କୋଭିଡ୍‍ ନିୟମ ଉଲ୍ଲଂଘନ କରି ନିଳମ୍ବିତ ହେଲେ କିରାଣୀ

ଟ୍ରକ ପାଇଁ ଗେଟ୍‍ ଖୋଲାଯାଉଥିବା ବେଳେ ଟ୍ରକ ପଛରେ କାର ନେଇ ଖସିଗଲେ

ଫୁଲବାଣୀ: କୋଭିଡ୍‍ ନିୟମ ଉଲ୍ଲଂଘନ କରି ଗୁରୁବାର କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରଣୀ ବିନୋଦ କୁମାର ଦାସ ନିଳମ୍ବିତ ହୋଇଛନ୍ତି। ବିନୋଦ ଆଜି ବିନା ଅନୁମତିରେ ପରିବାର ଧରି ଭୁବନେଶ୍ୱର ଯାଇଥିବା ନେଇ ସୂଚନା ମିଳିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ ନିଳମ୍ବିତ କରିଛନ୍ତି।

ଜିଲ୍ଲା ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ପ୍ରଧାନଙ୍କ ସୂଚନା କ୍ରମେ କିରଣୀ ବିନୋଦ କୁମାର ଦାସ ଆଜି ଏକ କାର ଯୋଗେ ଭୁବନେଶ୍ୱର ଯାଉଥିବା ବେଳେ ଖଜୁରିପଡା ନାକା ଗେଟରେ କର୍ମଚାରୀମାନେ ତାଙ୍କୁ ଅଟକାଇ ଅନୁମତି ପତ୍ର ଦେଖାଇବାକୁ କହିଥିଲେ। ସେ ଅଫିସ କାମରେ ଯାଉଥିବା କହିଥିଲେ ମଧ୍ୟ ଅନୁମତି ପତ୍ର ନ ଦେଖାଇଲେ ଛଡାଯାଇ ପାରିବ ନାହିଁ ବୋଲି କର୍ମଚାରୀ କହିଥିଲେ। ଏହି ସମୟରେ ଅନୁମତି ନେଇ ଆସିଥିବା ଅନ୍ୟ ଏକ ଟ୍ରକ ପାଇଁ ଗେଟ୍‍ ଖୋଲାଯାଉଥିବା ବେଳେ ବିନୋଦ ଜବରଦସ୍ତ ସେହି ଟ୍ରକ ପଛରେ କାର ନେଇ ଚାଲି ଯାଇଥିଲେ। ଏନେଇ ସେଠାରେ ଥିବା କର୍ମଚାରୀ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଜିଲ୍ଲାପାଳ ତୁରନ୍ତ ସେହି କର୍ମଚାରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ ନିଳମ୍ବିତ କରିଥିବା କହିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୌଣସି ସରକାରୀ କର୍ମଚାରୀ ଜିଲ୍ଲାପାଳଙ୍କ ବିନା ଅନୁମତିରେ ସଦର ମହକୁମା ଛାଡି ଯାଇପାରିବେ ନାହିଁ ବୋଲି ଜିଲ୍ଲାପାଳ ଲିଖିତ ଚିଠି କରିଥିଲେ। ଏହା ସତ୍ତେ୍ୱ ମଧ୍ୟ କିଛି କର୍ମଚାରୀ ଏହାକୁ ଗୁରୁତ୍ୱ ନଦେଇ ବିନା ଅନୁମତିରେ ହଟସ୍ପଟ ଜିଲ୍ଲାକୁ ଯାଇ ଫେରୁଥିବା ଦେଖା ଯାଇଛି। ଦୁଇ ଦିନ ତଳେ ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କର ଜଣେ ଅଧିକାରୀ ବିନା ଅନୁମତିରେ ଭୁବନେଶ୍ୱର ଯାଇ କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ବ୍ୟାଙ୍କ ସେବା ୭ ଦିନ ପାଇଁ ବନ୍ଦ ହୋଇ ଯାଇଛି। ସେହିପରି ଦାରିଙ୍ଗିବାଡି ବିଇଓ ଓ ତାଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ବିନା ଅନୁମତିରେ ଭୁବନେଶ୍ୱର ଯାଇ ଫେରିଥିବା ବେଳେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶରେ ଉଭୟଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯାଇଛି। ଏବେ ଅମାନିଆ ସରକାରୀ କର୍ମଚାରୀ ଜିଲ୍ଲା ପାଇଁ ବିପଦ ଡାକି ଆଣୁଥିବା ଦେଖା ଦେଇଥିବା ବେଳେ ଜିଲ୍ଲାପାଳ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି।

Comments are closed.