ଗାନ୍ଧୀଙ୍କ ଠାରୁ ସିଂହଙ୍କ ଯାଏଁ…ନାଗରିକତା ସଂଶୋଧନ ଆଇନ୍

ନୂଆଦିଲ୍ଲୀ: କେତେକ ସାମାଜିକ ଗଣମାଧ୍ୟମ ଏବଂ ପ୍ରଚାର ସଂସ୍ଥା ଦ୍ୱାରା ନାଗରିକତା ସଂଶୋଧନ ଆଇନ୍‍ ପ୍ରସଙ୍ଗରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ହେଉଛି। ଇତିମଧ୍ୟରେ ଏ ନେଇ ସୃଷ୍ଟି ହୋଇଥିବା ମିଥ୍ୟା ତଥ୍ୟ, ଗୁଜବ ଏବଂ ଭୁଲ୍‍ ସୂଚନାକୁ ଦୂର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ଜନସାଧାରଣଙ୍କ ପାଖରେ ସଠିକ୍‍ ତଥ୍ୟ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଛି। ଧାର୍ମିକ ଉତ୍ପୀଡ଼ନ ସହ୍ୟ କରିଥିବା ପୀଡ଼ିତମାନେ ଅନେକ ବର୍ଷ ହେବ ଭାରତରେ ଶରଣାର୍ଥୀ ଭାବେ ରହୁଛନ୍ତି। ସେମାନେ ଶରଣାର୍ଥୀ କିନ୍ତୁ ଭାରତର ନାଗରିକ ହୋଇନଥିବାରୁ ସାଧାରଣ ଜୀବନଯାପନ ପାଇଁ କୌଣସି ସୁବିଧା ସୁଯୋଗ ପାଉନାହାନ୍ତି।

ସଂଶୋଧିତ ନାଗରିକତା ଆଇନ୍‍ ସେହିଭଳି ଖ୍ରୀଷ୍ଟିଆନ୍‍, ହିନ୍ଦୁ, ଶିଖ୍‍, ବୌଦ୍ଧ, ଜୈନ ଏବଂ ପାର୍ସି ଶରଣାର୍ଥୀ ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଙ୍ଗଲାଦେଶରୁ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତକୁ ଶରଣାର୍ଥୀ ଭାବେ ଆସି ବସବାସ କରୁଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ। ଏ ସମ୍ପର୍କରେ ସରକାର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଏହି ସଂଶୋଧନ ରାଜନୈତିକ ଦଳର ନେତୃବୃନ୍ଦ, ସାମ୍ବିଧାନିକ ସଭା ଏବଂ ଲୋକସଭା ଓ ରାଜ୍ୟସଭାର ପ୍ରଥମ ଅଧିବେଶନରେ ହୋଇଥିବା ଆଲୋଚନା ମୁତାବକ କରାଯାଇଛି।

ଏହି ସଂଶୋଧନରେ ଜାତିର ପିତା ମହାତ୍ମା ଗାନ୍ଧି, ପଣ୍ଡିତ ଜବାହାରଲାଲ ନେହେରୁ, ସର୍ଦ୍ଦାର ପଟେଲ, ଡକ୍ଟର ଭୀମରାଓ ଆମ୍ବେଦକର, ଡକ୍ଟର ରାମମନହୋର ଲୋହିଆ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଏବଂ ଡକ୍ଟର ମନମୋହନ ସିଂହଙ୍କ ମତାମତକୁ ଯଥୋଚିତ ସ୍ଥାନ ଦିଆଯାଇଛି। ସେମାନଙ୍କ ମତ ଅନୁଯାୟୀ ପଡ଼ୋଶୀ ଦେଶରେ ଧାର୍ମିକ ଉତ୍ପୀଡ଼ନ ସହୁଥିବା ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଭାରତର ପ୍ରଥମ କର୍ତ୍ତବ୍ୟ।

Comments are closed.