ଦିଲ୍ଲୀକୁ ଗ୍ରାସିଲା ନାଗରିକତ୍ଵ ସଂଶୋଧନ ଆଇନ

- ୫ ଦିନରେ ୬ ମୃତ, ଆଜି ଦକ୍ଷିଣ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ

ଦିଲ୍ଲୀ: ନାଗରିକତ୍ଵ ସଂଶୋଧନ ବିଧେୟକ ୨୦୧୯ ଆଇନରେ ହେବ ପୂର୍ବରୁ ଆସାମରେ ଆରମ୍ଭ ହୋଇଥିବା ବିଦ୍ରୋହ ଏବେ ରାଜଧାନୀ ଦିଲ୍ଲୀକୁ ଗ୍ରାସିବା ଆରମ୍ଭ କରିଛି। ରବିବାର ଦିଲ୍ଲୀରେ ପ୍ରଦର୍ଶନକାରୀ ଓ ପୁଲିସ ମଧ୍ୟରେ ବିଭିନ୍ନ ସ୍ଥାନରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ସଂଶୋଧିତ ନିୟମ ଅନୁଯାୟୀ ତିନୋଟି ମୁସଲିମ ବହୁଳ ଦେଶରୁ ଭାରତକୁ ପଳାୟନ କରି ଶରଣାର୍ଥୀ ଭାବେ ରହୁଥିବା ଅଣ-ମୁସଲିମମାନଙ୍କୁ ନାଗରିକତ୍ଵ ଦେବା ନିୟମ ରହିଛି। ରବିବାର ପ୍ରଦର୍ଶନକାରୀମାନେ କେତେକ ବସରେ ନିଅଁ ଲଗାଇଦେବା ସହ ରାସ୍ତା ବ୍ଲକ କରିଥିଲେ ଫଳରେ ପୁଲିସକୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା। ଏହି ବିଧେୟକ ଆଇନରେ ପରିଣତ ହେବା ପରେ ପୂର୍ବ ଏବଂ ଉତ୍ତର ଭାରତରେ କେତେକ ସଂଗଠନ ଓ ଲୋକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଗତ ୫ଦିନ ମଧ୍ୟରେ ଏ ନେଇ ହିଂସାରେ ୬ ଜଣକ ମୃତ୍ୟୁ ଘଟିଛି।

ପଶ୍ଚିମବଙ୍ଗରେ ପ୍ରଦର୍ଶନକାରୀମାନେ ଜାତୀୟ ରାଜପଥ ଅବରୋଧ କରିବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ବେଳେ ଆସାମ ସରକାର ଲୋକମାନଙ୍କୁ ଆବଶକୀୟ ଜିନିଷ ପତ୍ର କିଣିବା ପାଇଁ କେତେକ ସ୍ଥାନରେ କର୍ଫ୍ୟୁ କୋହଳ କରିଥିଲେ। ଭାରତର କିଛି ଅଂଚଳରେ ଏଭଳି ହିଂସା ଜନିତ ଘଟଣା ଦୃଷ୍ଟିରୁ ଆମେରିକା, କାନାଡ଼ା ଓ ଇଂଲଣ୍ଡ ସେମାନଙ୍କ ନାଗରିକମାନଙ୍କୁ ଉତ୍ତର ଓ ପୂର୍ବ ଭାରତ ଗସ୍ତ ସମୟରେ ସାବଧାନ ରହିବା ପାଇଁ ପରାମର୍ଶ ଦେଇଛି।

କଣ ଥିଲା ଦିଲ୍ଲୀର ଘଟଣା?
ନାଗରିକତ୍ଵ ସଂଶୋଧନ ଆଇନର ବିରୋଧ କରୁଥିବା ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରବିବାର ପ୍ରଦର୍ଶନ କରୁଥିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲେ। ପ୍ରଥମେ କିଏ ଆକ୍ରମଣ କରିଥିଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୁଲିସ ଉପରକୁ ପଥର ମାଡ ହେବା ପରେ ପୁଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା। ପ୍ରଦର୍ଶନକାରୀମାନେ ୩ଟି ବସ ଓ କେତେକ ମୋଟରସାଇକେଲ ପୋଡି ଦେଇଛନ୍ତି। କିଛି ସମୟ ପରେ ଛାତ୍ରଛାତ୍ରୀମାନେ ସେହି ସ୍ଥାନ ଛାଡି ପଳାଇ ଯାଇଥିଲେ। ସେଠାରେ ହିଂସା ସୃଷ୍ଟି ପଛରେ ସ୍ଥାନୀୟ କିଛି ଲୋକ ସମ୍ପୃକ୍ତ ଥିବା ପୁଲିସ କହିଛି। ପୁଲିସ ବିନା ଅନୁମତିରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରି କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଅଭିଯୋଗ କରିଛନ୍ତି। ହିଂସା ପ୍ରଦର୍ଶନ ବନ୍ଦ କରିବା ପାଇଁ କ୍ୟାମ୍ପସ ଭିତରକୁ ପ୍ରବେଶ କରିବା ଆବଶ୍ୟକ ଥିଲା ବୋଲି ପୁଲିସ ସଫେଇ ଦେଇଛି। ଦକ୍ଷିଣ ଦିଲ୍ଲୀର ସମସ୍ତ ସ୍କୁଲକୁ ଆଜି ଅର୍ଥାତ ସୋମବାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

(ଭିଡିଓ ସୌଜନ୍ୟ – ବିବିସି)

ବିରୋଧ କାହିଁକି?
ଏହି ନାଗରିକତ୍ଵ ସଂଶୋଧନ ଆଇନ ବଳରେ ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଭାରତ ଭିତରକୁ ବେନିୟମ ଭାବେ ପ୍ରବେଶ କରିଥିବା ଅଣ-ମୁସଲିମମାନଙ୍କୁ ଦେଶର ନାଗରିକତା ପ୍ରଦାନ କରାଯିବ। ହିନ୍ଦୁ ଜାତୀୟତାବାଦୀ ବିଜେପି ସରକାର ଏହାକୁ ସମର୍ଥନ କରିଥିବା ବେଳେ ଏହା ସାମ୍ବିଧାନିକ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଥିବା ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି।

ମିଳିତ ଜାତିସଂଘ ମାନବିକ ଅଧିକାର ସଂଗଠନ ଏହି ସଂଶୋଧିତ ଆଇନକୁ ଅନେଇ ଚିନ୍ତା ବ୍ୟକ୍ତ କରିଛି। ଏହା ଭେଦଭାବ ସୃଷ୍ଟିକାରୀ ବୋଲି ମିଳିତ ଜାତିସଂଘ ମାନବିକ ଅଧିକାର ସଂଗଠନ କହିଛି। ଏଭଳି ଆଇନ କାର୍ଯ୍ୟକାରୀ ହେଲେ ବାହାର ଲୋକମାନେ ସେମାନଙ୍କ ଜମି ଓ ବୃତ୍ତି ଉପରେ ଅଧିକାର ସାବ୍ୟସ୍ତ କରିବେ ବୋଲି ଅନେକ ଆସାମୀ ଅଧିବାସୀ ଯୁକ୍ତି କରୁଥିବା ବେଳେ ସରକାର ଏହାକୁ ପ୍ରତ୍ୟାଖାନ କରିଛନ୍ତି।

Comments
Loading...