୯ ବ୍ୟାଙ୍କକୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

କୃଷି,ଏମଏସଏମଇ ଓ ମିଶନ ଶକ୍ତିକୁ ଋଣ ଯୋଗାଣରେ ଅଗ୍ରଣୀ, ୨୦୨୧-୨୨ରେ ଦେଇଛନ୍ତି ୧.୦୩ ଲକ୍ଷ କୋଟିର ଋଣ, ଚଳିତ ବର୍ଷ ପାଇଁ ୧.୩୪ ଲକ୍ଷ କୋଟିର ଋଣ ଲକ୍ଷ୍ୟଧାର୍ଯ୍ୟ

ଭୁବନେଶ୍ବର : ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମଏସଏମଇ), କୃଷି ଏବଂ ମିଶନ ଶକ୍ତି ଅଧୀନ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବ୍ୟାଙ୍କ ଋଣ ଯୋଗାଣକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଆସୁଛନ୍ତି। ଏହାଦ୍ବାରା ଚାଷୀ, ମହିଳା ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ ଘଟିବ। ଏହି ତିନିଟି କ୍ଷେତ୍ରକୁ ଋଣ ପ୍ରଦାନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ୯ଟି ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁରସ୍କୃତ କରିଛନ୍ତି। ଏନେଇ ଗତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କରୋନା ମହାମାରୀ ସତ୍ତ୍ବେ ୨୦୨୧-୨୨ ଆର୍ଥିକ ବର୍ଷରେ ସବୁ ବ୍ୟାଙ୍କଗୁଡ଼ିକ ମିଳିତ ଭାବେ ୧.୦୩ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ବାର୍ଷିକ ଋଣ ଲକ୍ଷ୍ୟଧାର୍ଯ୍ୟର ଏହା ୯୩ ପ୍ରତିଶତରୁ ଅଧିକ। ଆମକୁ ଏହି ଧାରା ବଜାୟ ରଖିବାକୁ ପଡ଼ିବ। କୃଷିକ୍ଷେତ୍ରରେ ଋଣ ଯୋଗାଣ ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ବଲାଙ୍ଗୀର ଶାଖାକୁ ପ୍ରଥମ ପୁରସ୍କାର, ଆକ୍ସିସ ବ୍ୟାଙ୍କ ରାୟଗଡ଼ା ଶାଖାକୁ ଦ୍ବିତୀୟ ଏବଂ ଆକ୍ସିସ ବ୍ୟାଙ୍କ ସମ୍ବଲପୁରକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି।
କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରରେ ଋଣ ଯୋଗାଣ ପାଇଁ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆର ବଲାଙ୍ଗୀର ଶାଖାକୁ ପ୍ରଥମ, ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ବର, ଜୟଦେବ ବିହାର ଶାଖାକୁ ଦ୍ବିତୀୟ ଓ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ତାଳଚେର ଶାଖାକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ମିଶନ ଶକ୍ତି ଗୋଷ୍ଠୀଙ୍କ କ୍ଷେତ୍ରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କଣ୍ଟାବାଞ୍ଝି ଶାଖା, ଏସବିଆଇ ଡୁଙ୍ଗୁରିପାଲ୍ଲୀ (ସୁବର୍ଣ୍ଣପୁର) ଶାଖାକୁ ଦ୍ବିତୀୟ ଏବଂ ଏସବିଆଇ ମାଲକାନଗିରି ଶାଖାକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଥମ ପୁରସ୍କାର ବିଜେତାଙ୍କୁ ୫ ଲକ୍ଷ, ଦ୍ବିତୀୟ ପୁରସ୍କାର ବିଜେତାଙ୍କୁ ୩ ଲକ୍ଷ ଏବଂ ତୃତୀୟ ପୁରସ୍କାର ବିଜେତାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ବାବଦରେ ପ୍ରଦାନ କରାଯାଇଥିଲା।
କୃଷିକ୍ଷେତ୍ରକୁ ସର୍ବାଧିକ ଋଣ ପ୍ରଦାନ ପାଇଁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଏମଏସଏମଇ କ୍ଷେତ୍ରକୁ ଋଣ ପ୍ରଦାନରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ମିଶନ ଶକ୍ତି ଗୋଷ୍ଠୀକୁ ସର୍ବାଧିକ ଋଣ ପ୍ରଦାନ ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ପୁରସ୍କୃତ କରାଯାଇଥିଲା। ଏହି ତିନି ପ୍ରାଥମିକ କ୍ଷେତ୍ରକୁ ସର୍ବାଧିକ ଋଣ ପ୍ରଦାନ ପାଇଁ ଇନ୍ଦସଇଣ୍ଡ ବ୍ୟାଙ୍କ ପୁରସ୍କୃତ ହୋଇଛି। ଚଳିତ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧.୩୪ ଲକ୍ଷ କୋଟି ଟଙ୍କାର ବାର୍ଷିକ ଋଣ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ମିଶନ ଶକ୍ତି ଗୋଷ୍ଠୀଙ୍କ ପାଇଁ ଆସନ୍ତା ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଜନା ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ, କୃଷି ବିଭାଗ ଏପିସି ତଥା ଏସିଏସ ସଞ୍ଜୀବ ଚୋପ୍ରା, ଏମଏସଏମଇ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ମିଶନ ଶକ୍ତି ଆୟୁକ୍ତ ତଥା ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ କାର୍ଯ୍ୟକ୍ରମରେ ମତାମତ ରଖିଥିଲେ।

Comments are closed.