ପ୍ରଧାନ ବିଚାରପତିଙ୍କ ‘ନୋ ଲିଭ’ ଯୋଜନା

0

ନୂଆଦିଲ୍ଲୀ : କୋର୍ଟଗୁଡିକରେ ପଡିରହିଥିବା ସଂଖ୍ୟାଧିକ ମାମଲାର ବିଚାର ପ୍ରକ୍ରିୟା ଶେଷ କରିବା ଲାଗି ନବନିଯୁକ୍ତ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଏକ ନୂତନ ସୂତ୍ର ଆପଣାଇଛନ୍ତି। ଏଥିନିମନ୍ତେ ସେ ‘ନୋ ଲିଭ୍‍’ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାନୁଯାୟୀ ଏଣିକି କାର୍ଯ୍ୟଦିବସଗୁଡିକରେ କୌଣସି ବିଚାରପତି ଛୁଟି ନେଇ ପାରିବେ ନାହିଁ। ପ୍ରମୁଖ ଗଣମାଧ୍ୟମ ଟାଇମ୍ସ ଅଫ୍‍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ହାଇକୋର୍ଟ ବିଚାରପତି ତଥା କୋର୍ଟର ବିଚାର ବିଭାଗୀୟ ଅଧିକାରୀମାନେ ଜରୁରୀ ପରିସ୍ଥିତିକୁ ଛାଡ଼ିଦେଲେ ଅନ୍ୟ କାର୍ଯ୍ୟଦିବସଗୁଡିକରେ ଛୁଟି ନ ନେବାକୁ ସେ ନିର୍ଦେଶ ଦେଇଛନ୍ତି। ଏ ନେଇ ସେ ଚିଠି ଲେଖି କାର୍ଯ୍ୟଦିବସରେ ବିଚାରପତିମାନେ ଏଲଟିସି ବା ଅବକାଶ ଭ୍ରମଣ ଛୁଟି ନେବା ଉପରେ ମଧ୍ୟ କଟକଣା ଲାଗୁ କରିଥିବା ଜଣାପଡିଛି। ବିଚାରପତିମାନଙ୍କୁ ଏଲ୍‍ଟିସି ନେବା ଲାଗି ଆଗୁଆ ନିଜର ସହଯୋଗୀ ବିଚାରପତି ତଥା ମୁଖ୍ୟ ବିଚାରପତିଙ୍କ ସହିତ ଯୋଗାଯୋଗ କରି ଯୋଜନା ପ୍ରସ୍ତୁତ କରିବାକୁ ହେବ। ସମ୍ପ୍ରତି ସୁପ୍ରିମକୋର୍ଟ ବିଚାରପତିମାନଙ୍କୁ ବର୍ଷକୁ ତିନୋଟି ଏଲ୍‍ଟିସି ମିଳୁଛି। ପୂର୍ବତନ ପ୍ରଧାନ ବିଚାରପତି ପି. ସଦାଶିବମ୍‍ ମଧ୍ୟ ୨୦୧୩-୧୪ରେ ନିଜର ସହଯୋଗୀମାନଙ୍କୁ କାର୍ଯ୍ୟଦିବସରେ ବିଦେଶ ଯାତ୍ରାରେ ନ ଯିବାକୁ ପରାମର୍ଶ ଦେଇଥିଲେ।
ଦେଶର ତ୍ରିସ୍ତରୀୟ ବିଚାର ବ୍ୟବସ୍ଥାରେ ଜରୁରୀ ମାମଲାଗୁଡିକର ବିଚାର ଶେଷ କରିବା ଲାଗି ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶର ତଳକୋର୍ଟ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ପାଖାପାଖି ୩ କୋଟି ମାମଲା ଦୀର୍ଘ ଦିନ ହେବ ବିଚାରାଧୀନ ରହିଛି। ଏଗୁଡିକର ଶୁଣାଣି ଶେଷ କରିବା ଦିଗରେ ସେ ବିଶେଷ ପଦକ୍ଷେପ ନେବେ ବୋଲି ଗୋଗଇ ଅକ୍ଟୋବର ୩ରେ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବାବେଳେ ସଙ୍କେତ ଦେଇଥିଲେ। ଦାୟିତ୍ୱ ଗ୍ରହଣର ସପ୍ତାହକ ମଧ୍ୟରେ ସେ ପ୍ରତ୍ୟେକ ହାଇକୋର୍ଟ କଲେଜିୟମ୍‍ର ସଦସ୍ୟ ଥିବା ବରିଷ୍ଠ ବିଚାରପତିଙ୍କ ସହ ଭିଡିଓ କନ୍‍ଫରେନ୍ସିଂ ଦ୍ୱାରା ଆଲୋଚନା କରି ଏହି ମାମଲାଗୁଡିକର ତୁରନ୍ତ ସମାଧାନ ସମ୍ପର୍କରେ ପରାମର୍ଶ ଦେଇଛନ୍ତି।

Leave A Reply