ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଜାଭେରୀ

0

କଟକ : ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଓଡ଼ିଶା ହାଇକୋର୍ଟର ୩୦ତମ ମୁଖ୍ୟ ବିଚାରପତି ଭାବେ ରବିବାର ଅପରାହ୍ଣରେ ଶପଥ ଗ୍ରହଣ କରିଛନ୍ତି । ରଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନୂତନ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତି, ବିଚାର ବିଭାଗୀୟ ଅଧିକାରୀଙ୍କ ସମେତ ବହୁ ବଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

୧୯୫୮, ଜାନୁୟାରୀ ମାସ ୫ତାରିଖରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଜାଭେରୀ ବିଏସ୍‍ସି ପରେ ଏଲଏଲବି ପାଠ୍ୟକ୍ରମ ଶେଷ କରିଥିଲେ। ଏହାପରେ ଜଷ୍ଟିସ ଜେଭେରୀ ୧୯୮୩ରୁ ଗୁଜୁରାଟ ହାଇକୋର୍ଟରୁ ଓକିଲାତି ଆରମ୍ଭ କରିଥିଲେ। ଓକିଲାତି କରିବା ସମୟରେ ୧୯୮୪ରେ ଗୁଜୁରାଟ ବାର ଆସୋସିଏସନ ନିର୍ବାଚନରେ ଯୁଗ୍ମ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୮୮ରୁ ୧୯୯୦ ପର୍ଯ୍ୟନ୍ତ ସଂପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ। ୧୯୮୧ରୁ ୧୯୯୭ ପର୍ଯ୍ୟନ୍ତ ଖ୍ୟାତି ସଂପନ୍ନ ଭାରତ ସ୍କାଉଟ ଆଣ୍ଡ ଗାଇଡିରେ ସଦସ୍ୟ ପଦରେ ରହିଥିଲେ। ଏହାପରେ ରାଜ୍ୟ କମିସନର ଭାବେ ମନୋନୀତ ହୋଇଥିଲେ। ତାଙ୍କ ଜେଜେ ବାପା କାଳୀଦାସ ଝାସକରଣ ଜାଭେରୀ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ମହାତ୍ମା ଗାନ୍ଧି, ସର୍ଦାର ଭାଇ ପଟେଲଙ୍କ ନିକଟତମ ସହଯୋଗୀ ଥିଲେ। ବାପା ସତ୍ୟେନ୍ଦ୍ର କାଳୀଦାସ ଜାଭେରୀ ଥିଲେ ଜଣେ ଆଇନଜୀବୀ। ତେବେ ଜଷ୍ଟିସ ଜାଭେରୀ ଆଇଟି କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବାବେଳେ ଗୁଜୁରାଟ ହାଇକୋର୍ଟ ଲିଗାଲ ଏଡ କମିଟିର ଅଧ୍ୟକ୍ଷ ଓ ଜୁଡିସିଆଲ ଏକାଡେମିର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ।
୨୦୦୪, ମାର୍ଚ୍ଚ ମାସ ୭ରେ ଜଷ୍ଟିସ ଜାଭେରୀଙ୍କୁ ଗୁଜୁରାଟ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ଦିଆଯାଇଥିଲା। ୨୦୦୫, ଜୁନ ମାସ ୨୨ତାରିଖରେ ସେ ସ୍ଥାୟୀ ବିଚାରପତି ଭାବେ ମାନ୍ୟତା ପାଇଥିଲେ। ୨୦୧୬, ଅଗଷ୍ଟ ମାସ ୨୪ରେ ରାଜସ୍ଥାନ ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା। ସୁପ୍ରିମକୋର୍ଟକୁ ଜଷ୍ଟିସ ବିନୀତ ଶରଣଙ୍କ ପଦୋନ୍ନତି ପରେ ଜଷ୍ଟିସ ଜାଭେରୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।

Leave A Reply