ଜାନୁଆରୀ ୮ ତାରିଖ ପରେ ଦଶମ ଶ୍ରେଣୀ ଓ ୧୧ ତାରିଖ ପରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିକାଦାନ କରାଯିବ

୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କୁ କୋଭାକ୍ସିନ୍‌ ଟିକା ଦାନ ନେଇ ପ୍ରସ୍ତୁତି ବୈଠକ, ୩୧-୧୨-୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଟିକାକରଣ ଅନ୍ତର୍ଭୁକ୍ତ ହେବେ

ଭୁବନେଶ୍ୱର : ଆଜି ୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କୁ କୋଭାକ୍ସିନ୍‌ ଟିକା ଦାନ ପ୍ରସ୍ତୁତି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଏକ ମିଳିତ ବୈଠକ ଭର୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକଫର ବିଜୟ କୁମାର ପାଣିଗ୍ରାହୀ ଯୋଗଦେଇ କହିଲେ ଯେ ତା. ୩୧-୧୨-୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଟିକାକରଣ ଅନ୍ତର୍ଭୁକ୍ତ ହେବେ। ଟିକାଦାନ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ବା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥି ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି। ଅଧ୍ୟକ୍ଷମାନେ ବିଦ୍ୟାଳୟ ପରିସରରେ ଟିକାଦାନ ପାଇଁ ଆବଶ୍ୟକୀୟ ସ୍ଥାନ ଯୋଗାଇଦେବେ ଓ ସମସ୍ତ ଛାତ୍ରଛାତ୍ରୀଙ୍କ ଟିକାଦାନ ପାଇଁ ସଚେତନତା ସୃଷ୍ଟି କରିବେ। ପ୍ରଥମ ପାନ ଟିକା ନେବାର ୧୮ରୁ ୪୦ ଦିନ ମଧ୍ୟରେ ଦ୍ୱିତୀୟ ପାନ ଟିକା ଦିଆଯିବ। କରୋନାରେ ପୀଡ଼ିତ ଛାତ୍ରଛାତ୍ରୀ ୩ ମାସ ପରେ ଟିକା ନେଇପାରିବେ।
ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀପିଲାଙ୍କୁ ଟିକା ଦେବା ପାଇଁ ପ୍ରମୁଖ ସଚିବ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ଜାନୁଆରୀ ୮ ତାରିଖ ପରେ ଦଶମ ଶ୍ରେଣୀ ଓ ୧୧ ତାରିଖ ପରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିକାଦାନ କରାଯିବ। ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ ଓ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଦୈନିକ ଟିକାଦାନ ଅଗ୍ରଗତି ସଂପର୍କରେ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟକୁ ଜଣାଇବା ପାଇଁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦେଶ ଦେଇଥିଲେ ।

 

ଭୁବନେଶ୍ୱର ମହାନଗର ନିଗମର କମିଶନର ସଂଜୟ କୁମାର ସିଂହ କହିଲେ ଯେ ଭୁବନେଶ୍ୱରରେ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟିକାଦାନ ବ୍ୟବସ୍ଥା କରାଯିବ। ଏଥିପାଇଁ ଭୁବନେଶ୍ୱର ବ୍ଲକ୍‌ ଶିକ୍ଷା ଅଧିକାରୀ ଓ ଅଧ୍ୟକ୍ଷମାନେ ସିଡିଏମ୍‌ଓଙ୍କ ସହ ଯୋଗାଯୋଗ କରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ସବୁ ଅଧ୍ୟକ୍ଷମାନେ ନିଜ ନିଜ ଜିଲାର ସିଡିଏମ୍‌ଓମାନଙ୍କ ସହ ଯୋଗାଯୋଗ କରି ଟିକାଦାନ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଯୁଗ୍ମ ନିର୍ଦେଶକ ଡ. ସନାତନ ପଣ୍ଡା ଓ ଉପନିର୍ଦେଶକ ଭାଗୀରଥୀ କାଣ୍ଡି ତଦାରଖ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ।
ଟିକାଦାନ ପାଇଁ ଛାତ୍ରଛାତ୍ରୀମାନେ ସଂଚାର ମାଧ୍ୟମରେ କୋୱିନ୍‌ ପୋର୍ଟାଲ୍‌ରେ ଆଗୁଆ ପଞ୍ଜୀକରଣ କରିପାରିବେ ଅଥବା ଟିକାଦାନ କେନ୍ଦ୍ରରେ ପହଞ୍ଚି ପଞ୍ଜୀକରଣ କରିପାରିବେ। ଅଧ୍ୟକ୍ଷ ଓ ପ୍ରଧାନଶିକ୍ଷକମାନେ ଟିକାଦାନ ନିମନ୍ତେ ସମସ୍ତ ଉପଯୁକ୍ତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରି ସିଡିଏମ୍‌ଓଙ୍କ ସହ ଯୋଗଯୋଗ କରିବେ ଓ ସମସ୍ତ ଛାତ୍ରଛାତ୍ରୀ ଟିକାନେବା ସୁନିଶ୍ଚିତ କରିବେ। ଏହି ବୈଠକରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.