ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପ୍ୟାକେଜ

ଭୁବନେଶ୍ୱର: କରୋନା ମହାମାରୀରେ କ୍ଷତିଗ୍ରସ୍ଥ ହୋଇଥିବା ଗ୍ରାମାଞ୍ଚଳ ଜୀବନ ଜୀବିକାର ବିକାଶ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ-୧୯ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ଅତିଗରିବ ପରିବାରମାନଙ୍କ ଜୀବିକା ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଇତ୍ୟାଦି ଏହି ଦିଗରେ କାର୍ଯ୍ୟ କରିବେ। ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ଅତିଗରିବ ପରିବାର ତଥା ପ୍ରବାସୀ ଫେରନ୍ତାଙ୍କ ଜୀବିକା ବିକାଶ କରିବା ନିମନ୍ତେ ନିମ୍ନୋକ୍ତ ଚାରୋଟି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜର ବ୍ୟବସ୍ଥା କରାଯାଇଛି।

୬୦ ଲକ୍ଷରୁ ଉର୍ଦ୍ଧ୍ବ ଗ୍ରାମୀଣ ପରିବାରଙ୍କୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରି ରାଜ୍ୟ ଏକ ଶକ୍ତିଶାଳୀ ନେଟୱର୍କ ସୃଷ୍ଟି କରିଛି। ଏହି ନେଟୱାର୍କର ସହାୟତାରେ ଏହି ସ୍ୱତନ୍ତ୍ର ପ୍ୟାକେଜର କାର୍ଯ୍ୟକାରିତା ତଥା ପରିଚାଳନାକୁ ତ୍ବରାନ୍ବିତ କରାଯାଇପାରିବ। କୋଭିଡ-୧୯ ଦ୍ବାରା କ୍ଷତିଗ୍ରସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟା ସେମାନଙ୍କ ପରିବାରର ଉଦ୍ୟୋଗ ଗୁଡିକୁ ଏହି ପ୍ୟାକେଜ ମାଧ୍ୟମରେ ପୁନଃ-କାର୍ଯ୍ୟକ୍ଷମ କରାଯାଇପାରିବ। ଏହା ଦ୍ଵାରା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପରିଚାଳିତ ଉଦ୍ୟୋଗର ବିକାଶ ହେବା ସହିତ ଏହା ପ୍ରବାସୀ ଫେରନ୍ତାଙ୍କ ଦକ୍ଷତା ମୁତାବକ ସେମାନଙ୍କ ନିମନ୍ତେ ଉଦ୍ୟୋଗ ସ୍ଥାପନ କରିବାରେ ମଧ୍ୟ ସହାୟକ ହେବ। ଏହି ପ୍ୟାକେଜ କରୋନା ମହାମାରୀ ସମୟରେ ରାଜ୍ୟର ଗରିବ ଓ ଅତିଗରିବ ପରିବାର ଏବଂ ପ୍ରବାସୀ ଫେରନ୍ତାଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ଏହା ଦ୍ୱାରା ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀ ଫେରନ୍ତା, କୃଷି ଏବଂ ଅଣ କୃଷିକ୍ଷେତ୍ରରେ କାର୍ୟ୍ୟ କରୁଥିବା ଉତ୍ପାଦକ ତଥା ଉଦ୍ୟୋଗଗୋଷ୍ଠୀମାନେ ଏହା ଦ୍ୱାରା ଉପକୃତ ହୋଇପାରିବେ ଯାହାକି ରାଜ୍ୟର ଆର୍ଥିକସ୍ଥିତିକୁ ସୁଦୃଢ଼ କରିପାରିବ।

ପ୍ୟାକେଜ-୧: ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ୫୦,୦୦୦ଟଙ୍କା ପର୍ୟ୍ୟନ୍ତ ଏକକାଳୀନ ଋଣ ପ୍ରଦାନ କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ପରିବାରର ସଦସ୍ୟ କୃଷି ଏବଂ ଅଣ କୃଷି ଉଦ୍ୟୋଗର ବିକାଶ ନିମନ୍ତେ ଏହି ଋଣ ନେଇ ପାରିବେ।

ପ୍ୟାକେଜ-୨: କୃଷି ଏବଂ ଅଣ କୃଷିକ୍ଷେତ୍ରରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ନେଇ ଗଠିତ ଉଦ୍ୟୋଗ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ଏକକାଳୀନ ୧,୫୦,୦୦୦ଟଙ୍କା ପର୍ୟ୍ୟନ୍ତ ଋଣ ପ୍ରଦାନ କରାଯିବ। ୬ମାସରୁ ଊର୍ଧ୍ୱ ଉଦ୍ୟୋଗ ଗୋଷ୍ଠୀ ଏବଂ ଏକ ବର୍ଷରୁ ଊର୍ଧ୍ୱ ଉତ୍ପାଦକ ଗୋଷ୍ଠୀ ଏହି ଋଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।

ପ୍ୟାକେଜ-୩: ଅତିଗରିବ କିମ୍ବା ଅସହାୟ ପରିବାର ଯଥା ଦିବ୍ୟାଙ୍ଗ, ଆଦିମ ଜନଜାତି, ବିଧବା, ତୃତୀୟଲିଙ୍ଗୀ, ନିରାଶ୍ରୟ, ମହିଳା ମୁଖ୍ୟ ଥିବା ପରିବାର ଇଦ୍ୟାଦିଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ତଥା ଜୀବିକାର ଉନ୍ନତି ନିମନ୍ତେ ୨୦,୦୦୦ଟଙ୍କା ପର୍ୟ୍ୟନ୍ତ ଋଣ ପ୍ରଦାନ କରାଯିବ।

ପ୍ୟାକେଜ-୪: କୋଭିଡ-୧୯ ମହାମାରୀ ସମୟରେ ରାଜ୍ୟକୁ ଫେରିଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀ ଫେରନ୍ତାଙ୍କ ଦ୍ୱାରା ଉଭୟ ପୁରୁଣା ଉଦ୍ୟୋଗର ବିକାଶ ତଥା ନୂତନ ଉଦ୍ୟୋଗର ଆରମ୍ଭ ନିମନ୍ତେ ୧,୦୦,୦୦୦ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗୋଷ୍ଠୀ ଭିତ୍ତିକ ସଂସ୍ଥା ଯଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ ଉଦ୍ୟୋଗ ତଥା ଉତ୍ପାଦକ ଗୋଷ୍ଠୀ ଏହି ପ୍ୟାକେଜକୁ କାର୍ୟ୍ୟକାରୀ କରିବା ନିମନ୍ତେ ସହାୟତା ପ୍ରଦାନ କରିବେ। ଏହି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣାର ୬ମାସ ପର୍ୟ୍ୟନ୍ତ ବୈଧ ରହିବ। ଏହି ବାବଦରେ ଆଞ୍ଚଳିକ ମଞ୍ଚ, ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ପାଖରେ ମହଜୁଦ ଥିବା ବଳକା ଅର୍ଥ ରାଶି ଆନୁମାନିକ ୨୦୦କୋଟି ଟଙ୍କା ଖର୍ଚ୍ଚ କରାଯିବାର ଲକ୍ଷ ରଖାଯାଇଛି।

Comments are closed.