ରୁକୁଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0

ସୁନ୍ଦରଗଡ଼/ବଣେଇ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ଅନ୍ତର୍ଗତ ଗୁରୁଣ୍ଡିଆ ବ୍ଲକର ବହୁ ପ୍ରତୀକ୍ଷିତ ରୁକୁଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ପ୍ରାୟ ୩ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ୮ଟି ପଞ୍ଚାୟତର ୫୭୫୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ। ପରେ ବଣେଇଠାରେ ରାଜା ଧରଣୀଧର ଖେଳପଡ଼ିଆଠାରେ ୩୦ଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମର ଫଳକ ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍‍ ଓରାମ୍‍,ସାଂସଦ ପ୍ରଶାନ୍ତ ନନ୍ଦ, ବିଧାୟକ ସୁବ୍ରତ ତରାଇ, ମଙ୍ଗଳା କିଷାନ, ଲକ୍ଷ୍ମଣ ମୁଣ୍ଡା, ଶ୍ରମିକ ନେତା ସୁବାସ ସିଂହ, ରାଉରକେଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ସାରଦା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ପରେ ରାଜା ଧରଣୀଧର ହାଇସ୍କୁଲ୍‍ ପଡ଼ିଆଠାରେ ଆୟୋଜିତ ବିକାଶ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ତାଙ୍କ ସରକାର କୃଷି, ଜଳସେଚନ ଓ ଚାଷୀମାନଙ୍କ ବିକାଶ ନିମନ୍ତେ ସବୁ ପ୍ର୍ରକାର ପଦକ୍ଷେପ ନେଉଛନ୍ତି। ୨୦୧୪ ମସିହାରେ ତାଙ୍କ ସରକାର ପକ୍ଷରୁ ୫ ବର୍ଷରେ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ, ତାହା ପୂରଣ ହେବାକୁ ଯାଉଛି। ସେହିଭଳି ଆଗାମୀ ୫ ବର୍ଷ ମଧ୍ୟରେ ୨୫ ହଜାର କୋଟି ଟଙ୍କା ବ୍ୟୟରେ ଜଳସେଚନର ବ୍ୟବସ୍ଥା କରାଯିବ। ୨୦୦୦ ମସିହାରେ ଜଳସେଚନ ପାଇଁ ୮୫୦ କୋଟି ଟଙ୍କା ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ତାହା ୧୦ ହଜାର ୨ଶହ କୋଟିରେ ପହଞ୍ଚିଛି।

Leave A Reply