ସାଙ୍ଘାତିକ ବିପଦରେ ବିଚାର ବିଭାଗ : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ  : କୋର୍ଟର ଜଣେ ପୂର୍ବତନ କର୍ମଚାରୀ ତାଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଶନିବାର ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଓ ବିଚାରବିଭାଗର ସ୍ବାଧୀନତା ଉପରେ ଆକ୍ରମଣ ଉଦ୍ଦେଶ୍ୟ ନେଇ ସମ୍ପୃକ୍ତ ମହିଳା କର୍ମଚାରୀ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି ଗୋଗଇ ଦର୍ଶାଇଛନ୍ତି। ସେ କହିଛନ୍ତି ଜଣେ ବିଚାରପତିଙ୍କ ପାଇଁ ସମ୍ମାନ ଓ ପ୍ରତିଷ୍ଠା ଭିନ୍ନ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ନୁହେଁ। ବିଚାରପତିଙ୍କ ସମ୍ମାନ ଉପରେ ଆକ୍ରମଣ ହେବା ଅତ୍ୟନ୍ତ ଚିନ୍ତାଜନକ। ଏହାଦ୍ବାରା ବିଚାରବିଭାଗର ସ୍ବାଧୀନତା ସାଙ୍ଘାତିକ ବିପଦରେ ପଡିଛି। ଯଦି ବିଚାରପତିମାନଙ୍କୁ ଏଭଳି ପରିସ୍ଥିତି ମଧ୍ୟରେ କାର୍ଯ୍ୟ କରିବାକୁ ପଡେ ତା’ହେଲେ ଉତ୍ତମ ବ୍ୟକ୍ତିମାନେ ଏହି କାର୍ଯ୍ୟାଳୟରେ ଯୋଗଦେବାକୁ ଆସିବେ ନାହିଁ।
ଶନିବାର ଚାରୋଟି ଗଣମାଧ୍ୟମରେ ଯୌନ ଅଭିଯୋଗ ସମ୍ବନ୍ଧୀୟ ଖବର ପ୍ରକାଶ ପାଇଥିଲା। ଏନେଇ ଦୁଃଖିତ ଥିବା ପ୍ରଧାନ ବଚାରପତି କହିଛନ୍ତି, ଏହି ଅଭିଯୋଗର ଯାଞ୍ଚ ପାଇଁ ଗଠିତ କମିଟିରେ ସେ ସଦସ୍ୟ ରହିବେ ନାହିଁ। ଅନ୍ୟ ବରିଷ୍ଠ ବିଚାରପତିମାନେ ତାହାର ବିଚାର କରିବେ। କିନ୍ତୁ ପ୍ରଧାନବିଚାରପତି ଭାବେ କର୍ତ୍ତବ୍ୟ ଦୃଷ୍ଟିରୁ ସେ ଏହି ଖଣ୍ଡପୀଠର ସ୍ବତନ୍ତ୍ର ଶୁଣାଣି ଡକାଇଛନ୍ତି। ବିଚାରବିଭାଗ ଭୟଙ୍କର ବିପଦରେ ପଡିଛି ବୋଲି ଜଣାଇବା ନିମନ୍ତେ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନ ବିଚାରପତି ଗୋଗଇ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ଓ ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ କହିଛନ୍ତି। ପ୍ରଧାନବିଚାରପତି ଆହୁରି କହିଛନ୍ତି ଯଦି ବିଚାରପତିମାନଙ୍କ ସମ୍ମାନ ଉପରେ ଏଭଳି ଆକ୍ରମଣ କରାଯାଏ ତା’ହେଲେ କୌଣସି ବିଚାରପତି ମାମଲାର ବିଚାର କରିବେ ନାହିଁ। ଦୀର୍ଘ ୨୦ ବର୍ଷର ନିଃସ୍ବାର୍ଥ ସେବା ପରେ ଜଣେ ପ୍ରଧାନ ବିଚାରପତିଙ୍କୁ ଏଭଳି ପୁରସ୍କାର ଦିଆଯାଇଛି। ତାଙ୍କ ବ୍ୟାଙ୍କରେ ମାତ୍ର ୬ କୋଟି ୮୦ ଲକ୍ଷ ଟଙ୍କା ରହିଛି। ଏପରିକି ତାଙ୍କ ପିଅନଙ୍କ ସମ୍ପତି ମଧ୍ୟ ତାଙ୍କଠାରୁ ଅଧିକ। ଏଭଳି ଅଭିଯୋଗ ଦ୍ବାରା ଅତ୍ୟନ୍ତ ମର୍ମାହତ ହୋଇଥିବାରୁ ସେ ଏହା ପ୍ରକାଶ କରୁଛନ୍ତି। ବିଚାର ବିଭାଗର ସର୍ବୋଚ୍ଚ ପଦରେ ଥାଇ ଏହା କହିବା ଉଚିତ ବୋଲି ସେ ଭାବୁଥିବା ପ୍ରଧାନ ବିଚାରପତି ଦର୍ଶାଇଛନ୍ତି।
ଅଭିଯୋଗକାରିଣୀଙ୍କ ସମ୍ବନ୍ଧରେ ପ୍ରକାଶ କରି ସେ କହିଛନ୍ତି ସମ୍ପୃକ୍ତ ପୂର୍ବତନ କର୍ମଚାରୀଙ୍କ ବିରୋଧରେ ଦୁଇଟି ଏଫଆଇଆର ରହିଛି। କୋର୍ଟ ପ୍ରଶାସନ ତାଙ୍କ ବିରୋଧରେ ଥିବା ଏକ ଅଭିଯୋଗ ଉପରେ ଯାଞ୍ଚ ପାଇଁ ଦିଲ୍ଲୀ ପୁଲିସକୁ କହିଛନ୍ତି। ତେବେ କୋର୍ଟର ଜଣେ କନିଷ୍ଠ ସହକାରୀ ଅଧିକାରୀଙ୍କ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିବାର ଷଡ଼ଯନ୍ତ୍ର କରିଥାଇପାରନ୍ତି ବୋଲି ସେ ଭାବୁନାହାନ୍ତି। ଏହା ନିଶ୍ଚିତ ଭାବେ ଏକ ବୃହତ ଷଡ଼ଯନ୍ତ୍ର। ଷଡ଼ଯନ୍ତ୍ରକାରୀମାନେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟକୁ ନିଷ୍କ୍ରିୟ କରିବକୁ ଚାହୁଁଛନ୍ତି । ତାଙ୍କ ନେତୃତ୍ବାଧୀନ ପୀଠ ଆଗାମୀ ସପ୍ତାହରେ କେତେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିବାକୁ ଯାଉଥିବାରୁ ଉକ୍ତ ଶୁଣାଣିରୁ ତାଙ୍କୁ ହଟାଇବା ଉଦ୍ଦେଶ୍ୟରେ ଏଭଳି ଅଭିଯୋଗ ଅଣାଯାଇଥାଇପାରେ ବୋଲି ଗୋଗଇ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଉଲ୍ଲେଖ ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ, ପଶ୍ଚିମବଙ୍ଗ ଓ ସିବିଆଇ ବିବାଦ ଏବଂ ତାମିଲନାଡୁରେ ଭୋଟରଙ୍କୁ ବିପୁଳ ଲାଞ୍ଚ ପ୍ରଦାନ କରାଯାଇଥିବା ଅଭିଯୋଗ ପରିପ୍ରେକ୍ଷୀରେ ରାଜ୍ୟରେ ନିର୍ବାଚନ ସ୍ଥଗିତ କରିବା ସମ୍ବନ୍ଧୀୟ ଆବେଦନ ଉପରେ ପ୍ରଧାନ ବିଚାରପତିଙ୍କ ପୀଠ ଆଗାମୀ ସପ୍ତାହରେ ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି। ବିଚାର ବ୍ୟବସ୍ଥା ଉପରେ ଯଦି ଆସ୍ଥା ନ ରୁହେ ତା’ହେଲେ ବିଚାରପତିମାନେ କିଭଳି କାର୍ଯ୍ୟ କରିବେ ବୋଲି ପୀଠର ଅନ୍ୟତମ ସଦସ୍ୟ ବିଚାରପତି ଅରୁଣ ମିଶ୍ର ପ୍ରଶ୍ନ କରିଛନ୍ତି। ଏଥିସହ ଏହି ମାମଲା ଉପରେ ବର୍ତ୍ତମାନ ପାଇଁ କୌଣସି ନିର୍ଦେଶ ଜାରି କରାଯିବ ନାହିଁ ବୋଲି ପୀଠ କହିଛନ୍ତି। ଏହି ମାମଲା ସମ୍ବନ୍ଧୀୟ ଖବର ପ୍ରସାରଣ ନିଷ୍ପତ୍ତି ଗଣମାଧ୍ୟମର ଇଚ୍ଛା ଉପରେ ପୀଠ ଛାଡିଛନ୍ତି। ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ବିଚାର ବିଭାଗର ସ୍ବାଧୀନତା ଗୌଣ କରୁଥିବା ବେଳେ ସେଗୁଡିକର ଯାଞ୍ଚ ମଧ୍ୟ ହୋଇନାହିଁ। ଏଭଳି ସ୍ଥିତିରେ ଏ ସମ୍ବନ୍ଧୀୟ ଖବର ଗଣମାଧ୍ୟମଗୁଡିକ ପ୍ରସାରଣ ନ କରିବା ଉଚିତ ବୋଲି ବିଚାରପତି ମିଶ୍ର ଓ ପୀଠ ଅନ୍ୟତମ ସଦସ୍ୟ ବିଚାରପତି ସଞ୍ଜୀବ ଖାନ୍ନା ପରାମର୍ଶ ମଧ୍ୟ ଦେଇଛନ୍ତି। ଜରୁରୀ ଶୁଣାଣି ବେଳେ ତାଙ୍କ ବିରୋଧରେ ଆସିଥିବା ଯୌନ ଅଭିଯୋଗ ସମ୍ବନ୍ଧରେ ଚାରୋଟି ଗଣମାଧ୍ୟମ ସ୍କ୍ରଲ, ଲିଫଲେଟ, ଦି ୱେର ଏବଂ ଦି କାରାଭାନ ଖବର ପ୍ରକାଶ କରିଥିବା ମଧ୍ୟ ପ୍ରଧାନ ବିଚାରପତି କହିଥିଲେ। ଅପରାଧ ମାମଲାରେ ଅଭିଯୁକ୍ତ ଥିବା ଜଣେ ମହିଳାଙ୍କ ଅଭିଯୋଗ ଉପରେ ଯାଞ୍ଚ ହୋଇ ନ ଥିବା ବେଳେ ଏହି ଗଣମାଧ୍ୟମଗୁଡିକ ଖବର ପ୍ରକାଶ କରିଛନ୍ତି। ବିଚାରପତିମାନଙ୍କ ମଧ୍ୟରେ ଏହାକୁ ନେଇ ସମାନ ଭୟ ସଞ୍ଚାରିତ ହୋଇଛି ବୋଲି ସେ ଦର୍ଶାଇଛନ୍ତି।
ଉଲ୍ଲେଖ ଯେ ସାଧାରଣତଃ ସୁପ୍ରିମକୋର୍ଟରେ ଶନିବାର ଶୁଣାଣି ବନ୍ଦ ରୁହେ। କିନ୍ତୁ ଏହି ଚାରୋଟି ୱେବ ପୋର୍ଟାଲରେ ତାଙ୍କ ବିରୋଧରେ ଯୌନ ଅଭିଯୋଗ ସମ୍ବନ୍ଧୀୟ ଖବର ପ୍ରକାଶ ପାଇବା ତଥା ସାମାଜିକ ଗଣମାଧ୍ୟମରେ ତାହା ପ୍ରକାଶ କରାଯିବା ପରେ ପ୍ରଧାନ ବିଚାରପତି ଶନିବାର ପୀଠରେ ସ୍ବତନ୍ତ୍ର ଶୁଣାଣି ଡକାଇଥିଲେ।
ଅଭିଯୋଗକାରିଣୀଙ୍କ ଜାମିନ ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ  : ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କ ଜାମିନ ସମ୍ବନ୍ଧୀୟ ଶୁଣାଣିକୁ ଶନିବାର ଦିଲ୍ଲୀର ଏକ କୋର୍ଟ ଆସନ୍ତା ଏପ୍ରିଲ ୨୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ହରିୟାଣାର ଝାଜ୍ଜର ନିବାସୀ ନବୀନ କୁମାର ନାମକ ଜଣେ ବ୍ୟକ୍ତି ନୂଆଦିଲ୍ଲୀର ତିଳକ ମାର୍ଗ ପୁଲିସ ଷ୍ଟେଶନଠାରେ ମାର୍ଚ୍ଚ ୩ରେ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଠକେଇ, ଧମକ ଦେବା ତଥା ଅପରାଧ ଷଡ଼ଯନ୍ତ୍ର ଅଭିଯୋଗରେ କେଶ ରୁଜୁ କରିଥିଲେ। ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ତାଙ୍କ ବିରୋଧରେ ଯାଞ୍ଚ କରୁଛି। ମହିଳା ଜଣକ ଏବେ ଜାମିନରେ ଅଛନ୍ତି। କିନ୍ତୁ ସେ ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ଧମକ ଦେଉଛନ୍ତି ବୋଲି ଅଭିଯୋଗକାରୀ ବ୍ୟକ୍ତି କ୍ରାଇମ ବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ସମ୍ପୃକ୍ତ ମହିଳାଙ୍କ ଜାମିନ ରଦ୍ଦ କରିବାକୁ କ୍ରାଇମବ୍ରାଞ୍ଚ ପୁଲିସ ମାର୍ଚ୍ଚ ୧୨ରେ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲା। ଏହି ଆବେଦନର ନକଲ ଅଭିଯୁକ୍ତାଙ୍କୁ ପ୍ରଦାନ କରାଯାଇ ନ ଥିବାରୁ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ମନିଶ ଖୁରାନା ମାମଲାର ଶୁଣାଣି ପାଇଁ ପରବର୍ତ୍ତୀ ତାରିଖ ଘୋଷଣା କରିଛନ୍ତି।

Comments are closed.