ଆତଙ୍କବାଦର ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ଦୃଢ଼ ସହଯୋଗ ଆବଶ୍ୟକ : ମୋଦୀ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ୟୁରୋପୀୟ ସଂଘ ସାଂସଦ

ନୂଆଦିଲ୍ଲୀ : ୟୁରୋପୀୟ ସଂଘ ସାଂସଦମାନେ ​ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ୟୁରୋପୀୟ ସଂଘ ସହ ଭାରତର ସମ୍ପର୍କ, ଆପୋଷ ସ୍ୱାର୍ଥ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସାଧାରଣ ପ୍ରତିଶ୍ରୁତି ବଦ୍ଧତାର ପ୍ରତୀକ । ୟୁରୋପୀୟ ସଂଘ ସହ ଆଞ୍ଚଳିକ ଓ ବିଶ୍ୱ ପ୍ରସଙ୍ଗଗୁଡ଼ିକ ଉପରେ ଭାବ ଆଦାନପ୍ରଦାନ କରିବାର ଆବଶ୍ୟକତା ପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି, ଆତଙ୍କବାଦର ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ଦୃଢ଼ ସହଯୋଗର ଆବଶ୍ୟକତା ରହିଛି ।

ୟୁରୋପୀୟ ସଂଘର ୨୮ଜଣ ସାଂସଦ ଶ୍ରୀ ମୋଦୀଙ୍କୁ ଆଜି ସାକ୍ଷାତ କରିବା ସମୟରେ ଆତଙ୍କବାଦକୁ ଆଦୌ ସହ୍ୟ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଛନ୍ତି । ଏହି ପ୍ରତିନିଧି ଦଳ ଜାମ୍ମୁ କାଶ୍ମୀର ଗସ୍ତରେ ମଧ୍ୟ ଯିବ । ବିଶ୍ୱସ୍ତରୀୟ ଭାଗିଦାରୀ ପାଇଁ ଆନ୍ତର୍ଜାତିକ ସୌର ମେଣ୍ଟର ଅଭିବୃଦ୍ଧି ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ୟୁରୋପୀୟ ସଂଘର ପ୍ରତିନିଧିମାନଙ୍କୁ ଭାରତରେ ସ୍ୱାଗତ ଜଣାଇ ଶ୍ରୀ ମୋଦୀ କହିଛନ୍ତି, ଜାମ୍ମୁ ଓ କାଶ୍ମୀର ସମେତ ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ ତାଙ୍କର ସଫଳ ହେବ ବୋଲି ସେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ।

ବ୍ୟବସାୟ ସୁଗମତା କ୍ଷେତ୍ରରେ ଭାରତ ୨୦୧୪ ମସିହାରେ ୧୪୨ତମ ସ୍ଥାନରେ ଥିଲାବେଳେ ବର୍ତ୍ତମାନ ଉପରକୁ ଉଠି ୬୩ତମ ସ୍ଥାନରେ ରହିବା ଅତି ଆନନ୍ଦର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସବୁ ଭାରତୀୟମାନଙ୍କର ଜୀବନଶୈଳୀ ସରଳ କରିବା ଲାଗି ତାଙ୍କ ସରକାର ନେଉଥିବା ପଦକ୍ଷେପ ବିଷୟ ସେ ଉଲ୍ଲେଖ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ବିଶ୍ୱକୁ ଯକ୍ଷ୍ମା ରୋଗ ମୁକ୍ତ କରିବା ପାଇଁ ଧାର୍ଯ୍ୟ ସମୟର ପାଞ୍ଚବର୍ଷ ପୂର୍ବରୁ ଅର୍ଥାତ୍‍ ୨୦୨୫ ମସିହା ସୁଦ୍ଧା ଭାରତ ଦେଶରୁ ଯକ୍ଷ୍ମା ଦୂର କରିବା ଲକ୍ଷ୍ୟ ହାସଲ କରିବ ।

Comments are closed.