ରାଉରକେଲାରେ କଣ୍ଟେନମେଣ୍ଟ ଜୋନକୁ ନେଇ ବିିବାଦ, ପୁଲିସ-ଜନତା ଧସ୍ତାଧସ୍ତି

ରାଉରକେଲା : କଣ୍ଟେନମେଣ୍ଟ ଜୋନ ଉଠାଇବା ଦାବିକୁ ନେଇ ବିବାଦ ଦେଖାଦେଇଛି । କିଛି ଅଞ୍ଚଳରୁ ପ୍ରଶାସନ ବଫର ଜୋନ ହଟାଇବା ପରେ ଅନ୍ୟ ଅଞ୍ଚଳର ଲୋକ ନିଜ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ ହଟାଇବା ପାଇଁ ଦାବି କରିବା ସହ କିଛି ଅଞ୍ଚଳରେ ଏନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଜନତା କଣ୍ଟେନମେଣ୍ଟ ହଟାଇବା ପାଇଁ ପୁଲିସ ସହ ଯୁକ୍ତିତର୍କ କରିବା ସହ ପଥରମାଡ କରିଥିବା ଦେଖାଯାଇଛି । ଏହପରେ ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନାଅନୁସାରେ ରାଉରକେଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଭାବେ ଗତ ମାସ ୨୬ ତାରିଖରେ ଘୋଷଣା କରାଯାଇ ବିଭିନ୍ନ କଟକଣା ଲଗାଯାଇଥିଲା। ଏକ ମାସ ପରେ ଆଜି ବଫର ଜୋନରୁ ସମସ୍ତ କଟକଣା ପ୍ରତ୍ୟାହାର କରିନିଆଯାଇଛି। ସେପଟେ କଣ୍ଟେନମେଣ୍ଟ ହଟାଇବାକୁ ସ୍ଥାନୀୟ ଲୋକ ଦାବି କରି ମୁଖ୍ୟ ରାସ୍ତାରେ ପାଟିତୁଣ୍ଡ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି ।

ଅନ୍ୟପଟେ ରାଉରକେଲା ମହାନଗର ନିଗମ ପକ୍ଷରୁ କୁହାଯାଇଛି ଯେ ଏହିସବୁ ଅଞ୍ଚଳରେ ପଜିଟିଭ କେଶ ବାହାରିଥିବାରୁ ଏବଂ ତଦନୁଯାୟୀ ଯଥେଷ୍ଟ ସଂଖ୍ୟକ ଲୋକମାନଙ୍କର ସ୍ୱାବ ପରୀକ୍ଷା ହୋଇପାରିନଥିବାରୁ କଣ୍ଟେନମେଣ୍ଟ ଆଦେଶ ବର୍ତ୍ତମାନ ପାଇଁ ବଳବତ୍ତର ରଖିବାକୁ ସ୍ଥିର କରାଯାଇଛି। ଦୀର୍ଘ ୧ ମାସ ଧରି ସମ୍ପୃକ୍ତ ଅଞ୍ଚଳର ଲୋକେ ପ୍ରଶାସନକୁ ସହଯୋଗ କରିଛନ୍ତି। ପ୍ରଶାସନ ବି ସବୁବେଳେ ଲୋକଙ୍କ ସୁବିଧା ଲାଗି ବିଭିନ୍ନ ପଦକ୍ଷେପ ନେଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ହେଉ ଅବା ସ୍ୱାସ୍ଥ୍ୟ ସେବା କିମ୍ବା ସମ୍ପୃକ୍ତ ଅଞ୍ଚଳରେ ଫସି ରହିଥିବା ଅତ୍ୟାବଶକୀୟ ଜିନିଷ ପତ୍ର ସେଠାରୁ ବାହାର କରିବା ହେଉ ସବୁ କ୍ଷେତ୍ରରେ ମହାନଗର ନିଗମ ପ୍ରଶାସନ ଏକ ପ୍ରକୃତ ବନ୍ଧୁ ଭଳି ଲୋକଙ୍କ ସହ ଛିଡ଼ା ହୋଇଛି। ବିଭିନ୍ନ ସମସ୍ୟାର ସମାଧାନ ଲାଗି ଅହରହ ଚେଷ୍ଟା କରିଛି ।

Comments are closed.