ଡାକ୍ତରଙ୍କୁ ଦୁର୍ବ୍ୟବହାର କଲେ କଠୋର ପଦକ୍ଷେପ – ମୁଖ୍ୟମନ୍ତ୍ରୀ

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣର ଚିକିତ୍ସା ଓ ଏହାର ପ୍ରସାର ରୋକିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଖରାପ ବ୍ୟବହାର କରାଗଲେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ନବୀନ କହିଛନ୍ତି ଯେ କରୋନା ଭାଇରସ ଆଜି ସମଗ୍ର ମାନବ ଜାତି ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି। ସେ କହିଛନ୍ତି ଯେ କରୋନା ବିରୋଧରେ ଯେଉଁମାନେ ଆମକୁ ସୁରକ୍ଷା ଯୋଗାଉଛନ୍ତି ସେମାନେ ହେଉଛନ୍ତି ଆମ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀ। ଭିଡିଓ ଦେଖନ୍ତୁ –

ମୁଖ୍ୟମନ୍ତ୍ରୀ କହିଛନ୍ତି,’ଆପଣମାନେ କଠିନ ପରିସ୍ଥିତିରେ ସେବା ଯୋଗାଇ ଚାଲିଛନ୍ତି, ମୁଁ ଏବଂ ମୋର ଓଡ଼ିଶାବାସୀ ଭାଇ ଓ ଭଉଣୀମାନେ ସମସ୍ତେ ଏହି ସମୟରେ ଆପଣମାନଙ୍କ ପରିବାର ସାଥିରେ ଅଛନ୍ତି। ଆପଣମାନେ ନିଷ୍ଠାର ସହ ସେବା କରିଚାଲିଛନ୍ତି। ଆପଣମାନଙ୍କ ଏହି ଉତ୍ସାହକୁ ମୁଁ ସମ୍ମାନ କରୁଛି।’

ଏହି ଅବସରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତା ୪ମାସର ଅର୍ଥାତ ଏପ୍ରିଲ, ମେ, ଜୁନ ଓ ଜୁଲାଇ ମାସ ପାଇଁ ଆଗୁଆ ଦରମା ଦିଆଯିବ ବୋଲି ଘୋଷଣା କରିଛନ୍ତି। ଆମ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ନିଷ୍ଠା ଓ ତ୍ୟାଗ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଜନସାଧାରଣଙ୍କୁ ଅନୁରୋଧ କରି କହିଛନ୍ତି ଯେ ସମସ୍ତେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ବ୍ୟବହାର କରନ୍ତୁ ଓ ସେମାନଙ୍କ କାମରେ ବାଧା ସୃଷ୍ଟି କରନ୍ତୁ ନାହିଁ। ସେମାନେ ସମସ୍ତ ସୁଖ ସୁବିଧା ତ୍ୟାଗ କରି କଠିନ ପରିସ୍ଥିତିରେ କାମ କରୁଥିବାରୁ ଆମେ ସେମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା କରିବା ଉଚିତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କେହି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଖରାପ ବ୍ୟବହାର କରିବେ, ସେ କ୍ଷେତ୍ରରେ କଠୋର ପଦକ୍ଷେପ ନେବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.