‘ବନ୍ଦେ ଉତ୍କଳ ଜନନୀ’ ଗାନ କରି ଅତୁଳନୀୟ ଜାତିପ୍ରେମ ପ୍ରକଟ କରିଛନ୍ତି ଓଡ଼ିଆ ଭାଇଭଉଣୀ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଞ୍ଚଦଶ କ୍ୟାବିନେଟ୍‌ ବୈଠକରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରାଯାଇଛି। ଓଡ଼ିଶାର ଅଫୁରନ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଗୌରବକୁ ପ୍ରତିଫଳିତ କରିଥିବା ଏହି ସ୍ମରଣୀୟ ସଂଗୀତର ମହାନ ସ୍ରଷ୍ଟାଙ୍କୁ ରାଜ୍ୟ କ୍ୟାବିନେଟ୍‌ କୃତଜ୍ଞତା ଜ୍ଞାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମେ’ ୩୦ ଶନିବାର ସନ୍ଧ୍ୟା ୫.୩୦ ମି ସମୟରେ ଦେଶବିଦେଶର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରି ଅତୁଳନୀୟ ଜାତିପ୍ରେମ ପ୍ରକଟ କରିଛନ୍ତି। ୧୦ ଲକ୍ଷ ଓଡ଼ିଆ ସାମାଜିକ ଗଣମାଧ୍ୟମରେ ଏହି ସଂଗୀତ ପରିବେଷଣର ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ କରି ଜନ୍ମଭୂମି ପ୍ରତି ସେମାନଙ୍କର ଐକ୍ୟବଦ୍ଧତା ପ୍ରମାଣିତ କରିଛନ୍ତି। ସେହି ପବିତ୍ର ମୁହୂର୍ତ୍ତକୁ କୀର୍ତ୍ତିମାନ ରଖିବା ଏବଂ ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ରାଜ୍ୟ କ୍ୟାବିନେଟ୍‌ ‘ବନ୍ଦେ ଉତ୍କଳ ଜନନୀ’କୁ ସରକାରୀ ମାନ୍ୟତା ପ୍ରଦାନ କରିଛନ୍ତି। ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି କ୍ରମେ ବିଭିନ୍ନ ଉତ୍ସବାନୁଷ୍ଠାନଗୁଡ଼ିକରେ ‘ବନ୍ଦେ ଉତ୍କଳ ଜନନୀ’ ନିମ୍ନ ବିଧି ମତେ ପରିବେଷଣ ଓ ଗାୟନ କରାଯିବ। ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭାର ଅଧିବେଶନ, ସ୍ୱତନ୍ତ୍ର ଭାବେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଏହି ସଂଗୀତର ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ବିନା ବାଦ୍ୟରେ ଯଥାର୍ଥ ସମ୍ମାନର ସହିତ ପରିବେଷଣ ବା ଗାନ କରାଯିବ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଟ ସଂଗୀତ ବା ବାଦ୍ୟଯନ୍ତ୍ର ସଂଗୀତ ସହିତ ଏହା ପରିବେଷଣ ବା ଗାନ କରାଯିବ। ଏହି ସଂଗୀତ ପୋଲିସ୍‌ ବ୍ୟାଣ୍ଡ, ବଂଶୀ, ସୀତାର ଭଳି ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ମଧ୍ୟ ପରିବେଷଣ କରାଯିବ। ଏହି ସଂଗୀତର ପ୍ରଚାରପ୍ରସାର ତଥା ଅଭିବୃଦ୍ଧି ନିମନ୍ତେ ସୃଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବ ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ସଂପୂର୍ଣ୍ଣ ସଂଗୀତକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବେ।

Comments are closed.