ଇକ୍ୱେଡର କାରାଗାରରେ ସଂଘର୍ଷ: ୭୫ କଏଦୀ ମୃତ

ଗୁଆକ୍ବିଲ: ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଇକ୍ୱେଡର କାରାଗାରରେ କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୭୫ ଜଣଙ୍କର ମୃତ୍ୟୁ ଘଟିଛି ଓ ବହୁ କଏଦୀ ଆହତ ହୋଇଛନ୍ତି। ଦେଶର କାରାଗାରଗୁଡ଼ିକରେ ଆବଶ୍ୟକତା ତୁଳନାରେ ବହୁ ଅଧିକ କଏଦୀ ଅବସ୍ଥାନ କରୁଥିବାବେଳେ ବିଭିନ୍ନ କାରଣରୁ ସେମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥାଏ; ତେବେ ମଙ୍ଗଳବାର ଦେଶର ପଶ୍ଚିମାଞ୍ଚଳ ବନ୍ଦର ନଗରୀ ଗୁଆକ୍ବିଲଠାରେ ଥିବା ତିନିଟି କାରାଗାରର କଏଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଲାଗିଥିଲା। ଗୁଆକ୍ବିଲ କାରାଗାରରେ ୨୧ କଏଦୀଙ୍କ ପ୍ରାଣହାନି ଘଟିଥିବାବେଳେ କୁଏନ୍‌କା କାରାଗାରରେ ୩୩ ଓ ଲାଟାଚୁଙ୍ଗା କାରାଗାରରେ ପ୍ରାୟ ୩୦ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨୯ ମହିଳା ଅଛନ୍ତି।

ରାଷ୍ଟ୍ରପତି ଲେନିନ ମୋରେନୋ ଏହି ହିଂସାକାଣ୍ଡ ପଛରେ କିଛି ଆପରାଧିକ ସଂଗଠନର ଭୂମିକା ରହିଥିବା କହିଛନ୍ତି। ଏହି ସଂଗଠନ ବିଭିନ୍ନ କାରାଗାରରେ ଏଭଳି ହଂସାକାଣ୍ଡକୁ ଉସୁକାଉଛନ୍ତି। ସେମାନେ ନିଶାଦ୍ରବ୍ୟ ଚୋରା କାରବାରରେ ସମ୍ପୃକ୍ତ ଏବଂ କାରାଗାର ଭିତରୁ କାରବାର ଚଳାଇବା ସହ କଏଦୀଙ୍କ ମାଧ୍ୟମ​‌େ​‌ର ଏହାର ପ୍ରସାର ଘଟାଉଛନ୍ତି। ଏହି ପରିପ୍ରେକ୍ଷୀରେ ହିଂସା ନିୟନ୍ତ୍ରଣ ପାଇଁ ସେନାକୁ ଦାୟିତ୍ବ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦେଶରେ ପ୍ରାୟ ୬୦ଟି କାରାଗାର ରହିଛି; ଯେଉଁଠାରେ ୩୮ହଜାର କଏଦୀ ରହୁଛନ୍ତି। ମାତ୍ର ୧୫୦୦ ସୁରକ୍ଷାକର୍ମୀ ସେମାନଙ୍କ ଦାୟିତ୍ବରେ ଅଛନ୍ତି। ଏଗୁଡ଼ିକ ବେଆଇନ ନିଶାଦ୍ରବ୍ୟ କାରବାରର ପେଣ୍ଠସ୍ଥଳ ପାଲଟିଛି। ଖୋଲା ବଜାର ଭଳି ସେଠାରେ ସବୁ ବେଆଇନ ସାମଗ୍ରୀ ବିକ୍ରି ହେଉଛି। ଗତ ବର୍ଷ ଏଭଳି ସଂଘର୍ଷରେ ୫୧ କଏଦୀଙ୍କ ମୃତ୍ୟୁ ହୋଇଥିଲା।

Comments are closed.