ବାମପନ୍ଥୀ ଦଳଙ୍କ ଡିଜେଲ୍‍ ଓ ପେଟ୍ରୋଲ୍‍ ଦରବୃଦ୍ଧି ପ୍ରତିବାଦ, ଜୁନ୍‍ ୩୦ରେ ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର: କରୋନା ଲକ୍‍ଡାଉନ୍‍ ଯୋଗୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ସେତିକିବେଳେ ଦାଉ ସାଧିଲା ଭଳି ଡିଜେଲ୍‍ ଓ ପେଟ୍ରୋଲ୍‍ର ଦାମ ଗତ ୨୦ଦିନ ଧରି ପ୍ରତିଦିନ ବୃଦ୍ଧି ପାଇବା ଯୋଗୁ ଦୁର୍ଦ୍ଦଶା ଆହୁରି ବୃଦ୍ଧି ପାଉଛି। ଡିଜେଲ୍‍ ଓ ପେଟ୍ରୋଲ୍‍ର ଦରବୃଦ୍ଧି ବିରୋଧରେ ବାମପନ୍ଥୀ ଦଳଗୁଡ଼ିକ ପକ୍ଷରୁ ପ୍ରତିବାଦ କରାଯାଇ ଜୁନ୍‍ ୩୦ରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଆଶିଷ କାନୁନ୍‌ଗୋ, ଅଳିକିଶୋର ପଟ୍ଟନାୟକ, ଯୁଧିଷ୍ଠିର ମହାପାତ୍ର, ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖଙ୍କ ନେତୃତ୍ବରେ ଆସନ୍ତା ଜୁନ୍‍ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି  ରାଜ୍ୟବ୍ୟାପୀ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶାର ସବୁ ବର୍ଗର ଜନସାଧାରଣ ଯୋଗ ଦେବା ପାଇଁ ସିପିଆଇ, ସିପିଆଇ(ଏମ୍‍), ସିପିଆଇଏମ୍‍ଏଲ୍‍(ଲିବରେସନ୍‍) ଏବଂ ଅଖିଳ ଭାରତ ଫରୱାର୍ଡ ବ୍ଲକ୍‍ ପକ୍ଷରୁ ଆହ୍ୱାନ ଦିଆଯାଇଛି।
ରାଜ୍ୟରେ ଡିଜେଲ୍‍ ଓ ପେଟ୍ରୋଲ୍‍ ଲିଟର ପିଚ୍ଛା ୮୦ଟଙ୍କା ହେଲାଣି। ଏଭଳି ଦର ବୃଦ୍ଧି ଲାଗି ରହିଲେ ଖୁବ୍‍ ନିକଟରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଲିଟର ପିଚ୍ଛା ୧୦୦ଟଙ୍କାରେ ପହଞ୍ଚିବ। ଡିଜେଲ୍‍ ଦର ବୃଦ୍ଧି ପ୍ରଭାବରେ ପରିବହନ ଖର୍ଚ୍ଚ ବୃଦ୍ଧି ପାଇବ। ଫଳରେ ମାଲ୍‍ ଓ ଯାତ୍ରୀ ପରିବହନ ଭଡ଼ା ବଢ଼ିବ। ଏହାଦ୍ୱାରା ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ।  ଅନ୍ତର୍ଜାତୀୟ ବଜାରେ ଅଶୋଧିତ ତୈଳଦର ଯଥେଷ୍ଟ କମିଥିଲେ ସୁଦ୍ଧା ଦେଶର ତୈଳ କମ୍ପାନୀମାନଙ୍କ ମୁନାଫା ବୃଦ୍ଧି ଓ କେନ୍ଦ୍ର ସରକାର ଅର୍ଥଭଣ୍ଡାର ଭରଣ ନିମନ୍ତେ, କେନ୍ଦ୍ରର ବିଜେପି ସରକାର ଅବକାରୀ ଶୁକ୍ଲ ଓ ରାଜ୍ୟର ବିଜେଡ଼ି ସରକାର ଭାଟ ଟିକସ ବୃଦ୍ଧି ଯୋଗୁ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ଡିଜେଲ୍‍ ଦର ଲିଟର ପିଛା ୧୦ଟଙ୍କାରୁ ଊର୍ଦ୍ଧ୍ବ ଓ ପେଟ୍ରୋଲ୍‍ ଦର ୮ଟଙ୍କାରୁ ଊର୍ଦ୍ଧ୍ବ ବୃଦ୍ଧି ପାଇଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‍ ପ୍ରତି ୧୧୦ ଡଲାର ଥିବାବେଳେ ଏବେ ତାହା ୪୦ଡଲାରରୁ କମ୍‍ ଦରରେ ଉପଲବ୍ଧ। ଆଜି ଡିଜେଲ୍‍ ଦର ୮୦ଟଙ୍କା ମଧ୍ୟରୁ ମୂଳଦର ହେଉଛି ମାତ୍ର ୨୨ଟଙ୍କା ୯୩ ପଇସା। ଅବକାରୀ ଶୁଳ୍କ ୩୧.୮୩ପଇସା ଏହା ଉପରେ ଲଦି ଦିଆଯାଇଛି। ପେଟ୍ରୋଲ୍‍ ମୂଳଦର ଉପରେ କେବଳ ଶୁଳ୍କ ହେଉଛି ୩୦ଟଙ୍କା ୯୮ ପଇସା ଏବଂ ଡିଜେଲ୍‍ ଉପରେ ୨୬ଟଙ୍କା ୩୩ ପଇସା। l ତେଣୁ ରାଜ୍ୟ ସରକାରଙ୍କ ଡିଜେଲ୍‌ ଓ ପେଟ୍ରୋଲ୍‌ ଦର ବୃଦ୍ଧି ପ୍ରତିବାଦରେ ବାମପନ୍ଥୀଦଳଗୁଡ଼ିକ ପକ୍ଷରୁ  ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି।

Comments are closed.