ଆଇନ ପ୍ରଣୟନ ପୂର୍ବରୁ ଏହାର ପ୍ରତିଫଳ ଅଧ୍ୟୟନ କରନ୍ତି ନାହିଁ ଲୋକ ପ୍ରତିନିଧି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସଂସଦ ବା ବିଧାନସଭାରେ ଆଇନ ପ୍ରଣୟନ ସମୟରେ ଏହାର ସଦସ୍ୟମାନେ ଏହି ଆଇନର ପ୍ରତିଫଳ ବା ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରି ନଥାନ୍ତି। ସେଥି ଯୋଗୁଁ ଏହାକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହୋଇଥାଏ। ବେଳେବେଳେ ଏହା ଗୁରୁତର ପ୍ରସଙ୍ଗ ପାଲଟିଯାଏ ଏବଂ ନ୍ୟାୟପାଳିକା ଉପରେ ବୋଝ ହୋଇପଡ଼େ। ସେଥିଯୋଗୁଁ ବିଚାରାଳୟରେ ମାମଲା ସଂଖ୍ୟା ବଢ଼ିଚାଲିଛି। ଏଭଳି ମତ ଦେଇଛନ୍ତି ଭାରତର ପ୍ରଧାନ ବିଚାରପତି ଏନ.ଭି.ରମଣା। ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ଆଇନଜୀବୀ ସଂଘ ପକ୍ଷରୁ ଆରମ୍ଭ ହୋଇଥିବା ସମ୍ବିଧାନ ଦିବସ ପାଳନ ଉତ୍ସବର ଉଦ୍‌ଯାପନୀ ସଭାରେ ଆଇନଜୀବୀମାନଙ୍କୁ ସମ୍ବୋଧିତ କରି ଶନିବାର ସେ କହିଛନ୍ତି ଯେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ନ୍ୟାୟ ପ୍ରଦାନ ପାଇଁ ଆଇନଜୀବୀମାନଙ୍କର ଅଭିଯାନ ଯେମିତି ଅଟକି ନ ଯାଏ ସେଥିପ୍ରତି ଧ୍ୟାନ ଦିଆଯିବା ଉଚିତ। ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ମିଳିଥିବା ପରାମର୍ଶକୁ ସରକାର ବିଚାର କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବହୁ ବିଚାରପତି ମଧ୍ୟ ଉପସ୍ଥିତ ଥିଲେ। ବିଚାର ବିଭାଗୀୟ ଭିତ୍ତିଭୂମି ବୃଦ୍ଧି ପାଇଁ ସେ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।

Comments are closed.