ବଦଳୁ ଥିବା ପାଣିପାଗ ବିଶ୍ୱ ପାଇଁ ବଡ଼ ବିପଦ; ୨୦୫୦ ବେଳକୁ ସ୍ଥିତି ଅସମ୍ଭାଳ

ମେଲ୍‌ବର୍ଣ୍ଣ: ଜଳବାୟୁ ପରିବର୍ତ୍ତନ ଦ୍ବାରା ବିଶ୍ବତାପନ ବୃଦ୍ଧି ପାଉଛି। ଫଳରେ ଋତୁଚକ୍ରରେ ମଧ୍ୟ ପରିବର୍ତ୍ତନ ହେଉଛି। ଏବେ ସମଗ୍ର ବିଶ୍ବରେ ବର୍ଷା, ଗ୍ରୀଷ୍ମ ଓ ଶୀତ ଋତୁ ଆସିବା ଓ ଯିବା ନେଇ ଅନେକ ପରିବର୍ତ୍ତନ ହେଉଛି। ସେହିପରି ଅନେକ ସମୟରେ ପୃଥିବୀପୃଷ୍ଠର ଅଧିକାଂସ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେଉଛି। ସେହିପରି ସାମୁଦ୍ରିକ ଝଡ଼ ସ୍ଥଳଭାଗ ସ୍ଥିତିକୁ ବିଗାଡ଼ି ଦେଉଛି। ପ୍ରତିମାସରେ ଜଳବାୟୁରେ ପରିବର୍ତ୍ତନ ଆସିବା ଦ୍ବାରା ପୂର୍ବଭଳି ଚାଷ ଓ ଅନ୍ୟାନ୍ୟ କାର୍ଯ୍ୟ ଠିକ୍‌ ଭାବେ ସମ୍ପାଦନ କରାଯାଇ ପାରୁନାହିଁ। ଫଳରେ ଦିନକୁ ଦିନ ବଦଳୁ ଥିବା ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ବିଶ୍ୱ ପାଇଁ ବଡ଼ ବିପଦ ଭାବେ ଉଭା ହୋଇଛି। ଏହାର ଆଶୁ ପ୍ରତିକାର ନ ହେଲେ ୨୦୫୦ ସୁଦ୍ଧା ମାନବ ଜାତି ଧ୍ୱଂସ ପାଇବା ସ୍ଥିତି ଉପୁଜିବ ବୋଲି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ନ୍ୟାସ୍‍ନାଲ୍‍ ସେଣ୍ଟର ଫର କ୍ଲାଇମେଟ୍‍ ରିଷ୍ଟୋରେସନ୍‍ର ଏକ ଥିଙ୍କ ଟ୍ୟାଙ୍କ୍‍ ରିପୋର୍ଟରେ କୁହାଯାଇଛି।
ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଦ୍ବାରା ଖାଦ୍ୟ ଉତ୍ପାଦନରେ ହ୍ରାସ ପାଇବ। ଖାଦ୍ୟାଭାବ ଓ ପରିବେଶ ପ୍ରଦୂଷଣ ଯୋଗୁ ବିଶ୍ୱର ଅତି ଜନବହୁଳ ସହରଗୁଡ଼ିକରୁ ଲୋକେ ରହିବାକୁ ପସନ୍ଦ କରିବେ ନାହିଁ। ଜଳବାୟୁ ପରିବର୍ତ୍ତନ ଦ୍ବାରା ବିଶ୍ୱର ତାପମାତ୍ରା ୨୦୫୦ସୁଦ୍ଧା ୩ ଡିଗ୍ରୀ ସେଲ୍‍ସିଅସ୍‌କୁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏହାଦ୍ବାରା ବିଶ୍ୱ ଜନସଂଖ୍ୟାର ୫୫% ଜନସାଧାରଣ ବାର୍ଷିକ ୨୦ଦିନ ଅତି ସାଂଘାତିକ ଉତ୍ତାପ ଅନୁଭବ କରି ଆଶଙ୍କା ରହିଛି। ଯାହା ମାନବ ସମାଜପାଇଁ ଦୁର୍ବିସହ ହୋଇପଡ଼ିବ। ଏଭଳି ସ୍ଥିତି ଜାରି ରହିଲେ ପଶ୍ଚିମ ଆଫ୍ରିକା, ଦକ୍ଷିଣ ଆମେରିକା, ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ-ପୂର୍ବ ଏସିଆରେ ବର୍ଷକୁ ୧୦୦ଦିନ ପ୍ରବଳ ଉତ୍ତାପ ଅନୁଭୂତ ହେବ। ଜଳବାୟୁ ଅତ୍ୟଧିକ ଉତ୍ତପ୍ତ ହେବା ଦ୍ୱାରା ମଣିଷ ବଞ୍ଚିବା କଷ୍ଟକର ହୋଇପଡ଼ିବ। ଖାଦ୍ୟ ଉତ୍ପାଦନ ହ୍ରାସ ପାଇବା ଫଳରେ ଦରଦାମ ଆକାଶ ଛୁଅାଁ ହେବ। ଜଳପତ୍ତନ ବୃଦ୍ଧି ପାଇଲେ ମୁମ୍ବଇ, ଜାକର୍ତ୍ତା, ଗୁଆଙ୍ଗଝାଓ, ହଂକଂ, ହୋ-ଚି-ମିନ୍‍ ସହର, ସାଂଘାଇ, ବ୍ୟାଙ୍କକ୍‍ ଭଳି ସହରରେ ବସବାସ କରୁଥିବା ଲୋକଙ୍କୁ ଅନ୍ୟସ୍ଥାନରେ ରହିବା ପାଇଁ ଯିବାକୁ ପଡ଼ିପାରେ। ଫଳରେ ୨୦୫୦ ସୁଦ୍ଧା ମାନବ ସଭ୍ୟତା ଧ୍ବଂସ ପାଇବା ଭଳି ସ୍ଥିତି ଉପୁଜିବ ବୋଲିଏହି ରିପୋର୍ଟରେ କୁହାଯାଇଛି। ତେଣୁ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ସାରା ବିଶ୍ୱବାସୀ ସଂକଳ୍ପବଦ୍ଧ ହେବାକୁ ଏକ ଅବସର ଆସିଛି। ଚଳିତ ବର୍ଷ ବିଶ୍ବ ପରିବେଶ ଦିବସର ଥିମ୍‌ ‘ପ୍ରକୃତି ପାଇଁ ସମୟ’ ରଖାଯାଇଛି। ଫଳରେ ସମସ୍ତେ ମିଳିମିଶି ପ୍ରକୃତିକୁ ରକ୍ଷା କରିବା ପାଇଁ ସଚେତନ ହେଲେ ମାନସ ସଭ୍ୟତା ବିନାଶ ପରିବର୍ତ୍ତେ ବିକାଶଭିମୁଖୀ ହୋଇପାରିବ ବୋଲି ମେଲ୍‍ବୋର୍ଣ୍ଣ ବିଶ୍ବବିଦ୍ୟାଳୟର ଜଳବାୟୁ ପରିବର୍ତ୍ତନ ବିଜ୍ଞାନ ଗବେଷକ ଆଣ୍ଡ୍ରିୟୁ କିଙ୍ଗ କହିଛନ୍ତି।

Comments are closed.