ଶ୍ରୀଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ – ମେ’ ୨୯ରୁ କାର୍ଯ୍ୟାରମ୍ଭ ନିର୍ଦ୍ଦେଶ

ସମାଜ ପୋର୍ଟାଲ ଡେସ୍କ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଓ ଭୁବନେଶ୍ୱର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ସେହି ପ୍ରକଳ୍ପ ଦୁଇଟି ହେଉଛି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରକଳ୍ପ। ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରି କହିଛନ୍ତି ଯେ ଅନେକ ଦୃଷ୍ଟିକୋଣରୁ ଏହି ଦୁଇଟି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କରୋନା ଜନିତ ଲକ ଡାଉନ ଯୋଗୁ ପ୍ରାୟ ୨ମାସ ହେବ ବନ୍ଦ ରହିଥିବା ପ୍ରକଳ୍ପ କାର୍ଯ୍ୟ ଚଳିତ ମାସ ୨୯ରୁ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପ୍ରକଳ୍ପ କାର୍ଯ୍ୟ ସମୟରେ ସାମାଜିକ ଦୂରତା ଓ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀ ସଠିକ ଭାବେ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଦେଖନ୍ତୁ ଭିଡିଓ –

ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀରେ ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଏବଂ ମୂଷା ନଦୀର ସମ୍ପ୍ରସାରଣ ପାଇଁ ଆସନ୍ତା ୨ରୁ ୩ମାସ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଶ୍ରୀଜଗନ୍ନାଥ ହେରିଟେଜ କରିଡର, ବଡଦାଣ୍ଡ ଉନ୍ନତିକରଣ ପ୍ରକଳ୍ପ, ଜଗନ୍ନାଥ ସଂସ୍କୃତି କେନ୍ଦ୍ର ଓ ମନ୍ଦିର ପ୍ରଶାସନିକ କୋଠାର ଡିଜାଇନ ପ୍ରସ୍ତୁତ କରାଯାଉଛି। ସେହିପରି ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଂଚଳର ବିକାଶ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି।

Comments are closed.