‘୫-ଟି’ ସମ୍ପ୍ରସାରିତ: ଲୋକଙ୍କୁ ମିଳିବ ୮ ଅନଲାଇନ ସେବା

ରାଜ୍ୟ ସରକାର ଜନସେବା ବିତରଣରେ ଉନ୍ନତି ଆଣିବା ପାଇଁ ଅନଲାଇନ ମାଧ୍ୟମରେ ୮ଟି ଜ୍ଞାନକୌଶଳ ସମ୍ପର୍କିତ ସମାଧାନ ଆରମ୍ଭ କରିଛନ୍ତ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ପାଇଁ ‘୫ଟି’ ଅଧୀନରେ ଏହି ସବୁ ସେବାର ଅନଲାଇନ ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୧୯ ଅଗଷ୍ଟ ମାସରେ ଆରମ୍ଭ ହୋଇଥିବା ‘୫ଟି’ ପଦକ୍ଷେପରେ ଜ୍ଞାନକୌଶଳ, ସ୍ୱଚ୍ଛତା, ଟିମ୍ ୱାର୍କ ଏବଂ ଟାଇମ୍ ଲିଡିଙ୍ଗ୍ ଟୁ ଟ୍ରାନ୍ସଫର୍ମେସନ୍ ମଡେଲ୍ ସାମିଲ କରାଯାଇଛି ଓ ଏହା ଫଳରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗ ତ୍ୱରିତ ଓ ଉନ୍ନତ ଜନସେବା ବିତରଣ ବ୍ୟବସ୍ଥା ପାଇଁ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି।

 

ଏହି ସେବା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ‘୫ଟି’ ମଡେଲ ଶାସନର ଗୁଣବତ୍ତାରେ ଆଖିଦୃଶିଆ ଉନ୍ନତି ଆଣିପାରିଛି ଏବଂ ଲୋକମାନଙ୍କୁ ସହଜରେ ବିଭିନ୍ନ ସେବା ପ୍ରଦାନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ଦେଶର ପ୍ରଥମ ରାଜ୍ୟ ଯିଏକି ଏକ ଉନ୍ନତ ପ୍ରଣାଳୀ ସ୍ଥାପନ କରିଛି ଏବଂ ଏହା ଭୁବନେଶ୍ୱରରେ ମୂଲ୍ୟବାନ ସରକାରୀ ଜମିର ସୁରକ୍ଷା ତଥା ଯୋଜନାବଦ୍ଧ ବିକାଶ ସୁନିଶ୍ଚିତ କରିବା ପାଇଁ ମହାକାଶ ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତା ବ୍ୟବହାର କରୁଛି।

ସେ କହିଛନ୍ତ, ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ସମସ୍ତ ଜନସେବା ଅନଲାଇନରେ କରାଯିବ ଏବଂ ଏଥିପାଇଁ କୌଣସି ନାଗରିକ ସରକାରୀ କାର୍ଯ୍ୟାଳୟକୁ ଆସିବା ଆବଶ୍ୟକ ନାହିଁ। ପୂର୍ବରୁ ଏଥିପାଇଁ ନିର୍ଦ୍ଧାରିତ ସମୟ ୨୦୨୦ ଅଗଷ୍ଟ ୨୦ ଥିବାବେଳେ ଏବେ ତାହାକୁ ୨୦୨୦ ଅକ୍ଟୋବର ୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ମୁଖ୍ୟମନ୍ତ୍ରୀ ମଧ୍ୟ ଏ ନେଇ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଉପସ୍ଥିତ ଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପ୍ରଣୀତ ‘୫ଟି’ ପଦକ୍ଷେପ ସମଗ୍ର ଦେଶରେ ଓଡିଶାକୁ ଏକ ଆଦର୍ଶ ରାଜ୍ୟ କରିପାରିଛି ଏବଂ ଏ ପର୍ଯ୍ୟନ୍ତ ଅନଲାଇନରେ ୧୦୫ ପ୍ରକାର ସେବା ଯୋଗାଇ ଦିଆଯାଉଛି।

ଏହି ଅନଲାଇନ ସେବାଗୁଡିକ ମଧ୍ୟରେ ରହିଛି
୧- ବ୍ଲୁଇସ୍: ଭୁବନେଶ୍ୱର ଲ୍ୟାଣ୍ଡ୍ ୟୁଜ ଇଣ୍ଟେଲିଜେନ୍ସ ସିଷ୍ଟମ (ଭୁବନେଶ୍ୱର ଜମିଜମା ବ୍ୟବହାର ବ୍ୟବସ୍ଥା) – ଏଥିରେ ସାଟେଲାଇଟ୍ ଚିତ୍ର ବ୍ୟବହାର କରି ଭୁବନେଶ୍ୱରର ସମସ୍ତ ସରକାରୀ ଜମିରେ ପରିବର୍ତ୍ତନ ଉପରେ ନଜର ରଖିବା ପାଇଁ ଏକ ୱେବ୍ ଏବଂ ମୋବାଇଲ୍ ଆଧାରିତ ସମାଧାନ
୨- ଇ-ପ୍ରବେଶ: ଭିଜିଟର ପାସ ମ୍ୟାନେଜମେଣ୍ଟ ସିଷ୍ଟମ (ପରିଦର୍ଶକ ପାସ୍ ପରିଚାଳନା ବ୍ୟବସ୍ଥା) – ଏହା ଏକ ୱେବ୍ ଏବଂ ମୋବାଇଲ୍ ଆଧାରିତ ବ୍ୟବସ୍ଥା ଯାହା ଦ୍ୱାରା ଲୋକସେବା, ରାଜୀବ ଭବନ ଏବଂ ଖାରବେଳ ଭବନ ପରିଦର୍ଶକମାନଙ୍କ ପାଇଁ ପ୍ରବେଶକୁ ସହଜ ଏବଂ ପ୍ରାମାଣିକରଣ କରିବ
୩- ଇ-ଭବନ: ଓଡିଶା ଭବନ ମ୍ୟାନେଜମେଣ୍ଟ ସିଷ୍ଟମ (ଓଡିଶା ଭବନ ପରିଚାଳନା ବ୍ୟବସ୍ଥା) – ଏହା ଏକ ଅନଲାଇନ୍ ବ୍ୟବସ୍ଥା ଯେଉଁଥିରେ ସରକାରୀ କର୍ମଚାରୀ, ଜନ ପ୍ରତିନିଧି ତଥା ନାଗରିକମାନଙ୍କୁ ଅନ୍ୟାନ୍ୟ ରାଜ୍ୟରେ ଅବସ୍ଥିତ ଓଡିଶା ଭବନରେ ଅନଲାଇନ୍ ରିଜର୍ଭେସନ୍, ରିଅଲ୍ ଟାଇମ୍ ଷ୍ଟାଟସ୍ ଟ୍ରାକିଂ ଏବଂ ବିଲ୍ ପୈଠ କରାଯାଇ ପାରିବ
୪- ଇ-ଅତିଥି: ଷ୍ଟେଟ ଗେଷ୍ଟ ହାଉସ ମ୍ୟାନେଜମେଣ୍ଟ ସିଷ୍ଟମ (ରାଜ୍ୟ ଅତିଥି ଭବନ ପରିଚାଳନା ବ୍ୟବସ୍ଥା) – ଏହା ଭୁବନେଶ୍ୱରରେ ଥିବା ରାଜ୍ୟ ଅତିଥି ଭବନର ପରିଚାଳନା ପାଇଁ ଦକ୍ଷ ପରିଚାଳନା ପାଇଁ ବିକଶିତ ବ୍ୟବସ୍ଥା
୫- ଏଚଆରଏମଏସ ୨.୦: ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା: ଏହା ହେଉଛି ଏକ ୱେବ୍ ଏବଂ ମୋବାଇଲ୍ ଆଧାରିତ ବ୍ୟବସ୍ଥା ଯାହା ମାଧ୍ୟମରେ ସମସ୍ତ କର୍ମଚାରୀ ଅନଲାଇନ୍ ଛୁଟି ଆବେଦନ, ଅନଲାଇନ ଋଣ ଏବଂ ଅଗ୍ରୀମ ଆବେଦନ, ଇ-ସେବା ପୁସ୍ତିକା ସୁବିଧା ପାଇବେ
୬- ଏଚଆରଏମଏସ ମୋବାଇଲ ଆପ: ଏହା ଏକ ଛୁଟି ଆପ୍ଲିକେସନ୍ ଇଣ୍ଟରଫେସ୍ ଏବଂ ପେ-ସ୍ଲିପ୍ ପାଇବା ବ୍ୟବସ୍ଥା
୭- ଏଲଏମଏସ ୨.୦: (ମକଦ୍ଦମା ପରିଚାଳନା ବ୍ୟବସ୍ଥା) – ଆଇନଗତ ମାମଲାର ସୂଚନା ରେକର୍ଡ କରିବା ଏବଂ ମାମଲାର ବିଭିନ୍ନ ପର୍ଯ୍ୟାୟରେ ସରକାରୀ କର୍ମଚାରୀ ଏବଂ ଓକିଲଙ୍କ ମଧ୍ୟରେ ଯୋଗାଯୋଗକୁ ସକ୍ଷମ କରିବା ପାଇଁ ଉଦ୍ଦିଷ୍ଟ
୮- ଓଆରଟିପିଏସଏ: (ଅନଲାଇନ୍ ମଡ୍ୟୁଲ୍) – ଏହା ଏକ ଅନଲାଇନ ମଡ୍ୟୁଲ୍ ଯାହା କେନ୍ଦ୍ରୀୟ ନିରୀକ୍ଷଣ ବ୍ୟବସ୍ଥା ସହିତ ଅନଲାଇନ୍ ସେବାଗୁଡିକର ଏକୀକରଣ ଓ ଜନସେବାଗୁଡିକର ବିତରଣ ଉପରେ ନଜର ରଖିଥାଏ

Comments
Loading...