ରାଜ୍ୟର ଦୀର୍ଘତମ ଟି-ସେତୁର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

୩.୪ କିଲୋମିଟର ଦୀର୍ଘ ଏହି ଟି - ଆକାରର ସେତୁ ପାଇଁ ବିନିଯୋଗ ହୋଇଛି ୧୧୧ କୋଟି ଟଙ୍କା

କଟକ : ମହାନଦୀ ଉପରେ ରାଜ୍ୟର ସବୁଠୁ ଦୀର୍ଘତମ ‘ଟି ସେତୁ’ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି। ୧୧୧ କୋଟି ଟଙ୍କା ବେୟରେ ଏହି ସେତୁ ନିର୍ମାଣ ହୋଇଛି । ଗୋପିନାଥପୁର – ସିଂହନାଥ ପୀଠ- ବୈଦେଶ୍ୱରକୁ ଏହି ସେତୁ ସଂଯୋଗ କରୁଛି। ସେତୁ ଯୋଗୁଁ ୪୫ କିମି ଦୂରତ୍ୱ କମିବ। ଏହାସହ ଏଥିରେ ୫ ଲକ୍ଷ ଲୋକେ ଉପକୃତ ହେବେ।
୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ ‘ଟି’ ଅକ୍ଷରୁ ସଦୃଶ । ଏହା ରାଜ୍ୟର ପ୍ରଥମ ‘ଟି’ ସେତୁ । ଏହା ସେ ଅଂଚଳବାସୀଙ୍କର ଦୀର୍ଘ ଦିନର ଦାବୀ ଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ବହୁ ଆକାକ୍ଷିତ ସେତୁର ଉଦ୍ ଘାଟନ ସେ ଅଞ୍ଚଳର ଜନତାଙ୍କ ମଧ୍ୟ ରେ ବିପୁଳ ଉତ୍ସାହ ସୃଷ୍ଟି କରିଛି । ସେତୁ ଉଦ୍ ଘାଟନ ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣ ଙ୍କୁ ଆପଣମାନେ ଖୁସି ତ ବୋଲି ପଚାରିଥିଲେ । ଏବଂ ଜନତା ଆନନ୍ଦ ପ୍ରକାଶ ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଡମ୍ବା ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର ଓ ବାଙ୍କୀ ବିଧାୟକ ଶ୍ରୀ ଦେବୀ ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟ କଟକ ଜିଲା ବଡ଼ମ୍ବା, ନରସିଂହପୁରରୁ ବାଙ୍କୀ ଓ ଖୋର୍ଦ୍ଧାକୁ ଗମନାଗମନରେ ସୁଗମ ପାଇଁ ସେତୁ ଲୋକାର୍ପଣ ହେବା ପରେ ଦୁଇ ଜିଲାର ଲକ୍ଷାଧିକ ଲୋକଙ୍କ ଗମନାଗମନର ସୁବିଧା ହେବା ସାଙ୍ଗକୁ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୪ ଫେବ୍ରୁଆରୀ ୨୮ ତାରିଖରେ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୩ହଜାର ୧୦୦ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ଲାଗି ୧୧୧ କୋଟି ଟଙ୍କା ବିନିଯୋଗ ହୋଇଛି ।
ପ୍ରତିବର୍ଷ ବଡ଼ମ୍ବା ବ୍ଲକ ଗୋପୀନାଥପୁରରେ ବାବା ସିଂହନାଥଙ୍କ ପ୍ରସିଦ୍ଧ ବାଲି ମକର ଯାତ୍ରା ପାଇଁ ମହାନଦୀରେ ୩ କିଲୋମିଟର ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ହେଉଥିଲା । ଏଥିପାଇଁ ୧୪ରୁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ପରେ ବର୍ଷା ଦିନେ ମାଟି ରାସ୍ତାଟି ଭାସି ଯାଉଥିଲା । ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଦାବି ହୋଇ ଆସୁଥିବାବେଳେ ଆଜି ତାହା ସାକାର ହୋଇଛି ।

Comments are closed.