ଲୋୟର ଇନ୍ଦ୍ର ପ୍ରକଳ୍ପ ସାରା ରାଜ୍ୟ ପାଇଁ ଗୁରୁତ୍ୱ – ମୁଖ୍ୟମନ୍ତ୍ରୀ

ଆସନ୍ତା ବର୍ଷ ସୁଦ୍ଧା ନୂଆପଡାର ସବୁ ପରିବାରକୁ ଶତ ପ୍ରତିଶତ ପାଇପ ପାଣି ଯୋଗାଇ ଦିଆଯିବ। ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ଓ ଗୋଟିଏ ବୃହତ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ନୂଆପଡା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋଅର ଇନ୍ଦ୍ର ପ୍ରକଳ୍ପ ସ୍ଥଳରେ ଏକ ସାଇନ୍ସ ପାର୍କ ଓ ସଂଗ୍ରହାଳୟ ହେବ ଯାହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ବଢିବ ଓ ଜଳ ସଂରକ୍ଷଣ ପାଇଁ ସଚେତନତା ମଧ୍ୟ ସୃଷ୍ଟି ହେବ।

ଏକ ସାଧାରଣ ସଭାରେ ଉଦବୋଧନ ଦେବା ଅବସରରେ ସେ କହିଛନ୍ତି, ନୂଆପଡାର ପାଣିରେ ଫ୍ଲୋରାଇଡ ରହିଛି ଏବଂ ଏହା ଜିଲ୍ଲାବାସୀଙ୍କ ପାଇଁ ବଡ ସମସ୍ୟା। ଭଲ ପିଇବା ପାଣି ପାଇଁ ମା’ମାନଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଥିଲା। ଏଥିପାଇଁ ମୋତେ ବହୁତ ଦୁଃଖ ଲାଗୁଥିଲା। ଆଜି ନୂଆପଡାର ୫୫ ପ୍ରତିଶତ ଘରକୁ ଆମେ ପାଇପ ପାଣି ଦେଇ ପାରିଛୁ। ଏକ ହଜାରରୁ ଅଧିକ ଫ୍ଲରାଇଡ ରିମୁଭାଲ ପ୍ଲାଂଟ ସ୍ଥାପନ କରାଯାଇଛି। ୯୦୦ରୁ ଅଧିକ ଗାଁକୁ ଫ୍ଲୋରାଇଡ ସମସ୍ୟାରୁ ଶତ ପ୍ରତିଶତ ମୁକ୍ତ କରାଯାଇ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। କେବଳ ସେତିକି ନୁହେଁ ନୂଆପଡାର ଏକ ଲକ୍ଷ ପରିବାରକୁ ପାଇପ ପାଣିର ସୁବିଧା ମଧ୍ୟ ଦିଆ ଯାଇଛି ବୋଲି ସେ କହିଛନ୍ତି।

ଲୋଅର ଇନ୍ଦ୍ର ପ୍ରକଳ୍ପ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ସାରା ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଏ ପ୍ରକଳ୍ପ ପାଇଁ ଜମି ଦେଇଥିବା ସବୁ ଲୋକଙ୍କ ତ୍ୟାଗ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ରକଳ୍ପ ଯୋଗୁ ନୂଆପଡାର କୋମନା, ଖଡିଆଳ ଓ ବଲାଙ୍ଗିରର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକର ୨ ଶହଟି ଗାଁର ୧ଲକ୍ଷ ୮୦ ହଜାର ଲୋକ ଉପକାର ପାଇବେ ବୋଲି ସେ କହିଛନ୍ତି।

 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂଆପଡାରେ ୨୨୦ କୋଟି ଟଙ୍କାର ମେଗା ଜଳସେଚନ ପ୍ରକଳ୍ପ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ। ଏହାଦ୍ୱାରା କୋମନା, ନୂଆପଡା, ସିନାପାଲୀ ଓ ବୋଡେନ ଅଞ୍ଚଳର ୧୮ହଜାର ଏକରରୁ ଅଧିକ ଜମି ଜଳସେଚିତ ହୋଇପାରିବ। ଲୋୱର ଇନ୍ଦ୍ର ପ୍ରଜେକ୍ଟ ଅଂଡରଗ୍ରାଉଣ୍ଡ ପାଇପଲାଇନ ଟେକ୍ନୋଲଜୀରେ ହୋଇଛି। ତେଣୁ ଏହି ପ୍ରକଳ୍ପରୁ ଆଉ ୭୫୦୦ ଏକର ଜମିକୁ ପାଣି ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ନୂଆପଡା ଥିଲା ଚିର ମରୁଡି ଅଞ୍ଚଳ। ଆଜି ଏଠାରେ ନୂଆ ସବୁଜିମା ସୃଷ୍ଟି ହେଉଛି।। ଆଜି ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି। ବିକାଶର ଏ ଯାତ୍ରାରେ ଆପଣମାନଙ୍କ ଅବଦାନ ରହିଛି। ନୂଆପଡାରେ ଜଳସେଚନ ସୁବିଧା ବଢିଛି। ନୂଆପଡାରେ ଜଳସେଚନ ସୁବିଧା ୫୪ ପ୍ରତିଶତ ବଢିଛି ଜିଲ୍ଲା ଦେଢ ଲକ୍ଷ ଏକର ଜମିକୁ ଆଜି ପାଣି ସୁବିଧା ମିଳିଛି। ଧାନ ଉତ୍ପାଦନ ବଢିଛି। କପା ଚାଷ, ମକା ଚାଷ ମଧ୍ୟ ବଢିଛି।

ସେ କହିଛନ୍ତି ଯେ ଓଡିଶା ଆଜି କ୍ରୀଡା କ୍ଷେତ୍ରରେ ବହୁତ ଆଗକୁ ଯାଇଛି। ରାଜ୍ୟରେ ଖେଳ ଗତିବିଧି ସହିତ ନୂଆପଡା ଯୋଡି ହେବ। ସେହିପରି ନୂଆପଡା ଓ ଖଡିଆଳ ଏ ଦୁଇ ଜାଗାରେ ଦୁଇଟି ଇଣ୍ଡୋର ଷ୍ଟାଡିୟମ କରାଯିବ। ଖଡିଆଳ ଅଟୋନମସ କଲେଜରେ ଖେଳ ଫେସିଲିଟି ର ବିକାଶ କରାଯିବ। ଏହା ଜିଲ୍ଲାର ଖେଳ ଭିତ୍ତିଭୂମିକୁ ମଜଭୁତ କରିବ ଓ ଯୁବକ ଯୁବତୀମାନଙ୍କ ପ୍ରତିଭାର ବିକାଶରେ ସହାୟକ ହେବ।

ସେ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମରେ ନୂଆପଡାର ବହୁତ ବଡ ଭୂମିକା ଥିଲା। ବିଶେଷ କରି ଆମର ମା ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ବ୍ରିଟିଶ ଶାସନର ଅନ୍ୟାୟ ବିରୁଦ୍ଧରେ ସେମାନଙ୍କ ସଂଗ୍ରାମର ତୁଳନା ନାହିଁ।ନୂଆପଡା ଭେଲା ଗାଁ ର ମା ମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କୁ ପ୍ରେରଣା ଦେଉଛି। ଏହି ଅବସରରେ ସେହି ସଂଗ୍ରାମୀ ମା ମାନଙ୍କୁ ମୋର ପ୍ରଣାମ ଜଣାଉଛି। ଆପଣ ଜାଣନ୍ତି ୨୦୨୨ ରେ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ। ଭେଲାର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର ମେମୋରିଆଲ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁବାବୁଙ୍କର ସେଦିନର ସାନ ପିଲା ‘ନୂଆପଡା’ ଆଜି ବଡ ହୋଇଛି। ସଶକ୍ତ ହୋଇଛି। ସବୁଜ ହୋଇଛି। ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଥିପାଇଁ ମୁଁ ବହୁତ ଖୁସି। ନୂଆପଡାରେ ବିକାଶର ଏ ଧାରା ଆହୁରି ଆଗକୁ ବଢିବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.