ଦିଲ୍ଲୀରେ ପୁଣି ହିଂସା – ପୁଲିସ ଆନ୍ଦୋଳନକାରୀ ମୁହାଁମୁହିଁ

- ଗୁଳି ନୁହେଁ, ଟିୟର ଗ୍ୟାସ ଟିଣ ଖୋଳ ବାହାରିଲା ଗୋଡ଼ରୁ

ଦିଲ୍ଲୀ: ନାଗରିକ ସଂଶୋଧନ ଆଇନ୍‍ ବିରୁଦ୍ଧରେ ମଙ୍ଗଳବାର ଅପରାହ୍ଣରେ ଦିଲ୍ଲୀର ମୁସଲିମ ବହୁଳ ଅଞ୍ଚଳ ସିଲମ୍‍ପୁରରେ ଘଟିଥିବା ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ପରେ ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। । ଦିଲ୍ଲୀ ପୁଲିସ୍‍ ଯୁଗ୍ମ କମିଶନର ଆଲୋକ କୁମାର ସାମ୍ବାଦିକମାନଙ୍କୁ କହିଛନ୍ତି, ପୁଲିସ୍‍ ସେହି ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କ ପାଖକୁ ଯାଇ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିବେଦନ କରିଛି। କୌଣସି ଗୁଳିଚାଳନା କରାଯାଇନାହିଁ ଓ ଉତ୍ୟକ୍ତ ଲୋକମାନଙ୍କୁ ଘଉଡ଼ାଇବା ପାଇଁ କେବଳ ଲୁହବୁହା ଗ୍ୟାସ୍‍ ପ୍ରୟୋଗ କରାଯାଇଛି ବୋଲି ସେ ସ୍ପଷ୍ଟିକରଣ ଦେଇଛନ୍ତି। ଇତିମଧ୍ୟରେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ କୌଣସି ହିଂସାକାଣ୍ଡରେ ଲିପ୍ତ ନରହି ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି।

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ଓ ପୁଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ପ୍ରୟୋଗ ପରେ ଉଭୟ ମୁହାଁମୁହିଁ ହେବ ଫଳରେ ପରିସ୍ଥିତି ଅସମ୍ଭାଳ ହୋଇ ପଡିଥିଲା। ଅନେକ ପ୍ରଦର୍ଶନକାରୀ ଆହତ ହୋଇଥିବା ବେଳେ କିଛି ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ସଂଖ୍ୟା ପ୍ରାୟ ୫୦ରୁ ଅଧିକ ହେବ ବୋଲି ଜଣା ପଡିଛି। ଆଜିକୁ ମିଶାଇ ତୃତୀୟ ଦିନରେ ମଧ୍ୟ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇଥିଲେ। ପୁଲିସ ଗୁଳି ଚଳେଇଥିବା ନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କରାଯାଇଛି। ଜଣେ ପ୍ରଦର୍ଶନକାରୀଙ୍କ ଗୋଡ଼ରୁ ଡାକ୍ତର ଟିୟର ଗ୍ୟାସ ଟିଣ ଖୋଳର ଅଂଶ ବାହାର କରିଥିବା ଜଣାପଡିଛି।

ଦୁର୍ବୃତ୍ତମାନଙ୍କ ବିଷୟରେ ପୁଲିସ୍‍କୁ ଖବର ଦେବାକୁ ସେ ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଉପରାଜ୍ୟପାଳ କହିଛନ୍ତି, ହିଂସା କେବଳ ଏକ ବେଆଇନ୍‍ କାର୍ଯ୍ୟ ନୁହେଁ, ଏହା ମଧ୍ୟ ଏକ ଅମାନବୀୟ କାର୍ଯ୍ୟ। ଲୋକମାନେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ସେମାନଙ୍କ ସ୍ୱର ଉତ୍ତୋଳନ କରିପାରିବେ ବୋଲି ସେ କହିଛନ୍ତି। ଉପରାଜ୍ୟପାଳ କହିଛନ୍ତି, କୌଣସି ପ୍ରକାରର ହିଂସାତ୍ମକ କାର୍ଯ୍ୟକୁ ଏକ ସଭ୍ୟସମାଜରେ ବର୍ଦ୍ଦାସ୍ତ କରାଯିବ ନାହିଁ। ହିଂସା କାର୍ଯ୍ୟ ଦ୍ୱାରା କୌଣସି କାର୍ଯ୍ୟ ହାସଲ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

Comments are closed.