ନିର୍ଭୟା ମାମଲା ପୁନର୍ବିଚାର ଶୁଣାଣି: ଖଣ୍ଡପୀଠରୁ ଓହରିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ଅକ୍ଷୟ କୁମାର ସିଂହର ପୁନର୍ବିଚାର ଆବେଦନ ଉପରେ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ଆରମ୍ଭ ହେବା ମାତ୍ରେ ପ୍ରଧାନ ବିଚାରପତି ୩ ଜଣିଆ ଖଣ୍ଡପୀଠରୁ ଓହରି ଯାଇଛନ୍ତି। ପୀଡ଼ିତାଙ୍କ ପକ୍ଷରୁ ପ୍ରଧାନ ବିଚାରପତିଙ୍କ ଝିଅ ମାମଲା ଲଢୁଛନ୍ତି। ତେଣୁ ନୈତିକତା ଦୃଷ୍ଟରୁ ପ୍ରଧାନ ବିଚାରପତି ଏସ୍‍.ଏ. ବୋବ୍‌ଡ଼େ ଖଣ୍ଡପୀଠରୁ ଓହରି ଯାଇଥିବା ଜଣାପଡ଼ିଛି। ପ୍ରଥମେ ପ୍ରଧାନ ବିଚାରପତି ଜଷ୍ଟିସ୍‍ ବୋବ୍‌ଡ଼େ, ଜଷ୍ଟିସ୍‍ ଆର୍‍ ଭାନୁମତି ଓ ଜଷ୍ଟିସ୍‍ ଅଶୋକ ଭୂଷଣଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାର ଥିଲା। ମାତ୍ର ଏବେ ନୂତନ ଖଣ୍ଡପୀଠ ବୁଧବାର ଏହି ମାମଲାର ଶୁଣାଣି କରିବେ।

ସୂଚନାଯୋଗ୍ୟ, ନିର୍ଭୟ ମାମଲାର ୪ ଦୋଷୀଙ୍କୁ ୨୦୧୭ରେ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା। ଏହି ମାମଲାର ପୁନର୍ବିଚାର ପାଇଁ ଆବେଦନ କରିଥିବା ୩ ଦୋଷୀ ମୁକେଶ, ପୱନ ଗୁପ୍ତା ଓ ବିନୟ ଶର୍ମାଙ୍କ ପୁନର୍ବିଚାର ପିଟିଶନ୍‍କୁ ଚଳିତ ବର୍ଷ ୯ ଜୁଲାଇରେ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଏହାପରେ ଦୋଷୀ ଅକ୍ଷୟ କୁମାର ସିଂହଙ୍କ ଓକିଲ ତାଙ୍କ ସପକ୍ଷରେ ପୁନର୍ବିଚାର ଆବେଦନ ଦାଖଲ କରିଛନ୍ତି, ଯାହାର ଶୁଣାଣି ଆଜି ହେବାର ଥିଲା।

Comments are closed.