ସିସିଏ ପ୍ରତିବାଦରେ ବିକ୍ଷୋଭ ଜାରି, ଉତ୍ତରପ୍ରଦେଶରେ ମୃତ୍ୟୁସଂଖ୍ୟା ୧୬

ନୂଆଦିଲ୍ଲୀ/ଲକ୍ଷ୍ନୌ: ନାଗରିକତ୍ବ ଆଇନ ପ୍ରତିବାଦରେ ବିକ୍ଷୋଭକାରୀଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧିପାଇଚାଲିଥିବାବେଳେ ଆନ୍ଦୋଳନ ତଥା ହିଂସାକାଣ୍ଡର ଅନ୍ତ ଘଟୁ ନାହିଁ। ଉତ୍ତରପ୍ରଦେଶରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ହିଂସାତ୍ମକ ବିକ୍ଷୋଭରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ଗୁରୁବାର ଲକ୍ଷ୍ନୌରେ ଜଣଙ୍କ ମୃତ୍ୟୁ ପରେ ଶୁକ୍ରବାର ୧୧ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଶନିବାର ସୁଦ୍ଧା ଆଉ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଅଦ୍ୟାବଧି ମିରଟରେ ସର୍ବାଧିକ ୪, ଫିରୋଜାବାଦ, ସମ୍ଭଲ, ବିନ୍‌ଜୋର ଓ କାନପୁରରେ ୨ଜଣ ଲେଖାଏଁ ମୃତ୍ୟୁମୁଖରେ ପଡ଼ିଥିବାବେଳେ ମୁଜାଫରନଗର ଓ ରାମପୁରରେ ଜଣେ ଲେଖାଏଁ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ସେହିପରି ବାରାଣସୀରେ ଜଣଙ୍କ ମୃତ୍ୟୁ ଘଟିଛି। ଆଗ୍ରାରେ ମଧ୍ୟ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଅପରପକ୍ଷରେ ବିକ୍ଷୋଭକାରୀଙ୍କ ଆକ୍ରମଣରେ ୨୬୩ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ମୃତକଙ୍କ ଶରୀର ଗୁଳିବିଦ୍ଧ ହୋଇଥିଲେ ମଧ୍ୟ ପୁଲିସ ଗୁଳିଚାଳନାକୁ ଅସ୍ବୀକାର କରିଛି। ଉତ୍ତରପ୍ରଦେଶ ପୁଲିସ ମହାନିର୍ଦେଶକ ଓ.ପି ସିଂହ କହିଛନ୍ତି ଯେ ପୁଲିସ ଗୋଟିଏ ହେଲେ ଗୁଳି ଚଳାଇ ନାହିଁ। କୌଣସି ବାହ୍ୟଶକ୍ତି ଗୁଳି ଚଳାଇଛନ୍ତି। ସେମାନେ ପୁଲିସକୁ ଲାଠି ଚଳାଇବା ଓ ଲୁହବୁହା ବାଷ୍ପ ପ୍ରୟୋଗ ପାଇଁ ବାଧ୍ୟ କରିଥିବା ସିଂହ କହିଛନ୍ତି।
ରାଜ୍ୟର ୨୦ ଜିଲାରେ ବିକ୍ଷୋଭ ଶୋଭାଯାତ୍ରା ଜାରି ରହିଛି। ଶୁକ୍ରବାର ମଧ୍ୟାହ୍ନ ପ୍ରାର୍ଥନା ପରଠାରୁ ବିକ୍ଷୋଭ ଜୋର୍‌ ଧରିଥିଲା ଓ ଏହା ହିଂସାତ୍ମକ ରୂପ ନେଇଥିଲା। ରାତି ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘୋଷଣା କରାଯାଇଥିବାବେଳେ ସକାଳ ହେଲାବେଳକୁ ଏହା ୧୧ରେ ପହଞ୍ଚିଥିଲା। ମୃତକଙ୍କ ମଧ୍ୟରେ ବାରାଣସୀର ଜଣେ ୮ବର୍ଷର ବାଳକ ରହିଛି। ଦଳାଚକଟାରେ ତାର ମୃତ୍ୟୁ ହୋଇଥିବା ପ୍ରକାଶ। ଶନିବାର କାନୁର ଓ ରାମପୁରରେ ପରିସ୍ଥିତି ଅଧିକ ଖରାପ ରହିଛି। ବିକ୍ଷୋଭକାରୀ ପୁଲିସ ଉପରକୁ ଢ଼େଲାପଥର ଫିଙ୍ଗିବାରେ ପୁଲିସ ଲାଠିଚାଳନା ସହ ଲୁହବୁହା ବାଷ୍ପ ପ୍ର​​‌ୟୋଗ କରିଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ସେହିଭଳି ଇଣ୍ଟରନେଟ୍‌ ଓ ମୋବାଇଲ ଫୋନ୍‌ ସେବା ମଧ୍ୟ ବାତିଲ କରାଯାଇଛି। ଏହା ୨୩ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଗୁରୁବାରଠାରୁ ଅଦ୍ୟାବଧି ୭୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିବା ଉତ୍ତରପ୍ରଦେଶ ପୁଲିସ କହିଛି। ହିଂସାକାଣ୍ଡ ପଛରେ କିଛି ଏନ୍‌ଜିଓଙ୍କ ହାତ ଥିବା ସେ କହିଛନ୍ତି। ପୁଲିସ ଗୁଳି ଚଳାଇବା ପ୍ରସଙ୍ଗରେ ନ୍ୟାୟିକ ତଦନ୍ତ କରିବା ପାଇଁ ସିଂହ ଆହ୍ବାନ ଦେଇଛନ୍ତି।
ଅପରପକ୍ଷରେ ରାଜଧାନୀ ଦିଲ୍ଲୀରେ ଶନିବାର ମଧ୍ୟ ବିକ୍ଷୋଭ ଜାରି ରହିଛି; ତେବେ ପୁଲିସ ଏଠାରେ କଡ଼ା ଆଭିମୁଖ୍ୟ ଗ୍ରହଣ ପୂର୍ବକ ୫୪ଜଣଙ୍କୁ ଗିରଫ କରିଛି। ଉତ୍ତର-ପୂର୍ବ ଦିଲ୍ଲୀରୁ ୨୩, ଜାମିଆ ନଗରରୁ ୧୦, ସୀମାପୁରୀରୁ ୧୧ ଓ ଦରିୟାଗଞ୍ଜରୁ ୧୬ଜଣ ଗିରଫ ହୋଇଛନ୍ତି। ଦରିୟାଗଞ୍ଜରୁ ଗିରଫ ୧୫ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦିଲ୍ଲୀରେ ମୋଟ ୮ଜଣ ନାବାଳକଙ୍କୁ ଗିରଫ କରାଯାଇଛି।
ଶୁକ୍ରବାର ପୁଲିସ ହାତରୁ ଖସି ପଳାଇଥିବା ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ପରେ ଅଟକ ରଖାଯାଇଥିବାବେଳେ ଶନିବାର ଗିରଫ କରାଯାଇଛି। ତାଙ୍କୁ ତିସ୍ହଜାରୀ ଅଦାଲତ​‌ରେ ହାଜର କରାଯିବା ପରେ ତାଙ୍କର ଜାମିନ ନାମଞ୍ଜୁର ହୋଇଛି ଓ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏତଦ୍‌ବ୍ୟତୀତ ଦରିୟାଗଞ୍ଜରେ ଗିରଫଙ୍କୁ ମୁକୁଳାଇବା ପାଇଁ କିଛି ଲୋକ ଅଦାଲତକୁ ଯାଇଥିବାବେଳେ ସେମାନଙ୍କୁ ଏତଲାର ନକଲ ପ୍ରଦାନ ପାଇଁ କେନ୍ଦ୍ରୀୟ ଦିଲ୍ଲୀ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ନିର୍ଦେଶ ଦେଇଛନ୍ତି। ଦକ୍ଷିଣ ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ସଂଘର୍ଷରେ ୮ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ ସମେତ ଜାମିଆ ନଗରରେ କ୍ରମାଗତ ସପ୍ତମ ଦିନ ପାଇଁ ବିକ୍ଷୋଭ ଜାରି ରହିଛି। ଉଭୟ ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ଯେଉଁମାନେ ଗିରଫ ହୋଇଛନ୍ତି ସେମାନଙ୍କ ବିରୋଧରେ ଦଙ୍ଗା ସୃଷ୍ଟି ଆରୋପ ଲଗାଯାଇଛି।
ଚେନ୍ନଇରେ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଥିଲେ ମଧ୍ୟ ୨୦୦ ଛାତ୍ରଙ୍କୁ ପୁଲିସ ଅଟକ ରଖିଛି। ମଧ୍ୟପ୍ରଦେଶର ଜବଲପୁରରେ ହିଂସା ବ୍ୟାପିବାରୁ ସେଠାରେ କର୍ଫ୍ୟୁ ଜାରି କରାଯାଇଛି। ଉତ୍ତରାଖଣ୍ଡର ହରିଦ୍ବାରରେ ୧୪୪ ଧାରା ଜାରି କରାଯାଇଛି। ନଭି ମୁମ୍ବଇରେ ବିକ୍ଷୋଭ ହୋଇଥିବାବେଳେ ଆସାମର ତିନ୍‌ସୁକିଆରେ ପୁନର୍ବାର କର୍ଫ୍ୟୁ ଜାରି ହୋଇଛି। ଗୁଆହାଟୀରେ ହଜାରହଜାର ସଂଖ୍ୟାରେ ମହିଳା ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି। କର୍ଣ୍ଣାଟକର ମାଙ୍ଗାଲୁରୁରେ ଶନିବାର ସନ୍ଧ୍ୟାରେ ଦୁଇ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଛି। କାଲବୁର୍ଗିରେ ପୁଲିସ ଫ୍ଲାଗ୍‌ମାର୍ଚ୍ଚ କରିଛି। କଲକାତାରେ ଏକ ଛାତ୍ରଗୋଷ୍ଠୀ ବିଜେପି କାର୍ଯ୍ୟାଳୟ ଅଭିମୁଖେ ଶୋଭାଯାତ୍ରାରେ ଯାଉଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇଛି। କେରଳର କୋଝିକୋଡଠାରେ କଂଗ୍ରେସ ସମର୍ଥିତ ବିକ୍ଷୋଭକାରୀଙ୍କ ଉପରକୁ ପୁଲିସ ପାଣିମାଡ଼ କରିଛି। ବିହାରରେ ଆରଜେଡି ପକ୍ଷରୁ ଶନିବାର ବନ୍ଦ ପାଳନ କରାଯିବା ସହ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ ମୁଖ୍ୟାଳୟରେ ବରିଷ୍ଠ ନେତାମାନଙ୍କ ସହ ପରିସ୍ଥିତି ସମ୍ପର୍କରେ ସମୀକ୍ଷା ସହ ନାଗରିକତ୍ବ ଆଇନ ଉପରେ ଆଲୋଚନା କରିଛନ୍ତି। ସେହିଭଳି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଘରେ ବରିଷ୍ଠ ନେତାମାନଙ୍କର ବୈଠକ ଅନୁଷ୍ଠିତ ହୋଇଛି। ଏଥିସହିତ ରାଜଘାଟଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତୃଣମୂଳ କଂଗ୍ରେସ ସାଂସଦ ଦିନେଶ ତ୍ରିବେଦୀଙ୍କ ନେତୃତ୍ବରେ ଦଳର ଏକ ୪ଜଣିଆ ପ୍ରତିନିଧି ମଣ୍ଡଳୀ ପରିସ୍ଥିତି ଅନୁଧ୍ୟାନ ପାଇଁ ଲକ୍ଷ୍ନୌ ଯିବେ ବୋଲି ସୂଚନା ଦିଆଯାଇଛି।

Comments are closed.