ସ୍ୱଚ୍ଛ ବଜାର ପାଇଁ ପ୍ରଶାସନିକ ବୈଠକ

ବାଙ୍କୀ : ବାଙ୍କୀ ଏନ.ଏ.ସି ପ୍ରଶାସନ ତଥା ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବାଙ୍କୀ ଏନ.ଏ.ସି ସମ୍ମିଳନୀ ପ୍ରକୋଷ୍ଠରେ ସ୍ୱଚ୍ଛ ବଜାର ନିମନ୍ତେ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦିନଧରି ବାଙ୍କୀ-ଖୋର୍ଦ୍ଧା ମୁଖ୍ୟ ରାସ୍ତା ଉପରେ ଅସ୍ଥାୟୀ ପରିବା ବ୍ୟବସାୟୀ ମାନେ ରାସ୍ତାର ଉଭୟ ପାର୍ଶ୍ବରେ ବସି ବ୍ୟବସାୟ କରିବା ହେତୁ ଜନସାଧାରଣ ଏବଂ ଗମନା ଗମନରେ ନାନା ସମସ୍ୟା ଘଟୁଛି। ଏନେଇ ଗଣମାଧ୍ୟମରେ ବହୁବାର ଖବର ପ୍ରସାରିତ ହୋଇଛି। ସେପଟେ ବାଙ୍କୀ ବଜାରକୁ ଶୃଙ୍ଖଳିତ ସେବା ଯୋଗଇ ଦେବା ପାଇଁ ବାଙ୍କୀ ନିୟନ୍ତ୍ରିତ ବଜାର କମିଟି ସୌଜନ୍ୟତାରେ ସ୍ଥାନୀୟ ଋଚିକା ହାଟ ଠାରେ ବ୍ୟପକ ବ୍ୟବସ୍ଥା ଥିବା ବେଳେ ଉଠା ଅସ୍ଥାୟୀ ବ୍ୟବସାୟୀ ମାନେ ପରିବା ହାଟକୁ ବିକ୍ରୀପାଇଁ ନିୟମିତ ଯାଉନଥିବାରୁ ଋଚିକା ପରିବା ହାଟ ନିଜର ବୌଦ୍ଧିକ ମାନ ହରାଇ ରାଜସ୍ୱ ହାନୀ କରାଉଛି। ଏଣୁ ଉଭୟ ସମସ୍ୟାର ସମାଧାନ ନିମନ୍ତେ ବାଙ୍କୀକୁ ସ୍ୱଚ୍ଛ ବଜାରର ମାନ୍ୟତା ପାଇଁ ଅନୁଷ୍ଠିତ ପ୍ରଶାସନିକ ପ୍ରସ୍ତୁତି ବୈଠକରେ ତହସିଲଦାର ସତ୍ୟନାରାୟଣ ପଣ୍ଡା, ନିର୍ବାହୀ ଅଧିକାରୀ ବିନୟରଞ୍ଜନ ମହାପାତ୍ର, ବାଙ୍କୀ ଥାନା ସବଇନିସପେକ୍ଟର ସତ୍ୟନାରାୟଣ ସେନାପତି, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅଜୟ ରାଉତ ପ୍ରମୁଖ ଅଧିକାରୀ ମାନେ ଯୋଗଦେଇ ଆଲୋଚନା କରିଛନ୍ତି।

ସୂଚନା ଯୋଗ୍ୟ ଯେ ଦୈନିକ ଖବର କାଗଜ ‘ସମାଜ’ରେ ନଭେମ୍ବର ୬ତାରିଖରେ ରାସ୍ତା ଉପରେ ହାଟ ଶୀର୍ଷକରେ ଖବର ପ୍ରକାଶ ପାଇଲା ପରେ ବାଙ୍କୀ ଏନ.ଏ.ସି କର୍ତ୍ତୃପକ୍ଷଙ୍କ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସକାଳେ ଏନଏସି କର୍ମକର୍ତ୍ତା ଓ ରାଜସ୍ୱ ବିଭାଗର ଅଧିକାରୀ ବାଙ୍କୀ ବଜାର ବୁଲି ରାସ୍ତା ଉପରେ ଅସ୍ଥାୟୀ ବ୍ୟବସାୟ ନକରିବା ପାଇଁ ମୌଖିକ ପ୍ରଚାର କରାଯାଇଥିଲା ବେଳେ ଶନିବାର ଦିନ ସକାଳେ ମାଇକ୍ ଦ୍ୱାରା ବଜାରରେ ଖାଉଟୀ ଓ ବ୍ୟବସାୟୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇ ନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ଋଚିକା ହାଟକୁ ଅସ୍ଥାୟୀ ରାସ୍ତା ପାର୍ଶ୍ବ ପରିବା ହାଟ ସ୍ଥାନାନ୍ତରଣ କରାଯିବା ପାଇଁ ନିବେଦନ କରାଯାଇଛି। ନୃସିଂହ ଛକ ଠାରୁ ଆଦିମାତା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ଅବରୋଧ କରି ବ୍ୟବସାୟ କଲେ ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା କରାଯିବା ସହିତ ଯେଉଁ ସ୍ଥାୟୀ ବ୍ୟବସାୟୀଙ୍କ ସମ୍ମୁଖରେ ରାସ୍ତା ଅବରୋଧ କରି ଅସ୍ଥାୟୀ ବ୍ୟବସାୟୀ ବ୍ୟବସାୟ କଲେ ସମ୍ପୃକ୍ତ ସ୍ଥାୟୀ ଦୋକାନୀଙ୍କ ଉପରେ ଆର୍ଥିକ ଜରିମାନା ଏନଏସି ପକ୍ଷରୁ କରାଯିବ ବୋଲି ପ୍ରଚାର କରାଯାଇଛି। ସେହିପରି କୋଭିଡ୍‍ ନିୟମୁ ଅନୁପାଳନ କରିବା ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

Comments are closed.