ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଶୂନମୃତ୍ୟୁ

ଭୁବନେଶ୍ବର: ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିବା ଜିଲାଗୁଡିକ ଉପରେ ନଜର ରଖାଯାଇଛି। ଆଜି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନାଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ବାତ୍ୟା ଯୋଗୁଁ ଯେମିତି ଜଣଙ୍କର ବି ମୃତ୍ୟୁ ନହୁଏ ସେଥିପ୍ରତି ପ୍ରସ୍ତୁତ ରହି ମୁକାବିଲା କାର୍ୟ୍ୟ କରିବାକୁ ନିର୍ଦେଶ ଦେଇଥିବା ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ(ଏସଆରସି) ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ କହିଛନ୍ତି।

ସେ କହିଛନ୍ତି, ବାତ୍ୟା ପୂର୍ବରୁ ୨୨,୭୦୦ରୁ ଅଧିକ ଡଙ୍ଗା ସମୁଦ୍ରରୁ ଉପକୂଳକୁ ଫେରି ଆସିଛି। ୫ ତାରିଖ ପର୍ୟ୍ୟନ୍ତ ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି। ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଡଙ୍ଗାଗୁଡିକୁ ଗୋପାଳପୁର ବନ୍ଦରରେ ଆଶ୍ରୟ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ୨୪୭ଟି ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ କରାଯାଇଛି। ଶକ୍ତି ବିଭାଗ ପକ୍ଷରୁ ଜିଲାସ୍ତରରେ ବିଦ୍ୟୁତ୍ ସରବରାହ କାର୍ୟ୍ୟ ତଦାରଖ ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ନଗର ଉନ୍ନୟନ ବିଭାଗ ଓ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଇବା ନିମନ୍ତେ ଆବଶ୍ୟକୀୟ ଟ୍ୟାଙ୍କର ବ୍ୟବସ୍ଥା ହୋଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ଶାଳିଆ ମଧ୍ୟମ ଜଳସେଚନ ପ୍ରକଳ୍ପର ଜଳଭଣ୍ଡାରରେ ୯୦ ପ୍ରତିଶତରୁ ଅଧିକ ଜଳ ଗଚ୍ଛିତ ରହିଛି। ସମ୍ଭାବ୍ୟ ବାତ୍ୟା ପରେ ହେବାକୁ ଥିବା ବର୍ଷା ଦ୍ବାରା ଜଳଭଣ୍ଡାର ପୂର୍ଣ୍ଣ ହୋଇ ଜଳନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇପାରେ। ସେଥିପାଇଁ ସତର୍କତାମୂଳକ ପଦ‌େକ୍ଷପ ସ୍ବରୂପ ଜଳଭଣ୍ଡାର ଯଥାସମ୍ଭବ ଖାଲି କରାଯାଇଛି।

ଆଇଟି ବିଭାଗ ପକ୍ଷରୁ ଟେଲିକମ ଅପରେଟରଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ବାତ୍ୟା ପାଇଁ କଣ୍ଟ୍ରୋଲ ରୁମ୍ ମାନଙ୍କରେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବରେ ରଖାଯିବ। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ ଏବଂ ଜଗତସିଂହପୁର ୭ ଜିଲାର ସରକାରୀ କର୍ମଚାରୀଙ୍କ ଆସନ୍ତା ରବିବାର ଛୁଟିକୁ ବାତିଲ କରାଯାଇଛି। ରାଜ୍ୟରେ ପ୍ରବାହିତ ନଦୀ ଗୁଡିକରେ ଜଳସ୍ତର କମ୍ ରହିଛି। ବନ୍ୟା ଆସିବାର ସମ୍ଭାବନା ନାହିଁ। ଗଞ୍ଜାମ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା କେନ୍ଦ୍ରାପଡା ଜିଲାର ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରିବାକୁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଆଜି ମଧ୍ୟାହ୍ଣ ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ସାରିବାକୁ କୁହାଯାଇଛି।

Comments are closed.