ଶିକ୍ଷା ଦ୍ୱାରା ହିଁ ସମାଜରେ ପରିବର୍ତ୍ତନ ଆସିପାରିବ – ନବୀନ

ବଲାଙ୍ଗୀର: ଶିକ୍ଷା ଦ୍ୱାରା ହିଁ ସମାଜରେ ପରିବର୍ତ୍ତନ ଅଣାଯାଇପାରିବ। କେବଳ ଜ୍ଞାନ ଓ ଶିକ୍ଷା ସାହାଯ୍ୟରେ ଗୋଟିଏ ରାଷ୍ଟ୍ରର ଭାଗ୍ୟ ବଦଳାଇ ହେବ। ସେଥିପାଇଁ ଯୁବକମାନଙ୍କ ମଧ୍ୟରେ ଜ୍ଞାନ କୌଶଳର ବିକାଶର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମଙ୍ଗଳବାର ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର କଲେଜର ପ୍ଲାଟିନମ୍‍ ଜୁବୁଲିର ଉଦ୍‍ଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେଜର ଭିତ୍ତିଭୂମି ବିକାଶ ପାଇଁ ୨୫କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି।

ଏହା ବ୍ୟତୀତ କଲେଜ ପରିସରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟୋରିୟମର ନିର୍ମାଣ ହେବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏସବୁ ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀମାନେ ବିଜ୍ଞାନ ଓ ବୈଷୟିକ କଳାକୌଶଳ ଦିଗରେ ଅଧିକ କାର୍ଯ୍ୟ କରିବାକୁ ପ୍ରେରଣା ଲାଭ କରିବେ। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.