ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତର ଯୋଗ୍ୟତମ ସନ୍ତାନ ଭାବେ ଅଭିହିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୀବନର ପ୍ରତ୍ୟେକ ସ୍ତର ପାଇଁ ସ୍ବର୍ଗତ ମୁଖାର୍ଜୀ ସମସ୍ତ ପ୍ରସଙ୍ଗରେ ଅଗାଧ ପାଣ୍ଡିତ୍ୟ ହାସଲ କରିଥିଲେ। ସମସ୍ତଙ୍କ ମଧ୍ୟରେ ସମାନତା ରକ୍ଷା କରି କିଭଳି ଉତ୍ତମ ବ୍ୟବହାର କରାଯାଇପାରିବ ତାହା ତାଙ୍କର ଜୀବନ ଶୈଳୀରେ ପରିଲକ୍ଷିତ ହୋଇଥିଲା। ସେ ଜଣେ ବିଶିଷ୍ଟ ରାଜନୈତିଜ୍ଞ ଥିଲେ ଏବଂ ତାଙ୍କୁ ଦଳମତ ନିର୍ବିଶେଷରେ ସମସ୍ତେ ଭଲ ପାଉଥିଲେ। ଜାତୀୟ ପ୍ରସଙ୍ଗରେ ତାଙ୍କର ପାରଦର୍ଶିତା ପାଇଁ ସେ ଚିର ଅମର ରହିବେ। ସ୍ବର୍ଗତ ମୁଖାର୍ଜୀଙ୍କ ଶୋକ ସନ୍ତପ୍ତ ପରିବାରବର୍ଗ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

Comments are closed.