ଭୁବନେଶ୍ୱର ଏକାମ୍ର ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

ଏକାମ୍ର ଅଞ୍ଚଳର ବିକାଶ ଭୁବନେଶ୍ୱରର ଗରିମାକୁ ଆହୁରି ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ୱରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର‌୍ୟ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲିଙ୍ଗରାଜ ଅଞ୍ଚଳକୁ ସୁନ୍ଦର କରି ଗଢିତୋଳିବା ପାଇଁ ଏକାମ୍ର ଯୋଜନା ଜନସାଧାରଣଙ୍କ ସହଯୋଗରେ ଆରମ୍ଭ କରାଯାଇଛି । ଏହା ଶେଷ ହେଲେ ଭୁବନେଶ୍ୱରର ଗରିମା ଆହୁରି ବୃଦ୍ଧି ପାଇବ । ପୁରୀରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ପୁରୀର ଜନସାଧାରଣ ସଂପୁର୍ଣ୍ଣ ବିଶୁଦ୍ଧ ଜଳ ପାଇପାରୁଛନ୍ତି । ବର୍ତ୍ତମାନ ପୁରୁଣା ଭୁବନେଶ୍ୱରର ଜନସାଧାରଣ ମଧ୍ୟ ଏହି ସୁବିଧା ପାଇବେ । ବିକାଶ ଓ କଲ୍ୟାଣ ସରକାରଙ୍କର ମୁଖ୍ୟ ପରିଚୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହା ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିପ୍ଳବ ଆଣିଛି ବୋଲି ସେ କହିଥିଲେ ।

ଏହି କାର‌୍ୟ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଜଳସେଚନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ । ଓଡିଶାର ବିକାଶ ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ଓ ଯୋଜନା କରାଯାଇଛି, ତାକୁ ଆନ୍ତର୍ଜାତିକ ସ୍ତରର ସ୍ୱୀକୃତି ମିଳିଛି ବୋଲି ସେମାନେ କହିଥିଲେ । ଏହି କାର‌୍ୟ୍ୟକ୍ରମରେ ବି.ଏମ.ସି କମିଶନର ସଂଜୟ ସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Comments are closed.