କରୋନାକୁ ହରାଇଲେ ୮୧ ବର୍ଷୀୟ ବୃଦ୍ଧ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର: କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଥିବା କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଗୋପୀନାଥ ଡାକୁଆଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ କଥା ହୋଇ ତାଙ୍କର ଭଲମନ୍ଦ ପଚାରି ବୁଝିଥିଲେ। ପରିଣତ ବୟସରେ ସେ ଯେପରି ଦୃଢ ମନୋବଳ ଓ ଗଭୀର ଆତ୍ମବିଶ୍ବାସର ସହ କୋଭିଡର ମୁକାବିଲା କରି ସୁସ୍ଥ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚ ପ୍ରଶଂସା କରିଥିଲେ। କୋଭିଡ ସହ ଗୋପୀନାଥଙ୍କ ସଫଳ ଲଢେଇର ଅନୁଭୂତି ଅନ୍ୟମାନଙ୍କୁ ସାହସ ଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଏବଂ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ। ଅପରପକ୍ଷରେ କୋଭିଡ ଚିକିତ୍ସାଳୟରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯିବା ସହ ଉଚିତ ସେବା ଯତ୍ନ ଯୋଗାଇ ଦିଆଯାଇଥିବାରୁ ଗୋପୀନାଥ ଡାକୁଆ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

କନ୍ଧମାଳ ଜିଲ୍ଲାର ଗୋପୀନାଥ ଡାକୁଆ ୮୧ ବର୍ଷ ବୟସରେ କରୋନାକୁ ହରାଇଛନ୍ତି। ୧୫ଦିନର ସଂଘର୍ଷ ପରେ ‌ଗୋପୀନାଥ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୮୧ ବର୍ଷ ବୟସରେ ପହଞ୍ଚିଥିଲେ ମଧ୍ୟ ନିଜର ଦୃଢ଼ ମନୋବଳ ପାଇଁ ଗୋପୀନାଥ କରୋନା ଭଳି ମହାମାରୀକୁ ହରାଇ ପାରିଥିବା କୁହାଯାଉଛି। ତାଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର, ନର୍ସ ଓ ପାରାମେଡିକ୍‌ଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ ଅନ୍ତର୍ଗତ ତଳ ଇନ୍ଦ୍ରଗଡ଼ ଗ୍ରାମର ଗୋପୀନାଥ ଡାକୁ ଗଞ୍ଜାମ ଓ କନ୍ଧମାଳ ସୀମାରେ ଥିବା ଏକ ‌ହୋଟେଲକୁ ଯାଇ ବସାଉଠା କରିଥାନ୍ତି। ସେଠାରୁ ଗଞ୍ଜାମ ଲିଙ୍କ୍‌ରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପ୍ରଥମେ ଅସୁସ୍ଥ ଅନୁଭବ କରିଥିଲେ। ଇନଫ୍ଲୁଏଞ୍ଜା ଓ କାଶ ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ରେ ଚିକିତ୍ସିତ ହେଉଥିଲେ। ପରବର୍ତ୍ତୀ ତାଙ୍କୁ କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲର ଟିଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ସ୍ବାବ୍ ସଂଗ୍ରହ କରାଯାଇଥିଲା ଓ ରିପୋର୍ଟରେ ପଜିଟିଭ୍ ଆସିଥିବା ଜଣାପଡ଼ିଥିଲା। ଯଦିଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା ତଥାପି ଚଳିତମାସ ୪ତାରିଖରେ ସେ ଫୁଲବାଣୀସ୍ଥିତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ। ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଆଜି ଗୋପୀନାଥ ଡାକୁଆଙ୍କୁ କୋଭିଡ୍‌ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି। ଡିସ୍‌ଚାର୍ଜ ପୂର୍ବରୁ ଡାକ୍ତର ଓ ନର୍ସ ଏବଂ ଅନ୍ୟ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଛ ଦେଇ ବିଦାୟ ଦେଇଥିଲେ।

Comments are closed.