ଗୋପାଳପୁର ଓ ବ୍ରହ୍ମପୁର ସିଟି ବସ୍ ଭଡା ୫ ଟଙ୍କା ବୃଦ୍ଧିକୁ ନେଇ ଜନ ଅସନ୍ତୋଷ

ଗୋପାଳପୁର : ଗୋପାଳପୁର ଓ ବ୍ରହ୍ମପୁର ମଧ୍ୟରେ ଚଳାଚଳ କରୁଥିବା ସିଟି ବସ୍ ପକ୍ଷରୁ ହଠାତ୍ ଭଡ଼ାରେ ୫ ଟଙ୍କା ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଗୋପାଳପୁର ଓ ବ୍ରହ୍ମପୁର ମଧ୍ୟରେ ପ୍ରତ୍ୟହ ୧୦ଟି ବସ୍ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଚଳାଚଳ କରୁଅଛି। ଏହା ଦ୍ବାରା ଗୋପାଳପୁରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ସମେତ ଡୁରା ରାମନାରାୟଣ ମହାବିଦ୍ୟାଳୟ, ବି ଇ ଏମ୍ ଟି ଓ ଓମ୍ ସାଇ ବୈଷୟିକ ଶିକ୍ଷା ଅନୁଷ୍ଠାନ, ଗୋପାଳପୁର ମହାବିଦ୍ୟାଳୟ ସମେତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସହ ନାରାୟଣପୁର, ବର୍ଜିସ ପେଣ୍ଠ, କରାପଲ୍ଲୀ, ରଗେଂଇଲୁଣ୍ଡା, ମାଣ୍ଡିଆ ପଲ୍ଲୀ, ବାହାଦୂର ପେଣ୍ଠ, ଗୁଳା ସହ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳବାସୀ ପ୍ରତିଦିନ ଏହି ସିଟି ବସ୍ ଉପରେ ନିର୍ଭର କରିଥାନ୍ତି। ପ୍ରାୟ ତିନି ବର୍ଷ ଧରି ଏହି ସିଟି ବସ୍ ଲୋକଙ୍କ ସମେତ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରହ୍ମପର ଗୋପାଳପୁର ମଧ୍ୟରେ ଲାଇଫ ଲାଇନ ସଦୃଶ୍ୟ ସାବ୍ୟସ୍ତ ହୋଇପାରିଛି। ଗତକାଲି ପର୍ଯ୍ୟନ୍ତ ବ୍ରହ୍ମପୁରରୁ ଗୋପାଳପୁର ସିଟି ବସ୍ ଯାତ୍ରୀ ପିଛା ୧୫ ଟଙ୍କା ଆଦାୟ କରୁଥିବା ବେଳେ ଆଜି ଏଥିରେ ୫ ଟଙ୍କା ବୃଦ୍ଧି କରାଯାଇ ଏହାକୁ ୨୦ ଟଙ୍କା କରାଯାଇଛି। ସେହିପରି କରାପଲ୍ଲୀ ପର୍ଯ୍ୟନ୍ତ ପୂର୍ବରୁ ୧୨ ଟଙ୍କା ରହିଥିବା ବେଳେ ଆଜି ଠାରୁ ଏହାକୁ ୧୫ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ୧୨ ଟଙ୍କା ପରିବର୍ତ୍ତେ ୧୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଗୋପାଳପୁର ସମେତ ଏହାର ଆଖପାଖ ଅଞ୍ଚଳର ବହୁ ଗରିବ ଲୋକ ପ୍ରତିଦିନ ମୂଲ ଲାଗିବାକୁ ବ୍ରହ୍ମପୁର ସହରକୁ ଯାଅଆସ କରୁଥିବାରୁ ଏହି ବସ୍ ଭଡା ବୃଦ୍ଧି ସେମାନଙ୍କୁ ବିଶେଷ ଭାବେ କ୍ଷତିଗ୍ରସ୍ତ କରିବ ବୋଲି ଗୋପାଳପୁରରୁ ମୂଲ କାମ କରିବାକୁ ଯାଉଥିବା ମହିଳାମାନେ କହିଛନ୍ତି। ଏହାସହ ପ୍ରତ୍ୟହ ଗୋପାଳପୁର ମହାବିଦ୍ୟାଳୟ ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ପାଠପଢିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟ ସମାନ ପରିସ୍ଥିତି ରହିଥିବା ବ୍ରହ୍ମପୁରରୁ ବିଶ୍ଵବିଦ୍ୟାଳୟ ପଢିବାକୁ ଆସୁଥିବା ଛାତ୍ର ଗୈତମ ବେହେରା ପ୍ରକାଶ କରିଛନ୍ତି।

ଏନେଇ ବି ଡି ଏ ସମ୍ପାଦକ ସମ୍ବିତ ରାଉତଙ୍କ ସହ ଯୋଗାଯୋଗ ବେଳେ ସେ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାରେ ସିଟି ବସ୍ କିଲୋମିଟର ପିଛା ୧ ଟଙ୍କା ୪୯ପଇସା ଲେଖାଏଁ ସରକାରୀସ୍ତରରେ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ବ୍ରହ୍ମପୁରରୁ ବିଭିନ୍ନ ଅଞ୍ଚଳକୁ ଗସ୍ତ କରୁଥିବା ସିଟି ବସ୍ ପକ୍ଷରୁ ସେହି ଦରରେ ଭଡ଼ା ଆଦାୟ କରାଯାଉନାହିଁ। ଆଜି ସକାଳେ ଏହାକୁ ନେଇ କିଛି ଅଭିଯୋଗ ତାଙ୍କ ନିକଟରେ ଥିବା ସେ କହିବା ସହ ସମସ୍ତଙ୍କ ଠାରୁ ଏହି ବର୍ଦ୍ଧିତ ଦର ଆଦାୟ କରାଯାଉ ନାହିଁ ବୋଲି ସଫେଇ ଦେଇଥିଲେ।ଏହା ସହ ଦୀର୍ଘ ତିନି ବର୍ଷ ହେଲା ସିଟି ବସର ଭଡ଼ା ବୃଦ୍ଧି କରାଯାଇନାହିଁ କିନ୍ତୁ ବସ୍ ଲିଜ୍ ଧାରୀ ଭଡ଼ା ବୃଦ୍ଧି ନିମନ୍ତେ କହୁଥିଲେ ମଧ୍ୟ ଏହାର ବୃଦ୍ଧି କରାଯାଇନାହିଁ।

ଏହି ବର୍ଦ୍ଧିତ ସିଟି ବସ୍ ଭଡ଼ାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ସାଧାରଣରେ ଦାବି ହେଉଛି।

Comments are closed.