ଲୋକଙ୍କୁ ଦୃଷ୍ଟିରେ ରଖି ଆଇନ ହେବା ଆବଶ୍ୟକ – ପ୍ରଧାନ ବିଚାରପତି

କଟକ: ଦେଶରେ ବିଚାର ବ୍ୟବସ୍ଥାରେ ପରିବର୍ତ୍ତନ ଉପରେ ପ୍ରଧାନ ବିଚାରପତି ଗୁରୁତ୍ବାରୋପ କରିଛନ୍ତି। କଟକରେ ଓଡ଼ିଶା ଆଇନସେବା ପ୍ରାଧିକରଣର ନୂଆ କୋଠା ‘ଆଇନସେବା ଭବନ’କୁ ଉଦ୍‌ଘାଟନ କରିବା ଅବସରରେ ଓଡ଼ିଶା ଜୁଡିସିଆଲ ଏକାଡେମୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଧାନ ବିଚାରପତି ଏନ.ଭି.ରମଣା ବିଚାର ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଓଡ଼ିଶାର ଇତିହାସ ଉପରେ ପ୍ରଧାନ ବିଚାରପତି କହିଥିଲେ ଯେ ଏହାର ସଂସ୍କୃତି ଓ ପରମ୍ପରା ଅନ୍ୟ ସଭ୍ୟତାକୁ ମଧ୍ୟ ବହୁଳ ଭାବେ ପ୍ରଭାବିତ କରିଛି। ଏହି ଅବସରରେ ସେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କବିତା ‘ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ…..’ ଆବୃତ୍ତି କରିଥ‌ିଲେ। ଓଡ଼ିଶାର ଆଇନଗତ ଇତିହାସ ଅନନ୍ୟ ବୋଲି ସେ କହିଥିଲେ। କଟକ ବାର୍ ଆସୋସିଏସନ୍ ଦେଶର ଏକ ପୁରାତନ ବାର୍ ଆସୋସିଏସନ୍ ହୋଇଥିବା ବେଳେ ଉତ୍କଳ ଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ଉତ୍କଳମଣି ଗୋପବନ୍ଧୁ ଦାସ, ଜାନକୀନାଥ ବୋଷ, ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା।

ଓଡ଼ିଶାର ଇତିହାସ ସମୃଦ୍ଧ ହୋଇଥିବାବେଳେ ଏଠାରେ ରାଜ୍ୟ ଆଇନସେବା ପ୍ରାଧିକରଣର ନୂଆ କୋଠା ଉଦ୍‌ଘାଟନ କରି ସେ ବହୁତ ଖୁସି ବୋଲି ପ୍ରଧାନ ବିଚାରପତି କହିଥିଲେ। ଦେଶର ଜନସାଧାରଣ ‌ନ୍ୟାୟ ପ୍ରଦାନ ପ୍ରକ୍ରିୟାର କିଭଳି ନିକଟତର ହେବେ ତା ଉପରେ ପ୍ରଧାନ ବିଚାରପତି ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ନ୍ୟାୟ ପ୍ରଦାନ ପ୍ରକ୍ରିୟା, ଭାଷା ଓ ଅଭ୍ୟାସ ସବୁକିଛି ସାଧାରଣ ଲୋକଟିଏ ପାଇଁ ଜଟିଳତା ବୋଧ ହେଉଛି। ଏଭଳି ବ୍ୟବସ୍ଥା ଭିତରେ ସାଧାରଣ ଲୋକ ନିଜ ଅଭିଯୋଗର ଭାଗ୍ୟ ଭବିଷ୍ୟତ ଉପରେ ନିୟନ୍ତ୍ରଣ ରଖି ପାରୁ ନାହିଁ। ନ୍ୟାୟ ଲୋଡ଼ୁଥିବା ବ୍ୟକ୍ତି ନିଜକୁ ଜଣେ ବାହାର ଲୋକ ବୋଲି ମନେ କରୁଛି। ସାମାଜିକ ବାସ୍ତବିକତାକୁ ଅନେକ ସମୟରେ ଆମ ନ୍ୟାୟିକ ବ୍ୟବସ୍ଥା ବିଚାରକୁ ନେବାରେ ବିଫଳ ହୋଇଥାଏ। ଲୋକମାନେ ନିଜ ସମସ୍ୟାକୁ ନେଇ ଅଦାଲତକୁ ଆସିଥାନ୍ତି; କିନ୍ତୁ ଦିନ ଶେଷରେ ତାଙ୍କ ପାଇଁ ରହିଯାଇଥାଏ ଆଉ ଏକ ମାମଲା। ଆଇନ ପ୍ରଣୟନ କରିବା ଅଦାଲତଙ୍କ ଦାୟିତ୍ବ ବୋଲି ସାଧାରଣ ଭାବେ ଲୋକେ ଭାବିଥିବାବେଳେ ଏଭଳି ଧାରଣା ଦୂର ହେବା ଉଚିତ। ଏଭଳି ସ୍ଥିତିରେ ବ୍ୟବସ୍ଥାପକ ଓ କାର୍ଯ୍ୟପାଳିକାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସମୟକୁ ଚାହିଁ ଓ ସାଧାରଣ ଲୋକଙ୍କୁ ସୁହାଉଥିବା ଆଇନ ହେବା ଆବଶ୍ୟକ ବୋଲି ପ୍ରଧାନବିଚାରପତି ମତ ଦେଇଛନ୍ତି। ଆଇନରେ ଥିବା ବ୍ୟବସ୍ଥାରେ ସଂସ୍କାର ଆଣି ବ୍ୟବସ୍ଥାପକ ସଭା ଏହାକୁ ସମୟ ଓ ଜନସାଧାରଣଙ୍କ ପାଇଁ ଉପଯୋଗୀ କରିବା ଉଚିତ। ଆଇନ ଆମ ବାସ୍ତବିକତା ଅନୁରୂପ ହେବା ଉଚିତ। ଓଡିଶାରେ ୮୩.୩% ଲୋକ ଗ୍ରାମାଞ୍ଚଳରେ ରହନ୍ତି। ଅନେକ ସମୟରେ ସେମାନେ ବିଚାର ପ୍ରଦାନ ବ୍ୟବସ୍ଥା ବାହାରେ ରହୁଥିବା ପରିଲକ୍ଷିତ ହେଉଛି। ଏଣୁ ଆଇନ ସେବା ପ୍ରାଧିକରଣର ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଇନ ସେବା ପ୍ରାଧିକରଣଗୁଡ଼ିକର ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ସଚେତନ କରୁଛି। ଆଇନସେବା ପ୍ରାଧିକରଣଗୁଡ଼ିକ ବି ବିଚାର ବ୍ୟବସ୍ଥାର ଅଭିନ୍ନ ଅଙ୍ଗ। ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥା ଭିତ୍ତିଭୂମି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହଯୋଗକୁ ପ୍ରଧାନ ବିଚାରପତି ପ୍ରଶଂସା କରିଥିଲେ।

ଉତ୍ସବରେ ଜାତୀୟ ଆଇନସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ୟୁ.ୟୁ. ଲଳିତ ଉଦ୍‌ବୋଧନ ଦେଇ ଓଡ଼ିଶା ହାଇକୋର୍ଟ ଭିତ୍ତିଭୂମିର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ତଥା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ବିନୀତ ଶରଣ ଯୋଗଦେଇ ଆଇନସେବା ଭବନ ‌ଲୋକଙ୍କୁ ଆଇନସେବା ପ୍ରଦାନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଥିଲେ। ଉତ୍ସବରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ. ମୁରଲୀଧର ସ୍ୱାଗତ ଭାଷଣ ଦେଇଥିବାବେଳେ ଉଚ୍ଚନ୍ୟାୟାଳୟ ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାଧନ ବିଚାରପତି ଆଜି ଆଇନସେବା ଭବନର ଲୋକାର୍ପଣ କରିବା ପରେ ଓଡ଼ିଶା ଜୁଡିସିଆଲ ଏକାଡେମୀ ଓ ଉଚ୍ଚନ୍ୟାୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଉଚ୍ଚନ୍ୟାୟାଳୟର ବିଚାରପତିବୃନ୍ଦ, ରେଜିଷ୍ଟ୍ରିର ଅଧିକାରୀ, ରାଜ୍ୟ ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବ, ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.