ରଥ ଗଢ଼ା ଏକ ନିର୍ମାଣ କାର୍ଯ୍ୟ; ଧାର୍ମିକ ଉତ୍ସବ ନୁହେଁ – ଗଜପତି

ଭୁବନେଶ୍ବର: ରଥଯାତ୍ରା ଆୟୋଜନ ନେଇ ଗତ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଯେଉଁ ତଥ୍ୟ ପ୍ରକାଶ ପାଇଛି ସେଥିରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଏକ ମତକୁ ଠିକ୍ ଭାବେ ଉପସ୍ଥାପନ କରାଯାଇନଥିବା ଗଜପତିଙ୍କ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି। ରଥ ନିର୍ମାଣ ଏକ ‘ଧାର୍ମିକ କାର୍ୟ୍ୟ ନୁହେଁ’ ବୋଲି ଗଜପତି କହିଥିବା ଯାହା ପ୍ରକାଶ ପାଇଛି ତାହା ଠିକ୍ ନୁହେଁ। ପ୍ରକୃତରେ ଗଜପତି କହିଥିଲେ ଯେ, ରଥ ନିର୍ମାଣ ଏକ ‘ଧାର୍ମିକ ଉତ୍ସବ ନୁହେଁ’ ଏହାର ଅର୍ଥ- ‘ରଥ ତିଆରି ଏକ ନିର୍ମାଣ କାର୍ୟ୍ୟ’; କିନ୍ତୁ ‘ଧାର୍ମିକ ପର୍ବ ବା ଉତ୍ସବ’ ନୁହେଁ। ରଥ ନିର୍ମାଣ ସହ ଦୁଇଟି ଧାର୍ମିକ ଉତ୍ସବ ସମ୍ପୃକ୍ତ। ଗୋଟିଏ ଅକ୍ଷୟ ତୃତୀୟାରେ ରଥ ଅନୁକୂଳ। ଚଳିତବର୍ଷ ଏପ୍ରିଲ ୨୬ ତାରିଖରେ ଦେଶବ୍ୟାପୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଯୋଗୁଁ ରଥଖଳାରେ ରଥ ଅନୁକୂଳ କରାଯିବା ପରିବର୍ତ୍ତେ ଶ୍ରୀମନ୍ଦିର ପରିସରରେ ବିଧିମତେ ସଂପନ୍ନ ହୋଇଥିଲା।
ଅନ୍ୟ ଧାର୍ମିକ ଉତ୍ସବଟି ହେଲା ରଥ ପ୍ରତିଷ୍ଠା, ଯାହା ତିନିଟି ରଥ ନିର୍ମାଣ ସରିବା ପରେ ଗୁଣ୍ଡିଚା ଯାତ୍ରା ସକାଳେ କରାଯାଇଥାଏ। ଏହି ଦୁଇ ଉତ୍ସବରେ କିଛି ନିର୍ଦ୍ଦିଷ୍ଟ ଧାର୍ମିକ ରୀତିନୀତି ଓ ହୋମଯଜ୍ଞ ଆଦି ହୋଇଥାଏ। ଦେଶବ୍ୟାପୀ ଲକ୍ଡାଉନ ସମୟରେ ସରକାର ଧାର୍ମିକ ସମାବେଶ ଓ ଧାର୍ମିକ ଉତ୍ସବ ଉପରେ କଟକଣା ଲଗାଇଛନ୍ତି। ରଥଖଳାରେ କୌଣସି ଧାର୍ମିକ ଉତ୍ସବ ତଥା ସମାବେଶ ନ କରି ସାମାଜିକ ଦୂରତ୍ବ ରକ୍ଷାକରି ରଥ ନିର୍ମାଣ କରାଯାଇପାରିବ। ଏପରିକି ପୁରୀ ଗ୍ରୀନ୍ ଜୋନ୍ରେ ରହିଥିବାରୁ ରଥ ନିର୍ମାଣ ଲାଗି ଶ୍ରୀ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇ ରଥ ଗଢିବା ଲାଗି ସରକାରଙ୍କୁ ସୁପାରିସ କରିଥିବା ଗଜପତିଙ୍କ ପକ୍ଷରୁ ପ୍ରେସ୍ ବିବୃତିରେ କୁହାଯାଇଛି।