍ତି: ୩ ଆକାଂକ୍ଷା ହଷ୍ଟେଲ ଓ ୬୮ ଛତ୍ରାବାସର ଉଦଘାଟନ

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ ୫-ଟି କାର୍ୟ୍ୟକ୍ରମ ଅଧୀନରେ ଅନୁସୂଚିତ ଜନଜାତି , ଜାତି ବିକାଶ ବିଭାଗର ଅନେକ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିରେ ୩ଟି ଆକାଂକ୍ଷା ହଷ୍ଟେଲ ଓ ୬୮ ଟି ଅନ୍ୟ ଛତ୍ରାବାସ ଉଦଘାଟନ, ହଷ୍ଟେଲରେ ରହୁଥିବା ୫.୭୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମୋ ଛାତ୍ରାବାସ କାର୍ଡ , ୫୦ ହଜାର ଛାତ୍ରଛାତ୍ରୀଙ୍କୁ ବୃତ୍ତି , ମାତୃଭାଷା ଭିତ୍ତିକ ଶିକ୍ଷାଦାନ ସଂହତି କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହିସବୁ କାର୍ୟ୍ୟକ୍ରମ ଗୁଡିକ ବିଭାଗର କାର୍ୟ୍ୟକ୍ରମ ରେ ଅଧିକ ଦକ୍ଷତା ଓ ସ୍ବଚ୍ଛତା ଆଣିବାରେ ସହାୟକ ହେବ। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ ଯେ ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର। ଜନଜାତି ଭାଇଭଉଣୀ ମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଉପରେ ସେ ସବୁବେଳେ ଗୁରତ୍ବ ଦେଇ ଆସିଛନ୍ତି ବୋଲି ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଜନଜାତି ପିଲାମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ଦେଖାଇ ପାରିଛନ୍ତି। ପ୍ରାଥମିକ ଶିକ୍ଷା ପାଇଁ ମାତୃଭାଷା ସବୁଠାରୁ ଉତ୍ତମ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମାତୃଭାଷା ଜରିଆରେ ହିଁ ପିଲାମାନେ ସହଜରେ ଶିକ୍ଷା ଗ୍ରହଣ କରିପାରନ୍ତି।
ଆଜି ଆରମ୍ଭ ହେଉଥିବା ସଂହତି କାର୍ୟ୍ୟକ୍ରମ ଦ୍ବାର ଦେଢଲକ୍ଷ ପିଲା ସୁବିଧାରେ ପାଠ ପଢି ପାରିବେ। ସେହିପରି ହଷ୍ଟେଲ ରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମୋ ଛାତ୍ରାବାସ କାର୍ଡ, ଓଡ଼ିଶା ଷ୍ଟେଟ୍‌ ସ୍କଲାରସିପ୍‌ ପୋର୍ଟାଲ୍‌ରେ ପୋଷ୍ଟ ମାଟ୍ରିକ୍‌ ସ୍କଲାର୍‌ସିପ୍ ସି ଧା ସଳଖ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି। ଏହି ଦୁଇଟି ଯୋଜନାରେ ଛଅ ଲକ୍ଷରୁ ଅଧିକ ପିଲା ଉପକାର ପାଇବେ ବୋଲି ସେ କହିଥିଲେ।


ସୂଚନାଯୋଗ୍ୟ ଯେ ପ୍ରାଥମିକ ସ୍ତରରେ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ସଂହତି କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ୧.୫ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ସେହିପରି ହଷ୍ଟେଲ ମାନଙ୍କରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ମୋ ଛତ୍ରାବାସ କାର୍ଡ ବ୍ୟବସ୍ଥା ଆରମ୍ଭ କର ଯାଇଛି। ଏହା ଦ୍ଵାରା ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥିବା ୬୭୦୦ ହଷ୍ଟେଲର ୫.୭୫ ଲକ୍ଷ ଛାତ୍ରଛାତ୍ରୀ ଉପକାର ପାଇବେ। ସେହିପରି ଓଡ଼ିଶା ଷ୍ଟେସ୍‌ ସ୍କଲାରସିପ୍‌ ପୋର୍ଟାଲ୍‌ ଜରିଆରେ ୫୦ ହଜାର ଛାତ୍ରଛାତ୍ରୀଙ୍କୁ ୧୦୧ କୋଟି ଟଙ୍କା ପରିମାଣର ବୃତ୍ତି ପିଲାମାନଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ସିଧାସଳଖ ପ୍ରଦାନ କରାଯାଇଛି। ଅନୁସୂଚିତ ଜନଜାତି , ଜାତି ପିଲା ମାନଙ୍କୁ ସହରର ଭଲ ସ୍କୁଲରେ ଶିକ୍ଷା ଦେବାପାଇଁ ଆକାଂକ୍ଷା ଯୋଜନା ଚାଲୁଅଛି। ଏହି ଯୋଜନାରେ ଆଜି ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ରେ ୩ ଟି ଆକାଂକ୍ଷା ହଷ୍ଟେଲ ଉଦଘାଟନ କରିଥିଲେ। ଏହାସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ୬୮ଟି ଛତ୍ରାବାସ ଲୋକାର୍ପିତ କରିଥିଲେ। ଏହି ଛାତ୍ରାବାସଗୁଡିକ ପାଇଁ ୧୫୦ କୋଟି ଟଙ୍କା ବିନିଯୋଗ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ପିଲାମାନଙ୍କ ଦକ୍ଷତା ବିକାଶ ଆମର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ପ୍ରୟାସ ଯୋଜନାରେ ୭୫୦ ରୁ ଅଧିକ ଏସ୍‌ଟି, ଏସ୍‌ସି ଓ ଓବିସି ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ୟ୍ୟକ୍ରମ ଆରମ୍ଭ କରିଥିଲେ। ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି କାର୍ୟ୍ୟକ୍ରମ କରାଯାଉଛି। ଆପଦଗ୍ରସ୍ଥ ଜନଜାତିଙ୍କ ପାଇଁ ଆଜି ଆରମ୍ଭ ହୋଇଥିବା ପୁଷ୍ଟି କାର୍ୟ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ହେଉଛି ରାଜ୍ୟ ସରକାରଙ୍କ ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟକ୍ରମ। ଏହି କାର୍ୟ୍ୟକ୍ରମରେ ଅଜିମ୍‌ ପ୍ରେମ୍‌ଜି ଫିଲାନ୍‌ଥ୍ରୋପିକ୍‌ ଇନିସିଏଟିଭ୍‌ର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ଏହି କାର୍ୟ୍ୟକ୍ରମ ଦ୍ଵାରା ଆମର ୩୫୦୦ ପିଭିଟିଜି ଚାଷୀ, ୨୩ ହଜାର ଶିଶୁ ଏବଂ ୨୫ ହଜାର ମା ଉପକାର ପାଇବେ।

ଏହି କାର୍ୟ୍ୟକ୍ରମ ରାଜ୍ୟର ୧୧୩୮ ଟି ପିଭିଟିଜି ଗ୍ରାମରେ କାର୍ୟ୍ୟକାରୀ ହେବ। ଏହି କାର୍ୟ୍ୟକ୍ରମ ଗୁଡିକ ଦ୍ଵାରା ଆମର ଜନଜାତି , ଜାତି ପିଲାମାନେ ଆଗକୁ ବଢିବା ସହିତ ସେମାନଙ୍କର ପ୍ରକୃତ ସଶକ୍ତିକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକାଶ କରିଥିଲେ। ଏହି କାର୍ୟ୍ୟକ୍ରମ ରେ ସମ୍ବଲପୁରରୁ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଆଜିର କାର୍ୟ୍ୟକ୍ରମ ଦ୍ବାରା ଜନଜାତି, ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନେ ଆଗକୁ ବଢିବା ସହିତ ଓଡିଶାର ବିକାଶରେ ଯୋଗଦାନ ରଖିପାରିବେ ବୋଲି କହିଥିଲେ। ସେହିପରି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ରାଉରକେଲା ବିଧାୟକ ସାରଦା ନାୟକ ମଧ୍ୟ ଭିଡିଓ କନଫରେନସିଙ୍ଗ ଜରିଆରେ ଯୋଗ ଦେଇ ଅଭିଭାଷଣ ରଖିଥିଲେ। ଆପଦଗ୍ରସ୍ଥ ଜନଜାତିଙ୍କ ବିକାଶ ନିମନ୍ତେ ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। ନବରଙ୍ଗପୁର ଓ କେଉଁଝରର ଦୁଇଜଣ ବୃତ୍ତି ପାଇଥିବା ଛାତ୍ରଛାତ୍ରୀ ଭିଡିଓ କନଫରେନସିଙ୍ଗ ଜରିଆରେ ନିଜର ମତାମତ ରଖି ଏହାଦ୍ବାରା ସେମାନଙ୍କର ଉଚ୍ଚଶିକ୍ଷା ରେ ସୁବିଧା ହେବ ବୋଲି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି କେ ପାଣ୍ଡିଆନ କାର୍ୟ୍ୟକ୍ରମ ସଂଚାଳନ କରିଥିଲେ। ବିଭାଗୀୟ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଉଚ୍ଚ ପଦସ୍ଥ ଅଫଧିକାରୀ ମାନେ ଯୋଗ ଦେଇଥିଲେ।

Comments are closed.