ଘରେ ରହି ମା’ଙ୍କ ପୂଜା କରନ୍ତୁ, ସାବଧାନ ହୁଅନ୍ତୁ – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶାରଦୀୟ ପୂଜା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଓଡିଶା ଗତ ସାତ ମାସ ହେବ କରୋନା ବିରୋଧରେ ଲଢେଇ ଜାରି ରଖିଛି ଓ ଏଥିପାଇଁ ସମସ୍ତଙ୍କୁ ଅନେକ କଷ୍ଟ ଓ ତ୍ୟାଗ ସ୍ବୀକାର କରିବାକୁ ପଡୁଛି। କରନା ସଂକ୍ରମଣ ଯୋଗୁ ପିଲା ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି। ସେ କହିଛନ୍ତି ଯେ କରୋନା ମହାମାରୀର ଭୟାବହତା ଯୋଗୁ ପିଲାମାନେ ସ୍କୁଲ ସାଙ୍ଗସାଥି ଓ ଖେଳିବାର ମଜା ନେଇ ପାରୁନାହାନ୍ତି। ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ବାରା କରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ ଓଡିଶା କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି ଓ ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି। ପରିସ୍ଥିତିକୁ ଠିକ୍‌ ଭାବରେ ବୁଝିବା ଦରକାର ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା କହିଛନ୍ତି ଓ ଏହା ଆଗକୁ ଆହୁରି କମିବ ବୋଲି ଦୃଢ଼ତା ପ୍ରକାଶ କରିଛନ୍ତି। ସେ ଗଞ୍ଜାମ ଓ ଗଜପତି ଉଦାହରଣ ଦେଇ କହିଛନ୍ତି ଯେ ଜନସାଧାରଙ୍କ ସହଯୋଗ, ଗୋଷ୍ଠୀ ଅନ୍ତର୍ଭୁକ୍ତି ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି। ଗଞାମ ଓ ଗଜପତି ସଂକ୍ରମଣ ହ୍ରାସ କ୍ଷେତ୍ରରେ ଅନ୍ୟ ଜିଲ୍ଲା ପାଇଁ ପେରଣା ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ମହାମାରୀ ପାଇଁ ଔଷଧ ଓ ଟୀକା ନ ବାହାରିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ପଡିବ ବୋଲି ସତର୍କ କରାଇ ଦେଇଛନ୍ତି। ବିଦେଶରେ ଏହି କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଉଥିବା ଏବଂ କେରଳରେ ଓନମ ପର୍ବ ପରେ ସଂକ୍ରମଣ ୩ ଗୁଣା ବୃଦ୍ଧି ପାଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଶୀତ ଋତୁ ସମେତ ଦୁର୍ଗାପୂଜା ଓ ଦୀପାବଳୀ ପର୍ବରେ ଅଧିକ ସତର୍କ ରହିବ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂଜା ସମୟରେ ସର୍ବସାଧାରଣ ସ୍ଥାନମାନଙ୍କରେ ଭିଡ ନ କରି ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ହାତଧୂଆ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଂକ୍ରମଣ ବଢିଲେ ଆମେ ଓ ଆମ ପରିବାର ହଇରାଣ ହେବ। ତେଣୁ ସଂକ୍ରମଣ ଯେପରି ନ ବଢ଼ିବ ସେଥିପାଇଁ ମା’ଙ୍କ ପାଖରେ ଶପଥ ନେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି। ପୂଜା ପାଇଁ ରାଜ୍ୟବାସୀଙ୍କୁ ସେ ଅଭିନଦନ ଜଣାଇଛନ୍ତି।

Comments are closed.