ଓଡ଼ିଶାରେ ବିଧାନ ପରିଷଦ ବିବାଦ : ବାଚସ୍ପତିଙ୍କ ସ୍ପଷ୍ଟୀକରଣ

କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ରାଜ୍ୟ ସରକାର, ବିଧାନସଭା ଓ ଜନସାଧାରଣଙ୍କୁ ସ୍ତମ୍ଭିଭୂତ କରିଛି : ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର : କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ  କିରେନ ରିଜିଜ୍ଜୁ ଗୁରୁବାର ରାଜ୍ୟସଭାରେ ସାଂସଦ  ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ  ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ରାଜ୍ୟ ସରକାରଙ୍କଠାରୁ କୌଣସି ପ୍ରସ୍ତାବ ପାଇ ନଥିବା ଜଣାଇଥିଲେ । ଏହାକୁ ନେଇ ରାଜ୍ୟରେ ନୂଆ ବିବାଦ ସୃଷ୍ଟି ହୋଇଛି ।  ତେବେ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଉତ୍ତର ରାଜ୍ୟ ସରକାର, ବିଧାନସଭା ଓ ଜନସାଧାରଣଙ୍କୁ ସ୍ତମ୍ଭିଭୂତ କରିଛି ​​କରିଛି ବୋଲି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।
ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ବାଚସ୍ପତି ଡ. ପାତ୍ର କହିଛନ୍ତି ଯେ ୨୦୧୫ ମସିହାରେ ଡା. ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ କମିଟି ଗଠନ କରାଯାଇଥିଲା । ସେଥିରେ ବିଧାୟିକା  ପ୍ରମିଳା ମଲ୍ଲିକ, ବିଧାୟକ  ଭୂଜବଳ ମାଝୀ,  ମନୋହର ରନ୍ଧାରୀ ଓ  ନିତେଶ ଗଙ୍ଗଦେବ ପ୍ରମୁଖ ସଭ୍ୟ ଥିଲେ। ଏହି କମିଟି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସର୍କିଟ୍ ହାଉସରେ ତା’ର ପ୍ରଥମ ବୈଠକ କରିଥିଲା। ପରବର୍ତ୍ତୀ ସମୟରେ ୨୦୧୫ ଫେବୃଆରୀ ୨ ତାରିଖ, ସେହିବର୍ଷ ମଇ ୨୦ ତାରିଖ, ୨୦୧୮ ମସିହା ଜୁଲାଇ ୪ ତାରିଖ ଏବଂ ଜୁଲାଇ ୧୬ ତାରିଖରେ କମିଟି  କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର ଓ ତେଲେଙ୍ଗାନା ରାଜ୍ୟ ଗସ୍ତ କରି ସେଠାରେ ଚାଲିଥିବା ବିଧାନ ପରିଷଦ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ରାଜ୍ୟ ସରକାର ଏହି ରିପୋର୍ଟ ପାଇବା ପରେ  ସଂସଦୀୟ ବ୍ୟାପାର ମନ୍ତ୍ରୀ ୨୯.୦୮.୨୦୧୮ରିଖରେ ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବା ନେଇ ଏକ ସଂକଳ୍ପ ବିଧାନସଭାକୁ ପଠାଇଥିଲେ । ସେହି ପ୍ରସ୍ତାବକୁ ୨୦୧୮ ମସିହା ସେପେଫମ୍ବର ୫ ତାରିଖରେ ସମସ୍ତ ବିଧାୟକ, ବିଧାୟିକାଙ୍କ ମଧ୍ୟରେ ବଣ୍ଟା ଯାଇଥିଲା । ପରେ  ୦୬/ ୦୯/ ୨୦୧୮ରେ ଏହି ପ୍ରସ୍ତାବ ବିଧାନସଭାରେ ଆଲୋଚନା ହୋଇ ଭୋଟିଂ ହୋଇଥିଲା । ପ୍ରସ୍ତାବଟିକୁ ଦୁଇ ତୃତୀୟାଂଶରୁ ଅଧିକ ସଭ୍ୟସଭ୍ୟା ଉପସ୍ଥିତ ରହି ଭାରତୀୟ ସମ୍ବିଧାନର ଧାରା ୧୬୯(୧) ଅନୁଯାୟୀ ଗ୍ରହଣ କରାଯାଇଥିଲା । ବିଧାନସଭାରେ ଥିବା ୧୪୭ ବିଧାୟକଙ୍କ ମଧ୍ୟରୁ ସମସ୍ତ ଦଳରୁ ୧୦୪ ଜଣ ବିଧାୟକ, ବିଧାୟିକା ଉପସ୍ଥିତ ରହି ସମସ୍ତେ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ। କେହି ମଧ୍ୟ ବିପକ୍ଷରେ ଭୋଟ ଦେଇ ନଥିଲେ ଏବଂ ପ୍ରସ୍ତାବଟି ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ବିଧାନ ପରିଷଦ ଗଠନ ସକାଶେ ୧୮/୦୯/୨୦୧୮ ତାରିଖରେ ବିଧାନସଭାରେ ପାରିତ ପ୍ରସ୍ତାବର ନକଲ ସେକ୍ରେଟାରୀ ଜେନେରାଲ (ଲୋକସଭା) ଓ ସେକ୍ରେଟାରୀ ଜେନେରାଲ (ରାଜ୍ୟସଭା), କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ସଚିବ,   ସଂସଦୀୟ ବ୍ୟାପାର ସଚିବ,  ସଂସଦୀୟ ବ୍ୟାପାର କମିଶନର ନୂଆଦିଲ୍ଲୀ ଏବଂ ଓଡ଼ିଶା ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ, କମିଶନର ତଥା ଶାସନ ସଚିବଙ୍କୁ  ପ୍ରେରଣ କରାଯାଇଥିଲା ।
କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରାଳୟର ସଚିବଙ୍କଠାରୁ ଆରମ୍ଭ କରି ସଂସଦୀୟ ବ୍ୟାପାର ସଚିବ ପର୍ଯ୍ୟନ୍ତ ଚିଠି ପ୍ରେରଣ କଲାପରେ ମଧ୍ୟ ଗତକାଲି ରାଜ୍ୟସଭାରେ ଏପରି ପ୍ରସ୍ତାବ ପାଇନଥିବା ଜଣାଇଥିବା ରାଜ୍ୟ ସରକାର, ବିଧାନସଭା ଓ ସର୍ବୋପରି ଓଡ଼ିଶାର ଜନସାଧାରଣଙ୍କୁ ଚକିତ କରିଛି । ତେଣୁ ଆଜି ଏ ସଂକ୍ରାନ୍ତରେ ଏକ ପ୍ରେସ୍ ବିବୃତିରେ ବାଚସ୍ପତି ଏହା ଜଣାଇଛନ୍ତି।

Comments are closed.