କ୍ରିକେଟ ଖେଳିଲେ ପ୍ରଧାନ ବିଚାରପତି, ସର୍ବାଧିକ ରନ୍‌ କଲେ

ନାଗପୁର: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େ ରବିବାର ଦିନିକିଆ ଗସ୍ତରେ ନାଗପୁରରେ ପହଞ୍ଚିଥିଲେ। ଏହି ଅବସରରେ ସେ ନାଗପୁର ବାର ଆସୋସିଏସନ ଦ୍ବାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ। ସ୍ଥାନୀୟ ବିସିଏ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ‘ଅଲ ଜଜ୍‌ ଇଲେଭେନ’ ଓ ‘ହାଇକୋର୍ଟ ବାର ଆସୋସିଏସନ’ ଟିମ୍‌ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଜଷ୍ଟିସ୍‌ ବୋବଡ଼େ ‘ଅଲ ଜଜ୍‌ ଇଲେଭେନ’ ଟିମ୍‌ ପକ୍ଷରୁ ଖେଳି ବ୍ୟକ୍ତିଗତ ୧୮ ରନ କରି ଆଉଟ ହୋଇଥିଲେ। ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ଜଷ୍ଟିସ୍‌ ବୋବଡେ ହିଁ ସର୍ବାଧିକ ରନ କରିଥିଲେ। ତେବେ ଏହି ବନ୍ଧୁତ୍ବ ପୂର୍ଣ୍ଣ ମ୍ୟାଚରେ ବିପକ୍ଷ ଟିମ୍‌ ‘ହାଇକୋର୍ଟ ବାର ଆସୋସିଏସନ’ ଚମ୍ପିଆନ ହୋଇଥିଲା। ଏହି ମ୍ୟାଚ୍‌କୁ ଉପଭୋଗ କରିଥିଲେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ।

Comments are closed.